ପୁରୀ : ପୁରୀ ସହରରେ ଜଳାଭାବ ଜଳଜଳ ଦିଶିଲାଣି। ସେ ଭୂତଳ ଜଳ ହେଉ କି ନଦୀନାଳ, ସବୁକିଛି ଶୁଖିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ ବି ଏହା ସ୍ପଷ୍ଟ କରିସାରିଲାଣି। ପ୍ରତିବର୍ଷ ପୁରୀ ସହରରେ ପ୍ରାୟ ଦେଢ଼ଫୁଟରୁ ଦୁଇଫୁଟ ଭୂତଳ ଜଳ ତଳକୁ ଖସିବାରେ ଲାଗିଛି। ନବକଳେବରଠାରୁ ପୁରୀ ସହରକୁ ଅହରହ ପାଣି ଯୋଗାଇ ଆସୁଥିବା ପୋଖରୀ ଆଜି ଶୁଖିଲା ପଡ଼ିଛି। ପୋଖରୀକୁ ପାଣି ଯୋଗାଇ ଆସୁଥିବା ଭାର୍ଗବୀ ସହ ଏହାର ଶାଖା ନଦୀ କାଞ୍ଚି, ମଙ୍ଗଳା ଆଦି ଶୁଖିଲାଥିବାରୁ ଏଭଳି ଭୟଙ୍କର ସ୍ଥିତି ଉପୁଜିଛି। ପୁରୀ ସହରର ଶୋଷ ମେଣ୍ଟାଇବା ପାଇଁ ମୁଣ୍ଡଳୀ ଉପରେ ନିର୍ଭର କରିବାକୁ ପଡ଼ୁଛି। ଯଦି ଏବେଠୁ ଲୋକେ ସଚେତନ ନ ହୁଅନ୍ତି, ଆଗକୁ ଯେ ସ୍ଥିତି ଅସମ୍ଭାଳ ହୋଇପଡ଼ିବ, ସେଥିରେ ସନ୍ଦେହ ନାହିଁ ବୋଲି ପୁରୀ ଓାଟ୍‌କୋ ମହାପ୍ରବନ୍ଧକ ଇଂ. ଭବାନୀ ଶଙ୍କର ମହାନ୍ତି କହିଛନ୍ତି।

Advertisment

ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପ ଜରିଆରେ ପୁରୀ ସହରରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଆସୁଥିବା ୱାଟ୍‌କୋଠାରୁ ମିଳିଥିବା ତଥ୍ୟ ମୁତାବକ, ପୁରୀ ସହରକୁ ପାଣି ଯୋଗାଣ ପାଇଁ ସମଙ୍ଗ ମୌଜାରେ ଯେଉଁ ପୋଖରୀ ସବୁ ରହିଛି, ତାହାର ଜଳଧାରଣ କ୍ଷମତା ୪୨୦ ଲକ୍ଷ ଲିଟର(୪୨ ଏମ୍‌ଏଲ୍‌ଟି)। ଜଳସେଚନ ବିଭାଗ ଜରିଆରେ ଏହି ପାଣି ପୋଖରୀକୁ ଯୋଗାଇ ଦିଆଯାଉଛି। ସମଙ୍ଗ ଜଳବ‌ିଶୋଧନ ପ୍ରକଳ୍ପ ପ୍ରତିଦିନ ୪୨୦ ଲକ୍ଷ ଲିଟର ପାଣି ବିଶୋଧନ କରିବାର କ୍ଷମତା ରଖିଛି। ପୁରୀ ସହରବାସୀଙ୍କ ପାନୀୟ ଜଳ ଆବଶ୍ୟକତା ଉପରେ ନଜର ପକା‌ଇଲେ, ପ୍ରତିଦିନ ପ୍ରାୟ ୩୭୦ ଲକ୍ଷ ଲିଟର ପାନୀୟ ଜଳ ଆବଶ୍ୟକ ପଡ଼ୁଛି। ୩୩ହଜାର ପରିବାର ଏହି ପାନୀୟ ଜଳ ଉପରେ ନିର୍ଭରଶୀଳ। ତଥାପି ୱାଟ୍‌କୋ ପକ୍ଷରୁ ପ୍ରତିଦିନ ୩୯୦ ଲକ୍ଷ ଲିଟର ପାନୀୟ ଜଳ ଯୋଗାଣ ହେଉଛି। କାରଣ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଯୋଜନାରେ ୨୪ ଘଣ୍ଟିଆ ପାଣି ଯୋଗାଣ ପରେ ଲୋକଙ୍କ ପାଣି ବ୍ୟବହାର ବି ବଢ଼ିଯାଇଛି।

publive-image

ତଥାପି ପାଣି ଯୋଗାଣ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି କହିଛନ୍ତି ଇଂ. ମହାନ୍ତି। ଇଂ. ମହାନ୍ତି କହିଛନ୍ତି, ଲୋକେ ଯେ ପର୍ଯ୍ୟନ୍ତ ସଚେତନ ନ ହେବେ, ପାଣି ଅପଚୟ ବନ୍ଦ ନ କରିବେ, ସେ ପର୍ଯ୍ୟନ୍ତ ସମସ୍ୟା ଲାଗି ରହିବ। ଅନେକ ସମୟରେ ବିଶୁଦ୍ଧ ପାନୀୟ ଜଳଯୋଗାଣର ଗୁରୁତ୍ବ ଲୋକେ ବୁଝି ପାରୁନାହାନ୍ତି। ମନଇଛା ଟ୍ୟାପ୍‌ ଖୋଲି ପାଣି ନଷ୍ଟ କରୁଛନ୍ତି। ସେପଟେ ପୋଖରୀ ପାଣି ବି କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ସମୁଦ୍ରକୁ ଛାଡ଼ି ଦେଉଛନ୍ତି। ପାଣି ଲୁଣିଆ ହେଲେ ପିଇବା ଉପଯୋଗ୍ୟ ହୋଇପାରିବନି। ଯଦି ଏଭଳି ଲାଗି ରହେ, ଆଗାମୀ ୧୦ ବର୍ଷ ପରେ ନିଶ୍ଚିତ ପାନୀୟ ଜଳ ପାଇଁ ସଂଘର୍ଷ କରିବାକୁ ପଡ଼ିବ ବୋଲି ଇଂ. ମହାନ୍ତି କହିଛନ୍ତି।

୧୬୪ କିମି ଦୂରରୁ ପାଣି ଆଣୁଛୁ
ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ରତ୍ନାକର ଦଳାଇ କହିଛନ୍ତି, ବର୍ଷା ଦିନକୁ ଛାଡ଼ିଦେଲେ, ପୁରୀ ଜିଲ୍ଲା ଅଧିକାଂଶ ନଦୀନାଳ ଶୁଖିଲା ପଡ଼ୁଛି। ଏଣୁ ସମଙ୍ଗ ମୌଜାରେ ଥିବା ଜଳଯୋଗାଣ ପୋଖରୀରେ ଆବଶ୍ୟକ ପାଣି ଯୋଗାଇବା ସମ୍ଭବ ହେଉନାହିଁ। ଆମକୁ ମୁଣ୍ଡଳୀ ଜଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ପ୍ରାୟ ୧୬୪ କିଲୋମିଟର ବାଟ ଦେଇ ଆମକୁ ଏହି ପୋଖରୀ ପାଇଁ ପାଣି ଆଣିବାକୁ ପଡ଼ୁଛି। ପ୍ରଥମେ କେନାଲ୍‌, ପରେ ଭାର୍ଗବୀ ଓ ଅନ୍ୟ ନଦୀନାଳ ଦେଇ ସମଙ୍ଗ ପୋଖରୀରେ ପାଣି ପହଞ୍ଚୁଛି। ତେଣୁ ବହୁ ପରିମାଣର ପାଣି ବି ନଷ୍ଟ ହେଉଛି। ଜନସାଧାରଣ ଏହି ସମସ୍ୟା ହୃଦୟଙ୍ଗମ ନ କଲେ ଆଗାମୀ ଦିନରେ ନିଶ୍ଚିତ ସମସ୍ୟା ସୃଷ୍ଟି ହେବ ବୋଲି ଇଂ. ଦଳାଇ କହିଛନ୍ତି।