ଦିଗପହଣ୍ଡି: ଗଞ୍ଜାମଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଓ କେ. ନୂଆଗାଁ ଥାନା ଅଧୀନ କଳିଙ୍ଗଦଳା ଗ୍ରାମ ନିକଟ ବାହୁଦା ନଦୀର ଗଭୀର ଗଣ୍ଡରେ ବୁଡ଼ି ମାଆ, ଝିଅ ଓ ନାତି ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ, ଭ୍ରମରପୁର ଗ୍ରାମର ଉଷା ବେହେରା (୫୫), ତାଙ୍କ ଝିଅ ଅନସୂୟା ବେହେରା (୩୦) ଓ ନାତି ଆଦିତ୍ୟ ବେହେରା (୪)। ନାତୁଣୀ ସୋନାଲି ବେହେରା (୬)ଙ୍କୁ ସଂକଟାପନ୍ନ ଅବସ୍ଥାରେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ଅପରାହ୍ଣରେ ସମସ୍ତେ ମିଶି ରତନେଶ୍ବରୀ ପୀଠକୁ ଅଷ୍ଟମୀ ପୂଜା ପ୍ରସାଦ ଖାଇବାକୁ ଯାଇଥିଲେ। ଅପରାହ୍ଣ ସାଢ଼େ ୩ଟା ବେଳେ ସେମାନେ ବାହୁଦା ନଦୀତଟ ହୋଇ ଗାଁକୁ ଫେରୁଥିବା ସମୟରେ ଅସାବଧାନତାବଶତଃ ନଦୀଶଯ୍ୟାରେ ଥିବା ଗଣ୍ଡରେ ପଡ଼ିଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ବାଟରେ ଯାଉଥିବା କିଛି ଲୋକ ନଦୀଗଣ୍ଡରୁ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଇକ୍ ଓ ୧୦୮ ଆମ୍ବୁଲାନ୍ସରେ ଚିକିଟି ଡାକ୍ତରଖାନାକୁ ଆଣିଥିଲେ।
ଗଣ୍ଡରେ ବୁଡ଼ି ମାଆ, ଝିଅ ଓ ନାତି ମୃତ
ଅଷ୍ଟମୀ ପ୍ରସାଦ ଖାଇ ଫେରିବା ବେଳେ ଅଘଟଣ
ନଈ ପେଟ ଖୋଳି ଦେଇଥିଲେ ବାଲିମାଫିଆ
ତେବେ ଉଷା, ଅନସୂୟା ଓ ଆଦିତ୍ୟଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ସୋନାଲିଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ୩ ଜଣଙ୍କ ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ସଂପର୍କୀୟମାନଙ୍କ କାନ୍ଦବୋବାଳିରେ ଚିକିଟି ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କେ. ନୂଆଗାଁ ପୁଲିସ ୩ଟି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ଜାରି ରହିଥିବା ଥାନାଧିକାରୀ କିଶୋର ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି। ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ଚିକିଟି ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଅନ୍ୟପକ୍ଷରେ ବାଲିମାଫିଆ ନଦୀରୁ ବାଲି ନେବା ପାଇଁ ଶଯ୍ୟାରେ ବିରାଟ ଗାତ କରିଥିବାରୁ ଏହି ଅଭାବନୀୟ ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଭ୍ରମରପୁର ଓ କଳିଙ୍ଗଦଳା ଗ୍ରାମରେ ଦଶହରା ପୂଜା ଦୁଃଖଦ ପରିବେଶରେ ପରିଣତ ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/05/dead-2025-07-05-21-11-45.jpg)