କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗସାହିରେ ୧୧ଜଣଙ୍କ ମୃତ୍ୟୁ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ଆଜି ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଦିନତମାମ ଜୁଆଙ୍ଗସାହିରେ ରହି ରୋଗାକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ଦେଇଛନ୍ତି। ହେଲେ ଏହି ଘଟଣା ସହିତ ଆଉ ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଦୂଷିତ ଜଳ ହିଁ ଲୋକଙ୍କ ଜୀବନ ନେଇଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଛି। ଏଠାରେ କେତେକ କାମଳ ରୋଗରେ ଆକ୍ରାନ୍ତ ଥିବା ଏହି ଟିମ୍‌ ସ୍ବୀକାର କରିଛି। ଚୁଆପାଣିରୁ କାମଳ ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି।

Advertisment

ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗ ସାହିରେ ପ୍ରାୟ ଶହେ ପରିବାରର ୬୦୦ ଜୁଆଙ୍ଗ ବାସ କରୁଛନ୍ତି। ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଇବା ପାଇଁ ଗ୍ରାମରେ ଏକ ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ରହିଛି। ଗଭୀର ନଳକୂପରୁ ପାଣି ଓଭରହେଡ୍‌ ଟାଙ୍କିକୁ ଉଠାଯିବା ପରେ ଷ୍ଟାଣ୍ଡପୋଷ୍ଟ୍‌ ମାଧ୍ୟମରେ ଲୋକଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଛି। ବର୍ଷବର୍ଷ ଧରି ଓଭରହେଡ୍‌ ପାଣିଟାଙ୍କି ସଫା ହୋଇନାହିଁ। ଫଳରେ ପାଣିରେ ପୋକ ସାଲୁବାଲୁ ହେଉଥିବା ଗ୍ରାମବାସୀ କହିଛନ୍ତି। ଏହି ପାଣିକୁ ସେମାନେ ବ୍ୟବହାର କରୁନାହାନ୍ତି। ଗ୍ରାମର ମହିଳାମାନେ ଗାଁଠାରୁ ତିନିଶହ ମିଟର ଦୂର ପାହାଡ଼ ତ‌ଳ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି। ଏହି ଦୂଷିତ ଚୁଆପାଣି ପିଇ ଲୋକେ ରୋଗାକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆଜି ପ୍ରଶାସନ ପକ୍ଷରୁ ଜୁଆଙ୍ଗ ସାହିରେ ୧୧ଜଣଙ୍କ ମୃତ୍ୟୁର କାରଣ ଖୋଜିବା ବେଳେ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି। ପରୀକ୍ଷା ପାଇଁ ଜଳ ନମୁନା ବି ସଂଗ୍ରହ କରାଯାଇଛି।

ଆଦିମ ଜନଜାତି ଜୁଆଙ୍ଗ ସଂପ୍ରଦାୟର ସୁରକ୍ଷା ପାଇଁ ଜୁଆଙ୍ଗ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜୁଆଙ୍ଗ ଉନ୍ନୟନ ପାଇଁ ଅନେକ ଯୋଜନା କରୁଛନ୍ତି। ମାତ୍ର ଏଠାରେ ଅଳ୍ପ ଦିନର ବ୍ୟବଧାନରେ ୧୧ଜଣଙ୍କ ମୃତ୍ୟୁ ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାସକ ମଧ୍ୟରେ ଗୋଟିଏ ପରିବାରର ସୁନିଆ ଜୁଆଙ୍ଗ (୩୫), ପତ୍ନୀ ରଶ୍ମି ଜୁଆଙ୍ଗ (୩୦), ଝିଅ ନୁନି ଜୁଆଙ୍ଗ (୬ ମାସ)ଙ୍କ ମୃତ୍ୟୁ ଯୋଗୁଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଆଜି ଡାକ୍ତର ରମାକାନ୍ତ ମୁଣ୍ଡାଙ୍କ ନେତୃତ୍ବରେ ଏକ ଟିମ୍‌ ଏହି ଗାଁକୁ ଯାଇଥିଲା। ଗ୍ରାମରେ ରୋଗାକ୍ରାନ୍ତ ୧୭ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଔଷଧ ଦିଆଯାଇଛି। ସେହିପରି ପିଏ ଆଇଟିଡିଏ ତପନ ନାୟକ ମଧ୍ୟ ଗ୍ରାମକୁ ଯାଇ ସ୍ଥିତି ପରଖିଛନ୍ତି। କେବେଠୁ ଲୋକେ ରୋଗ‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେଣି ତାହାର ବିବରଣୀ ସଂଗ୍ରହ କରିଛନ୍ତି। ଏ ସମ୍ପର୍କରେ ଡାକ୍ତର ରମାକାନ୍ତ ମୁଣ୍ଡା କହିଛନ୍ତି, ଜୁଆଙ୍ଗସାହିରେ ଅସୁସ୍ଥଙ୍କ ଚିକିତ୍ସା କରାଯାଇଛି। ୩ ଜଣ ଜଣ୍ଡିସ, ୩ ଜଣ ଥଣ୍ଡାଜ୍ବର ଓ ୮ଜଣ ରକ୍ତହୀନତାର ଶିକାର ହୋଇଥିବା ସେ କହିଛନ୍ତି। ସେହିପରି ଗାଁର ଗୁରୁଦେବ ନାଏକ କହିଛନ୍ତି, ଗାଁର ମୂଳ ସମସ୍ୟା ହେଉଛି ପାନୀୟଜଳ। ଓଭରହେଡ୍‌ ଟାଙ୍କିରୁ ଆସୁଥିବା ପାଣିରେ ପୋକ ବାହାରୁଛନ୍ତି। ତେଣୁ ଲୋକେ ଦୂଷିତ ଚୁଆପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି।