ପଳାସୁଣୀରେ ଜଳ ପରୀକ୍ଷାଗାର ଲୋକାର୍ପିତ

ଭୁବନେଶ୍ୱର : ରାଜ୍ୟର ସବୁ ଘରକୁ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। କଟକରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ୧୦୧ଟି ସହରାଞ୍ଚଳ ପାଇଁ ନୂତନ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ ସହ ୭୪ଟି ସହରାଞ୍ଚଳରେ ୧୫୭ କୋଟି ବ୍ୟୟରେ ନିର୍ମିତ ୧୮୨ଟି ଜଳ ଯୋଗାଇ ପ୍ର୍ରକଳ୍ପ ଏବଂ ୬ଟି ଜଳ ପରୀକ୍ଷାଗାର ଲୋକର୍ପିତ ହୋଇଥିବାବେଳେ ଭୁବନେଶ୍ୱରର ପଳାସୁଣୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ଜଳ ପରୀକ୍ଷାଗାରର ଲୋକାର୍ପଣ କରିଛନ୍ତି।

ପିପିପି ମୋଡ୍‌ରେ ପ୍ରତିଷ୍ଠା ହୋଇଥିବା ଏହି ପରୀକ୍ଷାଗାର ଲାଗି ୬୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହାଦ୍ୱାରା ଜଳର ମାନ ପରୀକ୍ଷା କରାଯାଇପାରିବ। ପୂର୍ବରୁ ଜଳର ମାନ ଜାଣିବା ଲାଗି ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ପୁଣେ ସମେତ ଅନ୍ୟ ସହରରେ ଥିବା ପରୀକ୍ଷାଗାରକୁ ଜଳ ପରୀକ୍ଷା କରିବା ଲାଗି ପଠାଯାଉଥିଲା। ସେଠାରୁ ରିପୋର୍ଟ ଆସିବା ପରେ ଜଳର ମାନ କ’ଣ ରହିଛି ତାହା ଜଣାପଡ଼ୁଥିଲା। ଯେଉଁଥିପାଇଁ ଜଳବାହିତ ରୋଗକୁ ପ୍ରତିରୋଧ କରିବାରେ ବିଳମ୍ବ ହେଉଥିଲା। ଏବେ କିନ୍ତୁ ସେଭଳି ଆଉ ହେବ ନାହିଁ। ଜଣ୍ଡିସ୍‌ ସମେତ ବିଭିନ୍ନ ଜଳବାହିତ ରୋଗର କାରଣ ଏଠାରେ ଖୋଜା ଯାଇପାରିବ। ଏଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହୃତ ହେବା ସହ ଉନ୍ନତମାନର ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଛି।

ଉଦ୍‌ଘାଟନୀ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ କର୍ପୋରେଟରମାନେ ଉପସ୍ଥିତ ଥିଲେ। ଉତ୍ତର ବିଧାୟକ ଶ୍ରୀ ମିଶ୍ରଙ୍କ କହିବାନୁଯାୟୀ, ରାଜଧାନୀବାସୀଙ୍କ ସମେତ ରାଜ୍ୟବାସୀଙ୍କ ଲାଗି ଏହି ପରୀକ୍ଷାଗାର ବେଶ୍‌ ସହାୟକ ହେବ। ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳର ପାଣି କିଭଳି ରହିଛି ତାହା ଯାଞ୍ଚ କରିହେବ। ପୁଣେ ଆଇଆଇଟିରେ ଯେଉଁଭଳି ଯାଞ୍ଚ ବ୍ୟବସ୍ଥା ରହିଛି ଏଠାରେ ମଧ୍ୟ ସେହି ସବୁ ସୁବିଧା ଉପଲବ୍ଧ କରାଯାଇଛି।

ସମ୍ବନ୍ଧିତ ଖବର