ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ଜଟଣୀ, ବୋଲଗଡ଼ ଓ ବେଗୁନିଆ ବ୍ଲକର ୩୩୭ଟି ଗାଁକୁ ମହାନଦୀର ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ । ଏନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଛନ୍ତି | ସୂଚନାନୁସାରେ, ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା ଓ ଜଟଣୀ ବ୍ଲକର ୩୩୭ ଟି ଗାଁକୁ ପାଇପ୍ ଯୋଗେ ଜଳ ଯୋଗାଇ ଦେବା ପାଇଁ ୨ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏହି ଜଳ ଯୋଗାଣ ପ୍ରକଳ୍ପ ପାଇଁ ୨୦୫୦ ସୁଦ୍ଧା ମହାନଦୀରୁ ୬୨ ନିୟୁତ ଲିଟର/ ପ୍ରତିଦିନ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜ୍ୟ ଜଳ ସମ୍ପଦ ବିଭାଗକୁ ୨୦୧୯ ଡିସେମ୍ବର ମାସରେ ଚିଠି ଲେଖିଥିଲେ । ଏହା ସହ ନିୟମ ମୁତାବକ ଆର୍ଡବ୍ଲୁଏସ୍ଏସ୍ ‘ଜେ’ ଫର୍ମରେ ଅନୁମତି ଲୋଡ଼ାଯାଇଥିଲା ।

Advertisment

ତେବେ ଜଳ ସମ୍ପଦ ବିଭାଗର ଏନେଇ କୌଣସି ପ୍ରତିକ୍ରିୟା ମିଳିନଥିବାରୁ ପୁଣିଥରେ ଚଳିତ ମାସରେ ନିର୍ବାହୀ ଯନ୍ତ୍ରୀ ଜଳ ସମ୍ବଳ ବିଭାଗକୁ ଚିଠି ଲେଖି ଅନୁମତି ମାଗିଛନ୍ତି । ଉପରୋକ୍ତ ଦୁଇଟି ମେଗା ପାଇପ୍ ଜଳ ପ୍ରକଳ୍ପ ବ୍ୟତୀତ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଭୁବନେଶ୍ୱର ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନସ୍ଥ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୩୦ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି । ଏହା ମଧ୍ୟରୁ ରାଜ୍ୟ ସରକାରଙ୍କ ଅନୁଦିତ ବସୁଧା ଯୋଜନାରେ ୨୫ଟି ଓ ନାବାର୍ଡର ଗ୍ରାମାଂଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍ଆଇଡିଏଫ୍) ଅନୁଦାନରେ ୫ଟି ପ୍ରକଳ୍ପ କାମ ଜାରି ରହିଛି । ଆର୍ଆଇଡିଏଫ୍ ଅନୁୁଦାନରେ ବାଲିଅନ୍ତା କଂଚିଲୋ, ବାଣପୁର ନରେନ୍ଦ୍ରପୁର, ଧଉଳି-ସରଦେଈପୁର, ଜଟଣୀ ତରାବୋଇ ଓ ଟାଙ୍ଗୀର ବଡ଼ନାଗରପାଟଣାରେ ପ୍ରକଳ୍ପ କାମ ଚାଲିଛି ।

publive-image

ସେହିଭଳି ବସୁଧା ଯୋଜନାରେ, ବାଲିପାଟଣାର ବନମାଳୀପୁର, ବାଣପୁରର ବଡ଼ସିରିପୁର, ବଳଡିହି ଓ ଭଟ୍ଟପଡ଼ା, ଭୁବନେଶ୍ୱର ବ୍ଲକର ନିସ୍ତରଣୀପୁର, ଡାଳୁଅ, ହାଟସାହି, ଜଟଣୀର ଉଗ୍ରସୁନ, ଜାଗସରା, ପିତାପଲ୍ଲୀ, ବେଲପଡ଼ା, ଖୋର୍ଦ୍ଧା ବ୍ଲକର ମାଧପୁର, ପାଣିଛତ୍ର, କଦଳୀବାଡ଼ି, ବନ୍ତଳ, ବିଙ୍କୁଡ଼ିଆ, ପୋଡ଼ାପୁଟ, ତାରାକଇ, ପାନବରଜ, ମୋଟା, ଓରମି, ସର୍ଦ୍ଧାପୁର, ଟାଙ୍ଗୀ ବ୍ଲକର ନାଳସିଂହ, ନୂଆଗାଁ । ଏହି ସମସ୍ତ କାମ ଚଳିତ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ଓ ଏହା ଦ୍ୱାରା ପ୍ରାୟ ୨୫୦ ଗାଁକୁ ପାଇପ ଜଳ ଯୋଗାଣ କରାଯାଇପାରିବ ବୋଲି ବିଭାଗୀୟ ସୂତ୍ରରୁ କୁହାଯାଇଛି |