ସୁନ୍ଦରଗଡ଼: ଖବରରେ ସଂଲଗ୍ନ ଫଟୋଟି ଅନେକ କଥା କହୁଛି। ପାଣି ପାଇଁ ଜୀବନକୁ ପାଣି ଛଡ଼ାଇ ଭରାନାଳ ପାରି ହେଉଛନ୍ତି ଦଳଦଳ ମହିଳା। ହାତରେ, କାଖରେ ଗରା, ବାଲ୍‌ତି। ନାଳରେ କେଉଁଠି ଅଣ୍ଟାଏ ତ କେଉଁଠି ଛାତିଏ ପାଣି। ଟିକିଏ ଅସାବଧାନ ହେଲେ ସୁଅରେ ଭାସିଯିବାର ଭୟ ରହିଛି। ତଥାପି ପିଇବା ପାଣି ଗରାଏ ପାଇଁ ନାଳ ଆରପଟ ଗାଁକୁ ଜୀବନକୁ ଏମିତି ପାଣି ଛଡ଼ାଇ ଯାଉଛନ୍ତି। ଅଭାବନୀୟ ଚିତ୍ରଟି ଆସିଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଗୋପାଳପୁର ପଞ୍ଚାୟତର ନାକଟିଦେଉଳ ଗାଁରୁ।

Advertisment

ଯେଉଁ ସମୟରେ ସରକାର ପ୍ରତି ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା କଥା କହୁଛନ୍ତି, ସେହି ସମୟରେ ଦିନେ କି ଦୁଇଦିନ ନୁହେଁ, ପୂରା ବର୍ଷା ଋତୁ ସାରା ପ୍ରତିଦିନ ଏମିତି ଜଳଯନ୍ତ୍ରଣା ଭୋଗନ୍ତି ଗାଁର ମହିଳା। ବିଡ଼ମ୍ବନାର ବିଷୟ ହେଲା, ଗାଁଟି ରହିଛି ମହାନଦୀ ଖୋଲାମୁହଁ କୋଇଲାଖଣି ଅଞ୍ଚଳରେ। ଯେଉଁ ଅଞ୍ଚଳର ବିକାଶ ପାଇଁ  ଜିଲ୍ଲାରେ ରହିଛି ହଜାରେ କୋଟି ଟଙ୍କାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଓ ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ(ଓମ୍‌ବାଡ୍‌ସି)।

ଗୋପାଳପୁର ପଞ୍ଚାୟତର ନାକଟିଦେଉଳରେ ରହିଛି ୫୦ ଘର, ବସବାସ କରନ୍ତି  ୩ ଶହ ଲୋକ। ଗାଁର ବଡ଼ ଦୁଃଖ ହେଉଛି ଗାଁ ମୁଣ୍ଡରେ ଥିବା ନାଳ। ବର୍ଷାଦିନେ ନାଳ ଭରିଯାଏ। ଗାଁରେ ଥିବା ନଳକୂଅରେ ପାନୀୟ ଅଯୋଗ୍ୟ ଗୋଳିଆ ପାଣି ବାହାରେ। ଯାହା ଫଳରେ ମହିଳାମାନେ ବର୍ଷା ଋତୁରେ ଭରାନାଳ ପାରିହୋଇ ଆରପଟ ଗାଁ ତେଲେନଡିହିକୁ ପାଣି ଆଣିବାକୁ ଯାଆନ୍ତି। ତେଲେନଡ଼ିହି ଗାଁ ଅବସ୍ଥା ଆହୁରି ଶୋଚନୀୟ।  ଏହି ନାଳ ହିଁ ଗାଁର ପଥ ଓଗାଳିଛି କହିଲେ ଭୁଲ୍ ହେବନାହିଁ। ଅନ୍ୟ ଋତୁରେ ଜୀବନଯାପନ କଷ୍ଟେମଷ୍ଟେ ଚଳି ଯାଉଥିବାବେଳେ ବର୍ଷାରେ ଗାଁଟି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ।
ଗାଁ ସ୍କୁଲକୁ ବହିବସ୍ତାନି ଧରି ପିଲା ତ ଯାଆନ୍ତି, ହେଲେ ଶିକ୍ଷକ ନାଳ ଡେଇଁ ଆସିବା ସମ୍ଭବ ହୋଇ ନଥାଏ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସମେତ ସରକାରଙ୍କ ସମସ୍ତ ଯୋଜନା ଭରାନାଳ ସାମ୍‌ନାରେ ଅଟକି ଯାଏ।