ମାଲକାନଗିରି: ଗତ ଦୁଇ ଦନ ହେଲା ଶୀତର ଅନୁଭୁତି ହେଉଛି। ଶୀତଦିନ ଆସିଗଲେ ସମସ୍ତଙ୍କ ମନରେ ଉତ୍ସକତା ବଢିଯାଏ। କୁଆଡେ ବୁଲିଯିବା ପାଇଁ, ନଚେତ ବଣ ଭୋଜି କରିବା ପାଇଁ। ସହରର ଚାକଚକ୍ୟ, ଗାଡି ମଟରର ଗର୍ଜନ, ବାୟୁମଣ୍ଡଳର ବିଷାକ୍ତ ବଳୟ ଠାରୁ ଦୂର ଶାନ୍ତ ପରିବେଶରେ ସମୟ ବିତାଇବାକୁ ସମସ୍ତଙ୍କର ଇଛା ହୁଏ। ଚାଲନ୍ତୁ ଏଥର ବୁଲିଯିବା ଏମିତି ଏକ ଶାନ୍ତ, ସୁନ୍ଦର, ବିଶୁଦ୍ଧ ପରିବେଶକୁ।

Advertisment

ମାଲକାନଗିରି ଜିଲ୍ଲାରେ ରହିଥିବା ବିଭିନ୍ନ ଲୁକ୍କାୟତ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ବଣ୍ଡାଘାଟିରେ ରହିଥିବା ‘ଡାଲଖାଇ‘ ଜଳପ୍ରପାତକୁ। ଜିଲ୍ଲାର ଖଇରପୁଟ ବ୍ଲକ ସଦର ମହକୁମାରୁ ମୁଦୁଲିପଡ଼ା ଗଲାବେଳେ ପ୍ରାୟ ୮ କିଲୋମିଟର ଯିବା ପରେ ପର୍ବତ ଶିଖରରେ ପହଁଚିବାକୁ ପଡେ। ପାହାଡ ଶିଖରରେ ପହଞ୍ଚିଲା ପରେ ଲାଗେ ସତେ ଯେମିତି ବାଦଲ ଦୁନିଆରେ ପଶିଯାଇଛୁ। ଦୂର ଦିଗବଳୟରେ ଥିବା କୁହୁଡି ବାଦଲର ଭ୍ରମ ସୃଷ୍ଟି କରେ। ସତେ ଅବା ଲାଗେ କୁହୁଡି ଦୂର ପର୍ବତକୁ ଚୁମ୍ବନ କରୁଛି।ସେଠାରେ ଥିବା ଡାଲଖାଇ ମନ୍ଦିରରେ କେବଳ ଖଣ୍ଡେ ଡାଲ ଦେଲେ ମା‘ଦୁର୍ଗା ଖୁସି ହୋଇଯାଆନ୍ତି ବୋଲି ଲୋକମାନେ ବିଶ୍ୱାସ କରନ୍ତି। ସେଠାରୁ ମାତ୍ର ୧୦୦ ମିଟର ଗଲା ପରେ ପଡେ ଡାଲଖାଇ ନାଳର ଲୁହା ପୋଲ।ଏହି ପୋଲରେ ପର୍ଯ୍ୟଟକମାନେ ସେଲଫି ନେବାକୁ ଭୁଲନ୍ତି ନାହିଁ। ସେଠାରେ ଗାଡି ରଖି ନଦୀର ବାମ ପଟେ ଚାଲିଚାଲି ପ୍ରାୟ ୮୦୦ ମିଟର ଗଲା ପରେ ପଡେ ଡାଲଖାଇ ଜଳପ୍ରପାତ।

publive-image

ନଦୀର କୁଳୁକୁଳୁ ଶବ୍ଦ ସହ ପାହାଡ଼ର ନୀରବତା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦିଏ। କିଛିବାଟ ଚାଲିକି ଆସିଥିବା କଷ୍ଟ ମୁହୂର୍ତ୍ତକରେ ଦୂର ହୋଇଯାଏ। ସେଠାରେ ଥିବା ଖୋଲା ପଥରରେ ଭୋଜି କରିବା ସହ ପାଖରେ ବହିଯାଉଥିବା ନଦୀରେ ଗାଧେଇବା ଅନ୍ୟ ଏକ ନିଆରା ମଜା। ପାହାଡ଼ ଉପରୁ ପଡୁଥିବା ଜଳରାଶିରେ ଗାଧୋଇବା ମଜାକୁ ଦ୍ବିଗୁଣିତ କରିଦିଏ। ପଥର ଉପରେ ଚଳି ସୁଉଚ୍ଚରୁ ପଡୁଥିବା ପାଣିରେ ଗାଧୋଇବା ବିପଦ ରହିଥିଲେ ମଧ୍ୟ ଅତି ସତର୍କତାର ସହ ପର୍ଯ୍ୟଟକ ସେଠାକୁ ଯାଇ ଗାଧୋଇବାର ମଜା ନିଅନ୍ତି। ଜିଲ୍ଲାରେ ରହିଥିବା ଯେତେ ଜଳପ୍ରପାତ ମଧ୍ୟରେ ଏହି ଜଳପ୍ରପତା ଅନନ୍ୟ।

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏହି ଜଳପ୍ରପାତ ରହିଯାଇଛି। କେବଳ ସ୍ଥାନୀୟ ଲୋକେ ହିଁ ଏହି ଜଳପ୍ରପାତ ସଂପର୍କରେ ଅବଗତ ରହିଛନ୍ତି। ପର୍ଯ୍ୟଟକ ଚାହିଁଲେ ଏଠାରେ ରାତିରେ କ୍ୟାମ୍ପ କରି ମଧ୍ୟ ରହିପାରିବେ। ସ୍ଥାନୀୟ ବଣ୍ଡା ଯୁବକ ନନ୍ଦ ଶିଶାଙ୍କ କହିବା ଅନୁଯାୟୀ ଯଦି କେହି ନୂଆ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି ତେବେ ମଦୁଲିପଡାରେ ରହିଥିବା ସାମାଜିକକ ସଂଗଠନ ବଣ୍ଡା ରେମୋଲେନା କୁଟୁମ ସହ ଯୋଗାଯୋଗ କରନ୍ତୁ। ସେମାନେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ କହିଥିଲେ। ଯଦି କୋରାପୁଟ ଜିଲ୍ଲାର ଲମତାପୁଟ ରାସ୍ତା ଦେଇ ଆସୁଛନ୍ତି ତେବେ ସେମାନେ ଅଣ୍ଡ୍ରାହାଲ ଦେଇ ମୁଦୁଲିପଡା ପହଞ୍ଚିବା ପରେ ସେଠାରୁ ଖଇରପୁଟ ଯିବା ବେଳେ ମାତ୍ର ୪ କିଲୋମିଟର ଗଲାପରେ ଏହି ଜଳପ୍ରପାତ ପଡେ। ଆସନ୍ତୁ ଥରେ ବଣ୍ଡାଘାଟିରେ ବୁଲିବା ଜଳପ୍ରବାତର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ।