କାଲିମେଳା : ଅବିଭକ୍ତ କୋରାପୁଟ ଜିଲ୍ଲା ହେଉଛି ପ୍ରକୃତିର ଗନ୍ତାଘର। ଏଠାରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନ ରହିଥିବା ବେଳେ ଅନେକ ସ୍ଥାନ ଏବେବି ଲୁକାୟିତ ଅବସ୍ଥାରେ ରହିଛି। ଏଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଚିନ୍ତଲବାଡ଼ା ପାହାଡ଼ ଉପରେ ଥିବା ଏକ ବୃହତ୍ ଜଳପ୍ରପାତ ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକଲୋଚନକୁ ଆସିଛି।
କାଲିମେଳା ବ୍ଲକ୍ ଭେଜାଙ୍ଗିବାଡ଼ା ଗ୍ରାମପଞ୍ଚାୟତର ଚିନ୍ତଲବାଡ଼ା ପାହାଡ଼ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ଦିନେ ନକ୍ସଲ ରାଜ ଚାଲିଥିଲା ହେଲେ ଆଜି ସେ ସମୟ ଆଉ ନାହିଁ। ପୂର୍ବରୁ ନକ୍ସଲ ଭୟରେ ଲୋକମାନେ ଜଙ୍ଗଲ ପାହାଡ଼କୁ ଯିବାକୁ ଭୟ କରୁଥିବା ବେଳେ ଏବେ ନକ୍ସଲ ଆତଙ୍କ କମିବା ପରେ ଲୋକମାନେ ନିର୍ଭୟରେ ଜଙ୍ଗଲ ପାହାଡ଼କୁ ଯାଇପାରୁଛନ୍ତି। ଫଳରେ ଏହି ପାହାଡ଼ରେ ରହିଥିବା ଅନେକ ସୁନ୍ଦର ପ୍ରାକୃତିକ ସ୍ଥାନ ଏବେ ଲୋକଲୋଚନକୁ ଆସିବାରେ ଲାଗିଛି। ପୂର୍ବରୁ ଏହି ପାହାଡ଼ ଭିତରେ ଡକରାଇଯୋଡ଼ି ପରି ଏକ ସୁନ୍ଦର ପ୍ରାକୃତିକ ସ୍ଥାନ ଲୋକଲୋଚନକୁ ଆସିପାରିଥିବା ବେଳେ ବର୍ତମାନ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ବୃହତ ଜଳପ୍ରପାତ ଠାବ ହୋଇଛି।
ଚିନ୍ତଲବାଡ଼ା ପାହାଡ଼ର ଶୀର୍ଷରେ ରହିଛି ଏହି ସୁନ୍ଦର ଜଳପ୍ରପାତ। କଳାମୁଗୁନି ପଥରର ଛାତି ଚିରି ପ୍ରାୟ ଶହେ ଫୁଟ ତଳକୁ ଲମ୍ବିଆସିଛି ଏହି ଜଳପ୍ରପାତ। କୁଳୁକୁଳୁ ନାଦରେ ଝରଝର ଶବ୍ଦରେ ଜଙ୍ଗଲର ନୀରବତାକୁ ଭେଦ କରି ବହିଯାଉଥିବା ଏହି ସୁନ୍ଦର ଜଳପ୍ରପାତକୁ ପ୍ରଥମ ଥର ପାଇଁ ଦେଖି ଦର୍ଶକ ବେଶ ଆନମନା। ଏହି ସୁନ୍ଦର ଦୃଶ୍ୟକୁ କିଏ ମୋବାଇଲରେ କଏଦ କରିବାକୁ ଚେଷ୍ଟା କରୁଥିବା ବେଳେ ଆଉ କିଏ ସେଲଫି ନେବାକୁ ପଛାଉନାହିଁ। ହେଲେ ଚିନ୍ତଲବାଡ଼ା ଗ୍ରାମବାସୀଙ୍କ ସହାୟତରେ ଆମ କାଲିମେଳା ପ୍ରତିନିଧି ୧୦ ହଜାର ଫୁଟ ପାହାଡ଼ ଉପରେ ଥିବା ଏହି ସୁନ୍ଦର ଜଳପ୍ରପାତକୁ ଠାବ କରିବାରେ ସଫଳ ହୋଇଥିଲେ। ପ୍ରାୟ ୩ ଘଣ୍ଟା ପାହାଡ଼ ଚଢ଼ିବା ପରେ ଏହି ଜଳପ୍ରପାତ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲେ।
ଅବିଭକ୍ତ କୋରାପୁଟ ଜିଲ୍ଲାର ଡ଼ୁଡ଼ୁମା ଜଳପ୍ରପାତ ହେଉ କି ମାଲକାନଗିରି ଜିଲ୍ଲାର ପଡ଼ୋଶୀ ଛତିଶଗଡ଼ ରାଜ୍ୟର ତିରତଗଡ଼ ଜଳପ୍ରପାତ ହେଉ ବର୍ଷ ସାରା ଏଇଠି ଲାଗିଥାଏ ପର୍ଯ୍ୟଟକଙ୍କ ଗହଳି। ଟିକିଏ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଶହ ଶହ ମାଇଲ ଯିବାକୁ ପଛାଇ ନଥାନ୍ତି ଦର୍ଶକ। ତେବେ ଚିନ୍ତଲବାଡ଼ା ପାହାଡ଼ରେ ରହିଥିବା ଏହି ସୁନ୍ଦର ଜଳପ୍ରପାତ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। କିନ୍ତୁ ଏହି ସ୍ଥାନକୁ କୌଣସି ରାସ୍ତା ନାହିଁ। ଚିନ୍ତଲବାଡ଼ା ଗ୍ରାମ ଠାରୁ ପରଜାଗୁଡ଼ା ଗ୍ରାମ ଦେଇ ଏହି ପାହାଡ଼କୁ ଚଢ଼ିବାକୁ ପଡ଼ିଥାଏ। ପରଜାଗୁଡ଼ା ଗ୍ରାମ ଠାରୁ ପ୍ରାୟ ୩ କିମି ପାହାଡ଼ ଚଢ଼ି ଏହି ସ୍ଥାନରେ ପହଞ୍ଚିବାକୁ ହୋଇଥାଏ। ତେବେ ଏହା ଏତେ ସହଜ ନୁହେଁ। ଗ୍ରାମବାସୀ ଜଣେ ନିଖୋଜ ବ୍ୟକ୍ତିକୁ ଖୋଜିବାକୁ ଯାଇଥିବା ବେଳେ ଏହି ସୁନ୍ଦର ସ୍ଥାନଟିର ସନ୍ଧାନ ପାଇ ଆମ କାଲିମେଳା ପ୍ରତିନିଧି ଦୁଃଶାସନ ମହାପାତ୍ରଙ୍କୁ ଖବର ଦେଇଥିଲେ। ତେବେ ଏହାର ଉନ୍ନତୀକରଣ କରାଗଲେ ଏହି ସ୍ଥାନଟି କେବଳ ମାଲକାନଗିରି ନୁହେଁ ଅବିଭକ୍ତ କୋରାପୁଟ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ବେଶ ଆକର୍ଷଣୀୟ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି।