ନଦୀନାଳ ଶୁଖିଲା: ଗ୍ରୀଷ୍ମଋତୁରେ ପାଣି କେବଳ ମଣିଷ ପାଇଁ ନୁହେଁ, ପଶୁପକ୍ଷୀଙ୍କ ପାଇଁ ବି ମୃଗତୃଷ୍ଣା

ମାଲକାନଗିରି: ମାଲକାନଗିରି ଏବେ ଜଳୁଛି। ପାରଦ ୪୪ ଡିଗ୍ରି ଟପିଲାଣି। ସକାଳ ୬ଟାରୁ ହିଁ ପ୍ରବଳ ଗରମ ଅନୁଭୁତି ହେଉଛି। ଘରୁ ପଦାକୁ ବାହାରିବା ମୁସିକିଲ ହୋଇପଡିଲାଣି। ଜିଲ୍ଲାବାସୀ ଏବେ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି। ଗରିବ ଲୋକଙ୍କ ଘରେ ଫ୍ୟାନ କିମ୍ବା ଏସି ନଥିବାରୁ ସେମାନଙ୍କୁ ଦୁର୍ଦଶା ଦ୍ବିଗୁଣିତ ହୋଇଛି। ଗୋଟିଏ ଦିଗରେ ଲୋକେ ଗରମ ଯୋଗୁଁ ଆଉଟୁପାଉଟୁ ହେଉଥିବା ବେଳେ ପାଣି ପାଇଁ ମଧ୍ୟ ଡହଳ ବିକଳ ହେଲେଣି। ଜିଲ୍ଲାର ବହୁ ନଦୀନାଳ ଏବେ ଶୁଖିଲା ପଡିଛି, ଯେଉଁ ବନ୍ଧଗୁଡିକରେ ପାଣି ଥିଲା, ସେହି ବନ୍ଧଗୁଡିକ ସରକାରଙ୍କ ତରଫରୁ ପୁନରୁଦ୍ଧାର କରାଯାଉଥିବାରୁ ସବୁ ପାଣି ଶୁଖାଇ ଦିଆଯାଇଛି। ଦୁର୍ଗମ ଅଂଚଳ କଥା ନକହିବା ଭଲ।ଲୋକେ ପାଣି ମୁନ୍ଦାଏ ପାଇଁ ମାଇଲ ମାଇଲ ବାଟ ଚାଲିଲେଣି।ବିଶେଷକରି ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳବାସୀ ଏବଂ ବଣ୍ଡାଘାଟିର ପାହାଡ ଉପରେ ବସବାସ କରୁଥିବା ଜନଜାତିଙ୍କର ଅବସ୍ଥା ସାଂଘାତିକ ହୋଇଗଲାଣି।ଚୁଆରୁ ମଧ୍ୟ ପାଣି ଆଉ ବାହାରୁ ନାହିଁ।

ପାହାଡିଆ ନଦୀ ତଟରେ ଚୁଆ ଖୋଳି କିଛି ଗ୍ରାମବାସୀ ପାଣି ପାଉଥିବା ବେଳେ ଏବେ ନଦୀରେ ପାଣି ଶୁଖିବାରୁ ସେଥିରୁ ମଧ୍ୟ ପାଣି ବାହାରୁ ନାହିଁ। ଏହି ଗ୍ରୀଷ୍ଣରେ କେବଳ ମଣିଷ ହିଁ ପାଣି ପାଇଁ ହିନସ୍ତା ହେଉ ନାହାନ୍ତି। ବରଂ ପଶୁପକ୍ଷୀ ମଧ୍ୟ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି। ଜଂଗଲରେ ପଶୁପକ୍ଷୀଙ୍କ ସହ ଘରେ ପାଳିଥିବା ପଶୁପକ୍ଷୀ, ବୁଲା ଗାଈଗୋରୁ, କୁକୁର ଭଳି ପଶୁ ପାଣି ପାଇଁ ନଳକୂପ ନିକଟରେ ଏବଂ ପାଇପ ନିକଟରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। କେହି ଯଦି ସହୃଦୟ ବ୍ୟକ୍ତି ନଳକୂପରୁ ପାଣି ନିଏ ତେବେ ସେହି ପାଣି ମୁନ୍ଦାଏକୁ ସେମାନେ ଜଗି ରହିଥାନ୍ତି।

ବୁଲା କୁକୁରମାନେ ପାଣି ପାଇଁ ହଇରାଣ ହେଉଥିବା ଦେଖି ସ୍ଥାନୀୟ ଯୁବକ ସ୍ବାଧୀନ ବେହେରା ତୁରନ୍ତ ପାଣି ଆଣି ଗୋଟିଏ ମା‘ କୁକୁରର ଜୀବନ ବଞ୍ଚାଇଥିଲେ। ଏହା ଦେଖି ଅନ୍ୟ କୁକୁରମାନେ ମଧ୍ୟ ଭିଡ଼ ଜମାଇଥିଲେ। ସମସ୍ତ କୁକୁରଙ୍କୁ ସ୍ବାଧୀନ ବେହେରା ପାଣି ଦେଇ ତୃଷା ମେଣ୍ଟାଇଥିଲେ।ପାଣି ଏବେ ପଶୁପକ୍ଷୀଙ୍କ ପାଇଁ ମୃତତୃଷ୍ଣା ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ସହରରେ ବୁଲୁଥିବା ଗାଈଗୋରୁ ଏବଂ ଜଂଗଲରେ ଚରୁଥିବା ଗାଈଗୋରୁ ପାଣି ଓ ଛାଇ ଟିକକ ପାଇଁ ବହୁ ହଇରାଣ ହେଉଛନ୍ତି। ଜଂଗଲରେ ଚରୁଥିବା ଗାଈଗୋରୁଙ୍କୁ ଗଛ ଛାଇ ଆଶ୍ରା ଦେଇଥିଲେ ମଧ୍ୟ ସହରରେ ବୁଲୁଥିବା ଗାଈ,କୁକୁରଙ୍କୁ ଛାଇ ଟିକକ ମିଳୁ ନାହିଁ। ଫଳରେ ସେମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର