ଜଳଯୋଗାଣ ପାଇଁ ଏବେ ୱାଟସନ୍‌ କମିଟି

୬ଜଣଙ୍କୁ ନେଇ ଗଠନ ହେବ
କର୍ପୋରେଟର ବା କାଉନସିଲର ରହିବେ ଅଧ୍ୟକ୍ଷ

ଭୁବନେଶ୍ୱର : ଜଳଯୋଗାଣ ଓ ପରିମଳ ବ୍ୟବସ୍ଥାର ପରିଚାଳନା ପାଇଁ ପ୍ରତ୍ୟେକ ପୌରାଞ୍ଚଳରେ ଗଠନ ହେବ ଜଳ ଏବଂ ପରିମଳ (ୱାଟସନ୍‌) କମିଟି। ଛଅ ଜଣିଆ ସଦସ୍ୟ ବିଶିଷ୍ଟ ଏହି କମିଟି ପ୍ରତି ୱାର୍ଡରେ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥାର ତଦାରଖ କରିବେ।

ୱାଟ୍‌ସନ୍‌ କମିଟିରେ ସ୍ଥାନୀୟ କର୍ପୋରେଟର କିମ୍ବା କାଉନ୍‌ସିଲର ଅଧ୍ୟକ୍ଷ ପଦରେ ରହିବା ସିହତ ସମ୍ପୃକ୍ତ ୱାର୍ଡରେ ନିୟୋଜିତ ପୌରାଞ୍ଚଳ ପ୍ରତିନିଧି ଯଥା ଟିକସ ଆଦାୟକାରୀ, ସାନିଟାରି ଇନ୍‌ସପେକ୍ଟର, କମ୍ୟୁନିଟି ଅର୍ଗାନାଇଜର ଆଦି ରହିବେ। ସେହିଭଳି ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନି ପ୍ରତିନିଧି, ଅଙ୍ଗନବାଡି ଓ ଆଶା କର୍ମୀ ଆଦି ସଦସ୍ୟ ରହିବେ। ପ୍ରତି ୱାର୍ଡରେ ୱାର୍ଡ ୱାଟର ମନିଟର କନ୍‌ଭେନ୍‌ର ଭାବେ ସ୍ଥାନ ପାଇବା ସହିତ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦକ କିମ୍ବା ସଭାପତି, ମହିଳା ଆରୋଗ୍ୟ ସମିତି କିମ୍ବା ୱାର୍ଡ କଲ୍ୟାଣ ସମିତିର ସଭାପତି ଅଥବା ସମ୍ପାଦକ ଏବଂ ସେହି ୱାର୍ଡର ବାସିନ୍ଦା ହୋଇଥିବା ବିଜୁ ଯୁବ ବାହିନୀର ସଦସ୍ୟ ୱାଟ୍‌ସନ କମିଟିକୁ ମନୋନୀତ ହେବେ।

ଏହି କମିଟିରେ ସର୍ବାଧିକ ୬ଜଣ ସଦସ୍ୟ ରହିପାରିବେ। ସାତ ଦିନ ମଧ୍ୟରେ ପୌରାଞ୍ଚଳର କମିସନର କିମ୍ବା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତି ୱାର୍ଡରେ କମିଟି ଗଠନ ଲାଗି ନୋଟିସ୍‌ ଜାରି କରିବେ। ୱାର୍ଡ ସ୍ତରରେ ଜଳ ଯୋଗାଣ, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା, ଖୋଲାରେ ମଳତ୍ୟାଗ ନିଷେଧ ଆଦି ଲାଗି ଏହି କମିଟି ଉତ୍ତରଦାୟୀ ରହିବ।
ପୌରାଞ୍ଚଳରେ ଶତ ପ୍ରତିଶତ ଲୋକେ ଯେଭଳି ଜଳଯୋଗାଣ ସୁବିଧା ପାଇବେ ସେଥିପାଇଁ ଧାର୍ଯ୍ୟ ତାରିଖରେ ଜଳ ଯୋଗାଣ ମେଳା ଆୟୋଜିତ ହେବ। ଏହି ମେଳା ଦ୍ୱାରା କେବଳ ଜଳ ସଂଯୋଗ ନୁହେଁ ଲୋକେ କିଭଳି ଜଳ ସଂରକ୍ଷଣ କରିବେ ତାହା ଉପରେ ସେମାନଙ୍କୁ ସଚେତନ କରାଯିବ। ପ୍ରତି ମାସରେ ୱାର୍ଡ ସ୍ତରରେ କମିଟିର ବୈଠକ ବସିବ। ସାଧାରଣ ଲୋକେ ଜଳଯୋଗାଣ ସଂକ୍ରାନ୍ତରେ ଯେଉଁ ମତ ପ୍ରଦାନ କରିବେ ତାହାକୁ ସ୍ଥାନୀୟ ପୌରସଂସ୍ଥା ଅଥବା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରିବେ।

ଲୋକେ କିଭଳି ସଚେତନ ହୋଇ ଆବଶ୍ୟକ ମୁତାବକ ଜଳ ବ୍ୟବହାର କରିବେ ଓ ସେମାନଙ୍କୁ ନିୟମିତ ଜଳ ଯୋଗାଇ ଦିଆଯିବ ସେ ଦିଗରେ କମିଟି ଧ୍ୟାନ ଦେବେ। ସେହିଭଳି ୱାର୍ଡ ସ୍ତରରେ ୱାଟର ମନିଟର ନିୟୋଜିତ ହେବେ। ଜଣେ ବ୍ୟକ୍ତି କିମ୍ବା କୌଣସି ଗୋଷ୍ଠୀକୁ ଏହି ଦାୟିତ୍ୱ ପ୍ରଦାନ କରାଯିବ। କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ସହାୟକ ଗୋଷ୍ଠୀ କିମ୍ବା ବିଜୁ ଯୁବ ବାହିନୀର ସଦସ୍ୟ ମନିଟର ଭାବେ ଦାୟିତ୍ୱ ତୁଲାଇବେ। ପ୍ରାରମ୍ଭରେ ଏହି ମନିଟର ମାନଙ୍କୁ ପ୍ରତ୍ୟେକ ସଫଳ ଜଳ ସଂଯୋଗ ଲାଗି ୧୦୦ ଟଙ୍କା କରି ପ୍ରଦାନ କରାଯିବ ଏବଂ ଏହାକୁ ଜନସ୍ୱାସ୍ଥନ ସମ୍ପ୍ରସାରଣ ଅଧିକାରୀ ବହନ କରିବେ। ୱାଟର ମନିଟରମାନେ ୱାର୍ଡବାସିନ୍ଦା ଏବଂ ପୌରସଂସ୍ଥା ମଧ୍ୟରେ ସେତୁଭଳି କାର୍ଯ୍ୟକରିବେ।

ସମ୍ବନ୍ଧିତ ଖବର