ଗୃହ ସ୍ବାଭାବିକ ପାଇଁ ବାଟ ଖୋଲିଲା

ସର୍ବଦଳୀୟ ବୈଠକ ପରେ ବାଚସ୍ପତିଙ୍କ ରୁଲିଂ, ଆଜି ଧାନ କିଣା ପ୍ରସଙ୍ଗରେ ମନ୍ତ୍ରୀ ବିବୃତି ରଖିବେ

ଭୁବନେଶ୍ବର : ୬ ଦିନର ଅଚଳାବସ୍ଥା ପରେ ଗୃହ ସ୍ବାଭାବିକ ହେବା ନେଇ ବାଟ ଫିଟିଛି। ଗୁରୁବାର ଅପରାହ୍ନରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ଦୈଠକ ପରେ ଏ ନେଇ ସଙ୍କେତ ମିଳିଛି। ବୈଠକ ପରେ ଶ୍ରୀ ପାତ୍ର ଗୃହରେ ରୁଲିଂ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆସନ୍ତାକାଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୂର୍ବାହ୍ନ ୧୧ଟା ୩୦ରେ ଚାଷୀଙ୍କଠାରୁ ଧାନ କିଣା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଘୋଷଣା କରିବେ। ଏହାସହିତ ବିଜେପିର ଦେବଗଡ଼ ବିଧାୟକ ଗୃହର ଗରିମା କ୍ଷୁଣ୍ଣ କରିଥିବା ନେଇ ଯାହା ଅଭିଯୋଗ ହୋଇଛି ତାକୁ ଆଉ ଗୃହରେ ଉପସ୍ଥାପିତ ହେବ ନାହିଁ। ବିଧାୟକଙ୍କ ଆଚରଣ ନେଇ ସ୍ବତନ୍ତ୍ର ସ୍ବାଧିକାର କମିଟି ଅନୁଧ୍ୟାନ କରିବ। ଏହାସହିତ ଗୃହରେ ଆଲୋଚନା ହେବାକୁ ଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଖର୍ଚ୍ଚଦାବି ଆସନ୍ତା ୩୦ ତାରିଖରେ ଗିଲୋଟିନ୍‌ ଜରିଆରେ ଗ୍ରହଣ କରାଯିବ ବୋଲି ଘୋଷଣା କରି ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ରଖିଛନ୍ତି।

ସୁତ୍ର ମୁତାବକ ଗୁରୁବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଯାଇଥିବା ବିଜେପି ବିଧାୟକମାନେ ଗଣମାଧ୍ୟମରେ ଏକାଧିକ ସୂଚନା ଦେଇଥିବା ନେଇ ଆପତ୍ତି ଉଠାଇଥିଲେ। ବିଶେଷକରି ମୁଖ୍ୟମନ୍ତ୍ରୀ ଗୃହକୁ ନ ଆସି ସେଠାରେ ହିଁ ଧାନ କିଣା ପ୍ରସଙ୍ଗରେ ବିଧାୟକମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି କି ବୋଲି ପଚାରିବାରୁ ବିରୋଧୀ ଦଳ ନେତାଙ୍କ ଠାରୁ ଆରମ୍ଭ କରି ବିଜେପିର ଅନ୍ୟ ବିଧାୟକମାନେ ଏପରି ମୁଖ୍ୟମନ୍ତ୍ରୀ କହି ନଥିବା କହିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଦେବଗଡ଼ ବିଧାୟକଙ୍କ କଥା ସ୍ବତନ୍ତ୍ର ସ୍ବାଧିକର କମିଟିକୁ ପଠାଇବାକୁ ସେ ଗତକାଲି ସର୍ବଦଳୀୟ ବୈଠକରେ ବାଚସ୍ପତିଙ୍କୁ ଜଣାଇଥିଲେ। ଆସନ୍ତାକାଲି ଧାନ କିଣା ନେଇ ବିଭାଗୀୟ ମନ୍ତ୍ରୀ କଣ ଗୃହରେ ବିବୃତି ରଖୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି। ତା ନହେଲେ କଂଗ୍ରେସ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ। ସେହିପରି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ଚରଣ ମାଝୀ କହିଛନ୍ତି, ଯଦି ମନ୍ତ୍ରୀଙ୍କ ବିବୃତିରେ ଚାଷୀଙ୍କର ସମସ୍ତ ଧାନ କିଣିବା ନେଇ ନିର୍ଭର ପ୍ରତିଶ୍ରୁତି ନ ମିଳେ ତାହେଲେ ପୁଣି ଥରେ ଗୃହ ଅଚଳ ହେବ।

ସମ୍ବନ୍ଧିତ ଖବର