ରାଉରକେଲା: ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ପାର୍ଶ୍ବରେ ସ୍ଥାପନ ହୋଇଛି ରାସ୍ତା ପାର୍ଶ୍ବ ପଥପ୍ରାନ୍ତ କେନ୍ଦ୍ର (ୱେ ସାଇଡ୍‌ ଏମିନିଟି ସେଣ୍ଟର)। ଆଜିକୁ ୪ ବର୍ଷ ତଳେ ଅର୍ଥାତ୍‌ ୨୦୧୮ରେ ଉଦ୍‌ଘାଟନ ହୋଇଥିବା ଏହି କେନ୍ଦ୍ରରୁ ଯାତ୍ରୀ ଓ ପର୍ଯ୍ୟଟକମାନେ ଯେତିକି ସୁବିଧା ପାଇବା କଥା, ତା’ ପାଉ ନାହାନ୍ତି। ଏମିତିକି ରାସ୍ତା ପାର୍ଶ୍ବରେ ପଥପ୍ରାନ୍ତ କେନ୍ଦ୍ର କାହିଁକି ସ୍ଥାପନ ହୋଇଛି ପର୍ଯ୍ୟଟକମାନେ ଏଯାଏଁ ଜାଣି ପାରିଲେ ନାହିଁ। ପ୍ରତ୍ୟେକ କେନ୍ଦ୍ରରେ ଜଳପାନ, ଶୌଚାଳୟ ଓ ପାର୍କିଂ ବ୍ୟବସ୍ଥା ରହିଛି। ପିଲାମାନଙ୍କ ମନୋରଞ୍ଜନ ପାଇଁ ରହିଛି ଶିଶୁ ଉଦ୍ୟାନ। ରକ୍ଷଣାବେକ୍ଷଣ ଦାୟତ୍ବ ଘରୋଇ ସଂସ୍ଥାକୁ ଦିଆଯାଇଛି। ବର୍ଷ ବର୍ଷ ଧରି ରକ୍ଷଣାବେକ୍ଷଣ ବାବଦରେ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଗଣୁଛନ୍ତି। କିନ୍ତୁ ଯାତ୍ରୀ ଓ ପର୍ଯ୍ୟଟକ ଯେତିକି ଆସିବା କଥା, ସେତିକି ଆସୁ ନାହାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

କାହିଁକି ଓ କ’ଣ ପାଇଁ  ଯାତ୍ରୀ ଓ ପର୍ଯ୍ୟଟକମାନେ ଏଠାକୁ ଆସୁ ନାହାନ୍ତି, ସେ ସଂକ୍ରାନ୍ତରେ ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସରକାର କେବଳ ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ଖୋଲି ନିଜର କାମ ସାରି ଦେଇଛନ୍ତି।  ଆବଶ୍ୟକୀୟ ସୁବିଧା ନଥିବାରୁ ପର୍ଯ୍ୟଟକ, ଯାତ୍ରୀମାନେ କେନ୍ଦ୍ରକୁ ଯାଇ ଅଧା ବାଟରୁ ଫେରି ଆସୁଛନ୍ତି। ଏଭଳି ଅବ୍ୟବସ୍ଥା ଦେଖାଦେଇଛି ସୁନ୍ଦରଗଡ ଜିଲ୍ଲାରେ ସ୍ଥାପନା ଦୁଇଟି ରାସ୍ତା ପାର୍ଶ୍ବ ଅବସ୍ଥାନ କେନ୍ଦ୍ରରେ। ଗୋଟିଏ ରହିଛି ଲାଠିକଟା-ବାରକୋଟ୍‌ ୧୪୩ ନଂ ଜାତୀୟ ରାଜପଥର ରାଜାମୁଣ୍ଡା ନିକଟ ବିରତୋଳାରେ। ଅନ୍ୟଟି  ରହିଛି ୧୦ ନଂ ରାଜ୍ୟ ରାଜପଥ (କ)ର ବାରକୋଟ୍‌-ଦର୍ଦିଂ ରୋଡ ବଣାଇଁ ନିକଟ ଲଲେଇରେ। ଗତ ୨୦୧୬-୧୭ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୮ ପ୍ରଥମ ମାସ ସୁଦ୍ଧା ଶେଷ ହୋଇଥିଲା।

ଖର୍ଚ୍ଚ ହୋଇଛି ୬୨ ଲକ୍ଷରୁ ଅଧିକ। ଏଥିସହ ପାର୍କିଂ, ଶିଶୁ ଉଦ୍ୟାନ ଅନ୍ୟାନ୍ୟ ବିକାଶ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଘରୋଇ ସଂସ୍ଥା ପକ୍ଷରୁ ପ୍ରତ୍ୟେକ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ୬ ଜଣ ଲେଖାଏଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରଙ୍କ ପାଣ୍ଠିରୁ ପ୍ରତ୍ୟେକ କେନ୍ଦ୍ରରେ ରକ୍ଷଣାବେକ୍ଷଣ ବାବଦରେ ମାସକୁ  ପାଖାପାଖି ୧ ଲକ୍ଷରୁ  ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ବିଡମ୍ବନା,ଦିନକୁ  ମାତ୍ର ୩ରୁ ୪ ଜଣ ପର୍ଯ୍ୟଟକ ଆସୁଛନ୍ତି। ଲଲେଇ କେନ୍ଦ୍ରର ସମାନ ସ୍ଥିତି। ରାତିରେ ରାସ୍ତା ପାର୍ଶ୍ବ ଅବସ୍ଥାନ କେନ୍ଦ୍ରଠାରୁ ବାହାର ଓ ଭିତର ଅଧିକାଂଶ ସମୟରେ ଅନ୍ଧାର ରହୁଥିବା ସ୍ଥାନୀୟ ଅଞ୍ଚଳର କିଛି ଅଭିଯୋଗ ଆଣିଛନ୍ତି। ରାତି ସମୟରେ ସାମୟିକ ବିଶ୍ରାମ ନେବାକୁ ଚାହୁଁଥିବା ପରିବାର ଭୟରେ ଯାଉ ନାହାନ୍ତି। ଉଦ୍ୟାନର ସ୍ଥିତି ନ କହିବା ଭଲ। ଯେଉଁସବୁ ଫୁଲଗଛଗୁଡ଼ିକ ଲାଗିଥିଲା ତାହା ଦିଶୁନି।

ଜଳପାନ ପାଇଁ ରୋଷେଇ ଘର ନିର୍ମାଣ ହୋଇଛି। ଆଜି ଯାଏଁ ଏସବୁ ବ୍ୟବସ୍ଥା କରାଯାଇ ନାହିଁ। କେବେ ବିଭାଗୀୟ ଅଧିକାରୀ କହି ପାରୁ ନାହାନ୍ତି। ବାସ୍ତବ ସ୍ଥିତିକିୁ ଦେଖିଲେ କେବଳ ଠିକା ସଂସ୍ଥାକୁ ପୋଷିବାକୁ ଏହି ଦୁଇଟି କେନ୍ଦ୍ର ନିର୍ମାଣ କରାଯାଇଥିଲା ବୋଲି ମନେ ହେଉଛି।  ରାସ୍ତା ପାର୍ଶ୍ବରେ ନିର୍ମାଣ ଅବସ୍ଥାନ କେନ୍ଦ୍ର ପଥଚାରୀ, ପର୍ଯ୍ୟଟକଙ୍କୁ ଆଜି ଯାଏ ସୁବିଧା ଦେଇ ପାରି ନାହିଁ। ତେବେ ଜିଲ୍ଲାର ନିର୍ମାଣ ‌ହୋଇଥିବା ଏହି ଦୁଇଟି କେନ୍ଦ୍ର କାହା ସ୍ବାର୍ଥ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ତଦାରଖ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି। ଏଥିରୁ ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ବିଭାଗ କେତେ ଗୁରୁତ୍ବ ଦେଉଛନ୍ତି, ଏଥିରେ ସ୍ପଷ୍ଟ ବାରିହୋଇ ପଡୁଛି।