ଚୌଦ୍ବାର: କେରଳ ୱାୟନାଡର ଲିଲନାର୍‌ ଭିଲ୍ଲାର ଡୁପ୍ଲେକ୍ସ ଉପରମହଲାରେ ଶୋଇଥିବା ବେଳେ ରାତି ପ୍ରାୟ ଦୁଇଟା ବେଳେ ମାଡି ଆସିଥିଲା ପାଣି। ଡୁପ୍ଲେକ୍ସକୁ ଭସାଇ ନେଇଥିଲା। ହଠାତ କିଛି ବୁଝିବା ବେଳକୁ ପରସ୍ପରର ହାତକୁ ଧରି ଉଭୟ ଉଭୟଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ଡାକ୍ତର ବିଷ୍ଣୁପ୍ରସାଦ ଚିନାରା ଓ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍‌। କିନ୍ତୁ ଅଧିକ ସମୟ ସେଭଳି ଅବସ୍ଥାରେ ରହି ପାରି ନଥିଲେ ଦମ୍ପତି। ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ପ୍ରିୟଦର୍ଶିନୀ ଏକ କାନ୍ଥକୁ ଧରି ରହି ଯାଇଥିବା ବେଳେ ବିଷ୍ଣୁପ୍ରସାଦ କିନ୍ତୁ ପାଣିର ପ୍ରଖର ସୁଅରେ ଭାସି ଯାଇଥିଲେ। କେରଳର ୱାୟନାଡ୍‌ରେ ଘଟିଥିବା ଏହି ପ୍ରଳୟଙ୍କରୀ ଭୂସ୍ଖଳନରେ ନିଖୋଜ ଥିବା ଚୌଦ୍ବାର ଅଞ୍ଚଳର ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହକୁ ଶେଷରେ ଆଜି ଉଦ୍ଧାର କରାଯାଇଛି। ଦୁର୍ଘଟଣା ସଂପର୍କରେ ଖବର ମିଳିବା ‌ପରେ ବିଷ୍ଣୁପ୍ରସାଦଙ୍କ ଶ୍ବଶୁର ଓ ଶଳା ସେଠାରେ ପହଞ୍ଚିଛନ୍ତି। ତାଙ୍କୁ ଉଦ୍ଧାର ମୃତଦେହଗୁଡିକୁ ଆଜି ଦେଖାଇବା ପରେ ସେମ‌ାନେ ସେଥିରୁ ବିଷ୍ଣୁପ୍ରସାଦଙ୍କ ମୃତଦେହ ଚିହ୍ନଟ କରିଥିଲେ। କିନ୍ତୁ ପରେ ତାହାକୁ ନେଇ ସନ୍ଦେହ ହେବାରୁ ସେମାନେ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଶେଷରେ ତାଙ୍କର ମୃତଦେହ ଚିହ୍ନଟ ହେବା ସହିତ ସରକାରୀ ଭାବେ ଏ ସୂଚନା ପରିବାର ଲୋକଙ୍କୁ ଦିଆଯାଇଛି। ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ଏହି‌ ଦୁର୍ଘଟଣାରୁ ସୌଭାଗ୍ୟକ୍ରମେ ବର୍ତ୍ତି ଯାଇଥିଲେ ବି ବିଷ୍ଣୁପ୍ରସାଦଙ୍କ ପରଲୋକ ଖବର ଚୌଦ୍ବାର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏକମାତ୍ର ପୁଅକୁ ହରାଇ ବିଷ୍ଣୁପ୍ରସାଦଙ୍କ ବାପା-ମା’ ମ୍ରିୟମାଣ ହୋଇ ପଡିଛନ୍ତି।

Advertisment

ଚୌଦ୍ବାର ଚାରବାଟିଆସ୍ଥିତ କେନ୍ଦ୍ରସରକାରଙ୍କ ଆଭିଏସନ୍ ରିସର୍ଚ୍ଚ ସେଣ୍ଟରରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟକରି ଅବସର ନେଇଥିବା ପ୍ରମୋଦ କୁମାର ଚିନାରା ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମିନତି ଚିନାରାଙ୍କ ଏକମାତ୍ର ପୁଅ ହେଉଛନ୍ତି ବିଷ୍ଣୁପ୍ରସାଦ। ପ୍ରମୋଦ ପରିବାର ସହିତ ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ୧୯ ନମ୍ବର ୱାର୍ଡ଼ ସ୍ଥିତ ହାଉସିଂବୋର୍ଡ଼ କଲୋନିରେ ରୁହନ୍ତି। ବିଷ୍ଣୁପ୍ରସାଦ (୩୪) ହାଇଟେକ୍ ମେଡିକାଲ କଲେଜର ମେଡିସିନ୍ ବିଭାଗରେ କାର୍ଯ୍ୟ କରୁଥିଲେ। ବର୍ଷକ ତଳେ ସେ ଟାଙ୍ଗୀ ସ୍ଥିତ ଡ୍ରିମସ୍‌ ନର୍ସିଂ କଲେଜରେ ଚାକିରି କରୁଥିବା ପ୍ରିୟଦର୍ଶିନୀ ପାଲଙ୍କୁ ବିବାହ କରିଥିଲେ। ଜୁଲାଇ ୨୬ତାରିଖ ଦିନ ବିଷ୍ଣୁ ପ୍ରସାଦ ଓ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ବାଙ୍ଗାଲୁରୁକୁ ବୁଲିବାକୁ ଯାଇଥିଲେ। ଜୁଲାଇ ୨୯ତାରିଖ ଦିନ ସେମାନେ ସେଠାରୁ କେରଳ ଯିବା ସହ ୱାୟନାଡ୍‌ର ଲିଲ୍‌ନାର ଭିଲାରେ ଏକ ଡୁପ୍ଲେକ୍ସ ବୁକ୍‌ କରି ରହିଥିଲେ। ସେହିଦିନ ରାତି ପ୍ରାୟ ୨ଟା ସମୟରେ ପ୍ରଳୟଙ୍କରୀ ଭୂସ୍ଖଳନ ହେବା ଫଳରେ ସେମାନେ ରହିଥିବା ଭିଲାଟି ସମ୍ପୂର୍ଣ୍ଣ ଭାସି ଯାଇଥିଲା। ଉଭୟ ଡାକ୍ତର ବିଷ୍ଣୁପ୍ରସାଦ ଓ ଡାକ୍ତର ସ୍ବାଧୀନ ପାଣିରେ ଭାସି ଯାଇଥିଲେ। ବିଷ୍ଣୁପ୍ରସାଦ ପତ୍ନୀ ପ୍ରିୟଦର୍ଶିନୀଙ୍କ ହାତ ଧରି ଉଭୟ ଉଭୟଙ୍କୁ ରକ୍ଷା କରିବାକୁ ଉଦ୍ୟମ କରୁଥିବା ବେଳେ ବିଷ୍ଣୁପ୍ରସାଦଙ୍କ ହାତ ଖସିଯାଇଥିଲା। ପ୍ରିୟଦର୍ଶିନୀ ଏକ କାନ୍ଥକୁ ଧରି ଅଟକି ରହିଥି‌ବା ବେଳେ ତାଙ୍କୁ ପରଦିନ ସକାଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଭଳି ଘଟଣା ଘଟିବାର କିଛି ସମୟ ପୂର୍ବରୁ ରାତି ପ୍ରାୟ ରାତି ୧୧ଟା ସମୟରେ ବିଷ୍ଣୁପ୍ରସାଦ ନିଜ ଭଉଣୀଙ୍କ ସହ ଫୋନରେ କଥା ହୋଇଥିଲେ। ବିଷ୍ଣୁପ୍ରସାଦଙ୍କ ଶ୍ବଶୁର ଓ ତାଙ୍କ ଶଳା କେରଳରେ ପହଞ୍ଚି ଉଦ୍ଧାର କରାଯାଇଥିବା ଶବ ମଧ୍ୟରୁ ବିଷ୍ଣୁପ୍ରସାଦଙ୍କ ଶବକୁ ଚିହ୍ନଟ କରିଥିବା ବେଳେ ସେଠାରେ ଆବଶ୍ୟକ ପ୍ରକ୍ରିୟା ଶେଷ କରି ସେମାନେ ବିଷ୍ଣୁପ୍ରସାଦଙ୍କ ମୃତଦେହ ଆଣି ଚୌଦ୍ବାର ଆସି‌ବେ ବୋଲି କୁହାଯାଉଛି। ବିଷ୍ଣୁପ୍ରସାଦ ପୁରୀ ଅଞ୍ଚଳର ମୂଳ ବାସିନ୍ଦା ହୋଇଥିବାରୁ ମୃ‌ତଦେହ ପହଞ୍ଚିବା ପରେ କେଉଁଠି ଶେଷକୃତ୍ୟ ହେବ ତାହା ନିଷ୍ପତ୍ତି ନିଆଯିବ ବୋଲି ବିଷ୍ଣୁପ୍ରସାଦଙ୍କ ବାପା ପ୍ରମୋଦ କୁମାର ଚିନାରା ପ୍ରକାଶ କରିଛନ୍ତି।