ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ପାରିପାର୍ଶ୍ବିକ ବିକାଶ ପାଇଁ ସରକାର ବହୁ ଯୋଜନା କରିଛନ୍ତି। କିନ୍ତୁ ବିଭିନ୍ନ ଯୋଜନାର ଠିକ୍‌ ରୂପାୟନ ହେଉନଥିବାରୁ ଜିଲ୍ଲାର ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁଓଡିସି) ପାଣ୍ଠି ବିନିଯୋଗ ଦେଖିଲେ, ବଲାଙ୍ଗୀରର ସ୍ଥିତି ସ୍ପଷ୍ଟ ବାରି ହେଉଛି। ୨୦୧୯-୨୦ ଆର୍ଥିକ ବର୍ଷରୁ ୨୦୨୩-୨୪ ପର୍ଯ୍ୟନ୍ତ ଜିଲ୍ଲାକୁ ଡବ୍ଲୁଓଡିସି ପାଣ୍ଠିରୁ ମୋଟ୍‌ ୨୭.୦୮ କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ଆସିଥିଲା। ଏଥିରୁ ବିଭିନ୍ନ ପ୍ରକଳ୍ପ ପାଇଁ ୨୩.୧୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପାଞ୍ଚ ବର୍ଷର ଅବଧି ମଧ୍ୟରେ ସମୁଦାୟ ୨୩୫ଟି ପ୍ରକଳ୍ପ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଥିବା ବେଳେ ୨୨୧ଟି ପ୍ରକଳ୍ପ ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିଲା। ହେଲେ ଏହି ପାଞ୍ଚ ବର୍ଷରେ ୧୧୪ଟି ପ୍ରକଳ୍ପ କାମ ମୂଳରୁ ଆରମ୍ଭ ହୋଇନାହିଁ। ୯୪ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ ୧୩ଟି ନିର୍ମାଣାଧୀନ ରହିଛି। ତେବେ ଆଶ୍ଚର୍ଯ୍ୟର କଥା, ୨୦୧୯-୨୦ ଆର୍ଥିକ ବର୍ଷରୁ ମଞ୍ଜୁର ହୋଇଥିବା ପ୍ରକଳ୍ପ କାମ ବି ଏଯାଏଁ ଆରମ୍ଭ ହୋଇନାହିଁ। ଏହି ବର୍ଷ ୬୫ଟି ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଏଯାବତ ୨୧ଟି ପ୍ରକଳ୍ପ କାମ ଆରମ୍ଭ ହୋଇନାହିଁ। ୫ଟି ପ୍ରକଳ୍ପ କାମ ଜାରି ରହିଥିବା ସରକାରୀ ରିପୋର୍ଟ କହୁଛି।

Advertisment

ସେହିପରି ୨୦୨୧-୨୨ରେ ୧୬, ୨୦୨୨-୨୩ରେ ୧୭ ଏବଂ ୨୦୨୩-୨୪ରେ ମଞ୍ଜୁର ହୋଇଥିବା ୬୦ଟି ପ୍ରକଳ୍ପ କାମ ଆଗେଇ ନାହିଁ। ଏହାଛଡ଼ା ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲରେ ବି ଅବହେଳା ପ୍ରଦର୍ଶନ କରାଯାଉଛି। ଗତ ୫ ବର୍ଷ ମଧ୍ୟରେ ୨୦.୧୧ କୋଟି ଟଙ୍କାର ୟୁସି ଦାଖଲ ହୋଇନଥିବା ଜଣାପଡ଼ିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲ୍ଲା ପାଇଁ ସର୍ବାଧିକ ୧୫.୨୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଏଥିରୁ ବର୍ତ୍ତମାନ ସୁଦ୍ଧା ୯.୫୮ କୋଟି ଟଙ୍କାର ୟୁସି ବକେୟା ରହିଛି।