ନିବେଶକଙ୍କ ଟଙ୍କା ଫେରାଇବାକୁ ଆମେ ପ୍ରତିବଦ୍ଧ: ସାହାରା

ସେବି ପାଖରେ ପଡ଼ିରହିଛି କଂପାନିର ୨୫ ହଜାର କୋଟି
ଟଙ୍କା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଛି

ଭୁବନେଶ୍ବର : ସେବି (ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ) ସହିତ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁଁ ଗତ ୮ ବର୍ଷ ଧରି ସାହାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ଏହି କାରଣରୁ ନିବେଶକମାନେ ଟଙ୍କା ଫେରିପାଇ ପାରୁ ନାହାନ୍ତି। ସାହାରା ପକ୍ଷରୁ ଆଜି ଏସଂପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ କୋର୍ଟଙ୍କ ନିର୍ଦେଶ କ୍ରମେ ସେବିରେ ସାହାରା ପକ୍ଷରୁ ୨୫ ହଜାର କୋଟି ଟଙ୍କା ଜମା କରାଯାଇଛି। ସାହାରା ଏହାର ୩ କୋଟି ନିବେଶକଙ୍କ ସମ୍ବନ୍ଧିତ ସମସ୍ତ ଦଲିଲକୁ ମଧ୍ୟ ୯ ବର୍ଷ ପୂର୍ବେ ଯାଞ୍ଚ ପାଇଁ ସେବିକୁ ହସ୍ତାସ୍ତର କରିଛି। ଯାଞ୍ଚ ପରେ ସେବି ଏହି ଅର୍ଥ ନିବେଶକାରୀଙ୍କୁ ଦେବାକଥା। ସାରା ଦେଶରେ ୧୫୪ଟି ସମ୍ବାଦପତ୍ରରେ ଚାରି ପର୍ଯ୍ୟାୟ ବିଜ୍ଞାପନ ଦେବା ପରେ ସେବି ଗତ ୯ ବର୍ଷ ମଧ୍ୟରେ ସାହାରାର ନିବେଶକମାନଙ୍କୁ କେବଳ ୧୨୯ କୋଟି ଟଙ୍କା ଫେରସ୍ତ କରିଛି। ନିବେଶକଙ୍କୁ ୧୨୯ କୋଟି ଟଙ୍କା ଦେବା ପରେ ଯେଉଁ ଟଙ୍କା ବଳକା ରହିଛି ତାହା ଫେରିପାଇବା ଲାଗି ସାହାରା ପକ୍ଷରୁ ସୁପ୍ରିମ‌୍‌କୋର୍ଟରେ ଆବେଦନ କରାଯାଇଛି। ମାତ୍ର କରୋନା ଯୋଗୁଁ ଗତ ଏକ ବର୍ଷ ହେବ ଶୁଣାଣି ଲାଗି ତାରିଖ ମିଳୁନାହିଁ।

ଏସବୁ ବ୍ୟତୀତ ସାହାରା ବିଭିନ୍ନ ବୈଦେଶିକ କମ୍ପାନିଙ୍କ ସହ ହାତ ମିଳାଇ ଅନ୍ୟାନ୍ୟ ନୂଆ ବ୍ୟବସାୟ ଉପରେ କାର୍ଯ୍ୟ କରୁଛି। ବ୍ୟାବସାୟିକ ବୁଝାମଣାଗୁଡ଼ିକ କାର୍ଯ୍ୟକାରୀ ହେଲେ ୪-୫ ମାସ ଭିତରେ ସ୍ଥିତି ସ୍ବାଭାବିକ ହୋଇଯିବ ଓ ଆମେ ନିବେଶକମାନଙ୍କୁ ନିୟମିତ ପେମେଣ୍ଟ୍‌ କରିପାରିବୁ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସାହାରା ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଗୋଟିଏ ଦିନର ବିଳମ୍ବ ପାଇଁ ମଧ୍ୟ କଂପାନି ନିବେଶକଙ୍କୁ ସେମାନଙ୍କ ପ୍ରାପ୍ୟ ଦେଉଛି। ମାତ୍ର କିଛି କର୍ମଚାରୀ ଚାକିରି ଛାଡ଼ିବା ପରେ ନିବେଶକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ଓ କଂପାନି ବିରୋଧରେ ଅଭିଯୋଗ କରିବା ଲାଗି ଉସୁକାଉଛନ୍ତି। ନିବେଶକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯିବ ବୋଲି କଂପାନି ସମ୍ବାଦପତ୍ର ବିଜ୍ଞାପନ ଜରିଆରେ ନିୟମିତ ବ୍ୟବଧାନରେ ସୂଚନା ଦେଉଛି। ସାହାରା ଇଣ୍ଡିଆ ପରିବାରର ମୁଖ୍ୟ ସୁବ୍ରତ ରାୟ ମଧ୍ୟ ଜାତୀୟ ଚ୍ୟାନେଲ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ କରୋନା ମହାମାରୀ ପ୍ରଭାବ ଯୋଗୁଁ ନିୟମିତ ଭାବେ ନିବେଶକଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାରେ ଅସୁବିଧା ଦେଖାଦେଇଛି। ଏଭଳି ପରିସ୍ଥିତିରେ ସେବି ପାଖରେ ୨୫ ହଜାର କୋଟି ଟଙ୍କା ପଡ଼ିରହିବା ଦୁର୍ଭାଗ୍ୟଜନକ । ତେବେ ସମସ୍ତ ନିବେଶକଙ୍କୁ ଟଙ୍କା ଫେରାଇବା ଲାଗି କମ୍ପାନି ପ୍ରତିଶ୍ରୁତିବଦ୍ଧ ‌େବାଲି ସାହାରା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର