ବିଭୂତି ପତି
ଭୁବନେଶ୍ବର: ଶାଗୁଣା ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ପାଞ୍ଚ ବର୍ଷୀୟା ଯୋଜନା ଆସନ୍ତା ବର୍ଷ ଶେଷ ହେବାକୁ ଯାଉଛି। ଶାଗୁଣା ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ ଏହା ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଭାରତୀୟ ପକ୍ଷୀ ସଂରକ୍ଷଣ ସୋସାଇଟି ପକ୍ଷରୁ ଆୟୋଜିତ ଜାତୀୟ ଶାଗୁଣା ସଂରକ୍ଷଣ ସମ୍ମିଳନୀ- ୨୦୨୪ରେ ବିଶେଷଜ୍ଞମାନେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାରତରେ ଶାଗୁଣାଙ୍କ ପାଇଁ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରି ସଂରକ୍ଷଣ କରିବା ବଡ଼ ଆହ୍ୱାନ ପାଲଟିଛି।
‘ସମ୍ବାଦ’ର ପୁନଶ୍ଚ ପୃଥିବୀ ମହାସମ୍ମିଳନୀରେ ଯୋଗଦେବା ଅବସରରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଶାଗୁଣା ସଂରକ୍ଷଣ ପାଇଁ ଆମ ସରକାର ବଦ୍ଧ ପରିକର। ଶାଗୁଣା ସଂରକ୍ଷଣ ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ୨୦୨୦-୨୦୨୫ ପାଞ୍ଚ ବର୍ଷୀୟା ଯୋଜନା କରିଛି। ଆବଶ୍ୟକ ପଡ଼ିଲେ ଏହାକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯିବ। ଏହି ଯୋଜନାର ସଫଳତା ମିଳିଛି। ଆମେ ଦେଶରେ ଆଠଟି ଶାଗୁଣା ପ୍ରଜନନ କେନ୍ଦ୍ର ଓ ସମାନ ସଂଖ୍ୟକ ଶାଗୁଣା ସୁରକ୍ଷିତ ଅଞ୍ଚଳ ପ୍ରତିଷ୍ଠା କରିବା ସହିତ ସମସ୍ତ ରାଜ୍ୟରେ ଏଭଳି ସ୍ଥାନ ଚିହ୍ନଟ କରିବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରସ୍ତାବ ଦେଇଛୁ। ଏହି କାର୍ଯ୍ୟକ୍ରମରେ ଭାରତର ସମସ୍ତ ନଅଟି ଶାଗୁଣା ପ୍ରଜାତିକୁ ଅନ୍ତର୍ଭୁକ୍ତ କରାଯାଇଛି।

Advertisment

ଜୁଲାଇ ୨୦୧୫ରେ ଭାରତ ସରକାର ପ୍ରାଣୀମାନଙ୍କୁ ଦିଆଯାଉଥିବା ଯନ୍ତ୍ରଣା ନିବାରକ ନିମୁସିଲାଇଡ୍, ଡାଇକ୍ଲୋଫେନାକ୍, ଏସିକ୍ଲୋଫେନାକ ଓ କେଟୋପ୍ରୋଫେନ୍‌ ଔଷଧକୁ ୩ ମିଲିଲିଟରରୁ ବଡ଼ ବୋତଲରେ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରାଣୀ ଚିକିତ୍ସକମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ରେ କେନ୍ଦ୍ର ସରକାର ଏକ ଗେଜେଟ୍ ବିଜ୍ଞପ୍ତି ଜରିଆରେ ଶାଗୁଣାଙ୍କ ପାଇଁ ବିଷାକ୍ତ ସାବ୍ୟସ୍ତ ହୋଇଥିବା ଚିକିତ୍ସା ଉପରେ ପ୍ରତିବନ୍ଧକ ଲଗାଇଛୁ ବୋଲି ଶ୍ରୀ ଯାଦବ କହିଛନ୍ତି। ଗତ ୪ ବର୍ଷ ହେଲା ବାଙ୍ଗାଲୋରସ୍ଥିତ ବାନ୍ନରଘାଟା ଜାତୀୟ ଉଦ୍ୟାନରେ ଥିବା ସ୍ୱତନ୍ତ୍ର ଶାଗୁଣା ପ୍ରଜନନ କେନ୍ଦ୍ରରେ ଶାଗୁଣା ବଂଶ ବୃଦ୍ଧି ପାଇଁ ନିଆଯାଇଥିବା ସମସ୍ତ ପ୍ରଚେଷ୍ଟା ଓ ପଦକ୍ଷେପ ସତ୍ତ୍ବେ ଏହା ସ୍ଥାଣୁ ହୋଇପଡ଼ିଛି। ପ୍ରଜନନ ପାଇଁ ଉତ୍ତମ ଭିତ୍ତିଭୂମି ଥିବା ସତ୍ତ୍ବେ ଗତ ୪ ବର୍ଷ ଭିତରେ ଏହି ପ୍ରଜନନ କେନ୍ଦ୍ରରେ ଶାଗୁଣା ବଂଶ ବୃଦ୍ଧି ନହେବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରଜନନ କେନ୍ଦ୍ରରେ ଆବଶ୍ୟକୀୟ ଶାଗୁଣା ନ ଥିବାରୁ ଅଧିକାରୀମାନେ ଏବେ ଅନିଶ୍ଚିତତାରେ ଅଛନ୍ତି।

ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ମନ୍ତ୍ରୀ ଭୂପିନ୍ଦର ଯାଦବ କୁହନ୍ତି, ନିଶ୍ଚିତ ଏହା ଉଦ୍‌ବେଗଜନକ। ଏହାର କାରଣ ଖୋଜିବାକୁ କର୍ଣ୍ଣାଟକ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଅନୁରୋଧ କରିଛି। ଏହା ସହିତ ହରିୟାଣାର ପିଞ୍ଜୋରସ୍ଥିତ ଏହି ପ୍ରଜାତିର ଶାଗୁଣା ପ୍ରଜନନ କେନ୍ଦ୍ର ୨୫ଟି ଯୋଡ଼ା ଶାଗୁଣା କର୍ଣ୍ଣାଟକକୁ ଯୋଗାଇଦେବାର ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଅତ୍ୟନ୍ତ ବିପଦ ପ୍ରବଣ ତାଲିକାରେ ଥିବା ଶାଗୁଣା ପ୍ରଜାତିର ସୁରକ୍ଷା ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି।

ବିଶ୍ୱରେ ଦେଖାଯାଉଥିବା ୨୩ ପ୍ରଜାତିର ଶାଗୁଣା ମଧ୍ୟରୁ ୯ଟି ଭାରତରେ ଥିବା ବେଳେ ସେଥିମଧ୍ୟରୁ ୪ଟି ପ୍ରଜାତିର ସ୍ଥିତି ଗୁରୁତର ଭାବେ ବିପନ୍ନ। ଭାରତରେ ତିନି ଅତି ପ୍ରାଚୀନ ପ୍ରଜାତି ଲମ୍ବାଥଣ୍ଟ (ଲଙ୍ଗ୍ ବିଲ୍ଡ), ଧଳାପିଠି (ହ୍ବାଇଟ୍ ବ୍ୟାକ୍‌ଡ) ଓ ପତଳାଥଣ୍ଟ (ସ୍ଲଣ୍ଡର୍ ବିଲ୍‌ଡ) ଶାଗୁଣା ଦେଖିବାକୁ ମିଳନ୍ତି। ଅତ୍ୟନ୍ତ ବିପନ୍ନ ପ୍ରଜାତିର ପ୍ରାଣୀ ତାଲିକାରେ ଏମାନେ ଅନ୍ତର୍ଭୁକ୍ତ। ଏକଦା ୧୯୮୦ ରେ ଭାରତର ଏହି ଶାଗୁଣା ପ୍ରଜାତିର ସଂଖ୍ୟା ପ୍ରାୟ ୪୦ ନିୟୁତ ରହିଥିବା ବେଳେ ୧୯୯୦ ବେଳକୁ ଏହା ୯୦ ପ୍ରତିଶତ ହ୍ରାସ ପାଇ ପ୍ରାୟ ୪ ନିୟୁତ ହୋଇଥିଲା। ପରବର୍ତ୍ତୀ ଦଶନ୍ଧିରେ ଏହି ସଂଖ୍ୟା ୯୯ ପ୍ରତିଶତ ହ୍ରାସ ପାଇ ପାଖାପାଖି ୪୦ ହଜାରରେ ପହଞ୍ଚିଗଲା। ବିଗତ ବର୍ଷଗୁଡ଼ିକରେ ଏହା ଆହୁରି ହ୍ରାସ ପାଇଛି। ବର୍ତ୍ତମାନ ଏମାନଙ୍କ ସଂଖ୍ୟା ପାଖାପାଖି ୨୦ ହଜାରରେ ସୀମିତ। ଏଥିମଧ୍ୟରୁ ୧୩ ହଜାର ଲମ୍ବାଥଣ୍ଟ, ୬ ହଜାର ଧଳାପିଠି ଓ ୧ ହଜାର ପତଳାଥଣ୍ଟ ଥିବା ଶାଗୁଣା ଅଛନ୍ତି।

 ବିଶିଷ୍ଟ ଶାଗୁଣା ସଂରକ୍ଷକ ଡକ୍ଟର ବିଭୁ ପ୍ରକାଶ କୁହନ୍ତି, ତିନୋଟି ପ୍ରାଚୀନ ପ୍ରଜାତିର ଶାଗୁଣା ସଂରକ୍ଷଣ ଉପରେ ଧ୍ୟାନ ଦେଇ ଶାଗୁଣା ପ୍ରଜନନ କାର୍ଯ୍ୟକ୍ରମ ମାଧ୍ୟମରେ ବର୍ଷକୁ ୬୦୦ ଶାଗୁଣା ଯୋଡ଼ି ସୃଷ୍ଟି କରିବାର ଲକ୍ଷ୍ୟଧାର୍ଯ୍ୟ କାରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ବିଭିନ୍ନ ସୁରକ୍ଷିତ ଅଞ୍ଚଳରେ ପ୍ରାୟ ୫୦ ଶାଗୁଣା ଯୋଡ଼ିଙ୍କୁ ଛଡ଼ା ଯାଇଛି। ଏହାର ପ୍ରଜନନ ନିଶ୍ଚିତ ଏକ କଷ୍ଟସାଧ୍ୟ ବ୍ୟାପାର ବୋଲି ସେ କହିଛନ୍ତି।