ସାହିତ୍ୟିକ ତଥ୍ୟ ସହିତ ପ୍ରତ୍ନତାତ୍ତ୍ବିକ ତଥ୍ୟ ମିଶିବା ଦରକାର
ଓଡ଼ିଆମାନେ ବାହାରକୁ ନୌବାଣିଜ୍ୟ କରିବା ପାଇଁ ଯାଉଥିବାରୁ ଅଶୋକ କଳିଙ୍ଗକୁ ଆକ୍ରମଣ କରିଥିଲେ। ମଗଧ ଲ୍ୟାଣ୍ଡ୍ଲକ୍ ରାଷ୍ଟ୍ର ଥିବାରୁ ସମୁଦ୍ର ପଥକୁ ବାଟ ଉନ୍ମୁକ୍ତ ପାଇଁ ଏପରି ପ୍ରୟାସ କରିଥିଲେ। ତେବେ ଓଡ଼ିଶାର ନୈବାଣିଜ୍ୟ ସମ୍ପର୍କରେ ଯେଉଁ ସବୁ ତଥ୍ୟ ଏବଂ ପ୍ରମାଣ ମିଳୁଛି, କେବଳ ସାହିତ୍ୟିକ ତଥ୍ୟ ମିଳୁଛି। ତେବେ କୌଣସି ପ୍ରତ୍ନତାତ୍ତ୍ବିକ ତଥ୍ୟ ନାହିଁ। ଇଣ୍ଡୋନେସିଆରେ ମିଳୁଥିବା ତାରକସି କାରୁକାର୍ଯ୍ୟ, ସେମାନଙ୍କ ପରମ୍ପରା, ଖାଇବା ଶୈଳୀରୁ ଓଡ଼ିଶା ସହିତ ବାଣିଜ୍ୟିକ ସମ୍ପର୍କ ଥିବା ଅନୁମାନ କରାଯାଉଛି। ବାଲିରେ ଯାତ୍ରା ହେଉଥିଲା ଓ ଇଣ୍ଡୋନେସିଆର ‘ବାଲି’କୁ ଯାତ୍ରା କରୁଥିଲେ ବୋଲି ବାଲିଯାତ୍ରା ହୋଇଥାଇ ପାରେ। ସେହିପରି ବିଦେଶରୁ ଓଡ଼ିଆମାନେ ଯାହା ଆଣୁଥିଲେ ସେହି ବାଲିରେ ସନ୍ଧ୍ୟା ବେଳେ ମେଳା ଆୟୋଜନ କରି ଦୀପ ଜାଳି ବିକ୍ରି କରୁଥିଲେ। ପରବର୍ତ୍ତୀ ସମୟରେ ଏହା ବାଲିଯାତ୍ରା ନାମରେ ଖ୍ୟାତ ହୋଇଥିବା କୁହାଯାଏ। ସେ ସମୟରେ ବୋଟ୍ କୌଶଳ କେତେ ବିକଶିତ ଥିଲା, ଏତେବଡ଼ ସମୁଦ୍ର ପାର୍ ହୋଇ ଯାଇପାରୁଥିଲେ ସେ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆଣିବା ଦରକାର। ପ୍ରତ୍ନତାତ୍ତ୍ବିକ ତଥ୍ୟ ସହିତ ସାହିତ୍ୟିକ ତଥ୍ୟ ମିଶିଲେ ତାହାକୁ ଐତିହାସିକ ତଥ୍ୟ ଭାବେ ଗ୍ରହଣୀୟ କରାଯିବ। ତେଣୁ ଏଥିରେ ବ୍ୟତିକ୍ରମ ହେବାରୁ ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ପାଇଁ ୟୁନେସ୍କୋ ପ୍ରଥମେ ମନା କରିଦେଇଛି। ଏହାପରେ ପ୍ରଶାସନ ସବିଶେଷ ତଥ୍ୟ ଉପସ୍ଥାପନା ସହ କିପରି ମନାଇପାରୁଛି ତାହା ସମୟ କହିବ। ବିହାର ଛଟ୍ ପୂଜାକୁ ଐତିହ୍ୟ ମାନ୍ୟତା ପାଇଁ ଦାବି ଉଠୁଥିଲା ବେଳେ ବିହାରକୁ କିମ୍ବା ଓଡ଼ିଶା କାହାକୁ ପ୍ରାଥମିକତା ମିଳିବ ଦେଖିବାର କଥା।
ଡକ୍ଟର୍ ଖାରବେଳ ମହାନ୍ତି, ବିଶିଷ୍ଟ ଐତିହାସିକ
ଆର୍ଥିକ ବିକାଶ ପାଇଁ ବିରାଟ କିମ୍ବଦନ୍ତୀ ପର୍ବ
ଯେତେବେଳେ ବାଲିଯାତ୍ରାକୁ ଅନ୍ୟପର୍ବ ସହିତ ତୁଳନା କରାଯାଏ ମନରେ କ୍ଷୋଭ ଭରିଯାଏ। ଅତୀତରେ ଯେତେ ପର୍ବପର୍ବାଣୀ ପାଳନ କରାଯାଇଛି କିଛି ଧର୍ମ ସହିତ ଜଡିତ ହୋଇ ରହିଥିବା ବେଳେ ଆଉକିଛି ଜନସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ଖୋରାକ ଯୋଗାଇଥାଏ। ଭାରତ ବର୍ଷରେ ବାଲିଯାତ୍ରା ହେଉଛି ଏକମାତ୍ର ପର୍ବ ଯାହା ଦେଶର ଆର୍ଥିକ ବିକାଶ ପାଇଁ ବିରାଟ କିମ୍ବଦନ୍ତୀ ସ୍ବରୂପ ବହନ କଲେ। ଅତୀତରେ ଏହି ପର୍ବ ବାଣିଜ୍ୟିକ ଓ ସାଂସ୍କୃତିକ ବିକାଶର ନିଦର୍ଶନ ସୂରୁପ ଓଡ଼ିଶା ମାଟିରେ ତଥା ଭାରତ ବର୍ଷର ଗର୍ବ ଗୌରବ ବହନ କରେ। ତେଣୁ ଏହି ପର୍ବକୁ ସ୍ବୀକୃତି ପ୍ରଦାନ ପାଇଁ ସବୁସ୍ତରରେ ପ୍ରୟାସ କରାଯିବା ଉଚିତ। ତେବେ ବାଲିଯାତ୍ରାକୁ ମାନ୍ୟତା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।
କୃଷ୍ଣକେଶବ ମିଶ୍ର, ସ୍ବତନ୍ତ୍ର ସେନାନୀ
ଅବହେଳା କାରଣରୁ ଐତିହ୍ୟକୁ ସ୍ଥାପିତ କରି ପାରିନାହୁଁ
କଟକ ବାଲିଯାତ୍ରା ଏକାଥରେ ଅନେକ ଇତିହାସର କଥା କହିଥାଏ। ଏହା କଳିଙ୍ଗ ଅସ୍ତିତ୍ବର ମୁକସାକ୍ଷୀ। ବିଶ୍ୱର ବିଭିନ୍ନ ଭୂଖଣ୍ଡ ସହ ଆମର ବାଣିଜ୍ୟିକ ସମ୍ପର୍କକୁ ମଧ୍ୟ ଉଜାଗର କରିଥାଏ। ଏହା କୌଣସି ନିର୍ଦ୍ଦିଷ୍ଟ ଜାତି ବା ଧର୍ମର କଥା ନ କହି ତତ୍କାଳୀନ ଗଣତାନ୍ତ୍ରିକ କଳିଙ୍ଗ ସଭ୍ୟତାରେ ହିନ୍ଦୁ, ବୌଦ୍ଧ, ଜୈନ ସମସ୍ତେ ଯେ ନୌବାଣିଜ୍ୟ ସହ ସମ୍ପୃକ୍ତ ଥିଲେ ସେ କଥା ମନେ ପକାଇଦେଇ ଆଧୁନିକ ଗଣତନ୍ତ୍ରର ଯୁଗରେ ଆମକୁ ସହିଷ୍ଣୁତାର ଶିକ୍ଷା ଦେଇଥାଏ। ରାଜ୍ୟ ଓ କେନ୍ଦ୍ର ସରକାର ଏହି ମହାନ ଐତିହ୍ୟକୁ ସମ୍ମାନ ଦେବା ନିମନ୍ତେ ୟୁନେସ୍କୋ ସ୍ୱୀକୃତି ମିଳିବା ଦିଗରେ ଯେତେସବୁ ବାଧାବିଘ୍ନ ରହିଛି, ସେସବୁକୁ ଦୂର କରି ବାଲିଯାତ୍ରାକୁ ସ୍ୱୀକୃତି ମିଳିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ଅଧିକ କ୍ରିୟାଶୀଳ ହେବା ଜରୁରୀ। ଗତବର୍ଷ ଜିଲ୍ଲା ପ୍ରଶାସନ ମାଧ୍ୟମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ଏ ବାବଦରେ ପତ୍ର ପ୍ରେରଣ କରାଯାଇଥିଲା। କେବଳ ଅବହେଳା କାରଣରୁ ଆମେ ଆମ ଐତିହ୍ୟକୁ ସ୍ଥାପିତ କରି ପାରିନାହୁଁ। ବିଗତ ଭୁଲରୁ ଶିକ୍ଷାଲାଭ କରି ଚଳିତ ବର୍ଷ ୟୁନେସ୍କୋ ମାନ୍ୟତା ବାଲିଯାତ୍ରା ହାସଲ କରିବାର ସମସ୍ତ କୌଶଳ ଆପଣାଇବା ଜରୁରୀ।
ଡାକ୍ତର ବିଶ୍ୱଜିତ, ଟ୍ରଷ୍ଟି, ଗାନ୍ଧୀ ସ୍ମାରକ ନିଧି, କଟକ
ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ
ବାଲିଯାତ୍ରା ହଜାର ବର୍ଷର ଐତିହ୍ୟସମ୍ପନ୍ନ କଟକର ତଥା ଉତ୍କୃଷ୍ଟ କଳାରାଜ୍ୟ ଓଡ଼ିଶାର ଗୌରବଜ୍ଜ୍ବଳ ଐତିହ୍ୟ ଓ ସଂସ୍କୃତିର ବାହକ। ଅତୀତର ବାଣିଜ୍ୟିକ ଗୌରବଗାଥାକୁ ଏତାଦୃଶ ବାଲୁକା ଶଯ୍ୟାରେ ଯାତ୍ରାମାଧ୍ୟମରେ ସୁମାରିବାର ଦୃଷ୍ଟାନ୍ତ ବିଶ୍ୱପଟ୍ଟଳରେ ବିରଳ। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ସହୃଦୟ ପ୍ରୟାସ କରି ମାନ୍ୟତା ହାସଲ କରାଇଲେ ଏହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ।
ଅଧ୍ୟାପକ ରାଜୀବ ନନ୍ଦ, ସମ୍ପାଦକ, ବାଖରାବାଦ୍ ପୂଜା କମିଟି
ବାଲିଯାତ୍ରା ଓଡ଼ିଶା ତଥା ଭାରତବର୍ଷର ଗର୍ବ ଗୌରବ
ଏହି ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶର ମଧ୍ୟ ଉଲ୍ଲେଖ୍ୟ କରିଛନ୍ତି। ବାଲିଯାତ୍ରା ହେଉଛି ଓଡ଼ିଆ ଜାତିର ବିଶ୍ବ ବାଣିଜ୍ୟ ସାଙ୍ଗରେ କାରବାରର ପ୍ରତୀକ। ତେଣୁ ଏହାକୁ ଐତିହ୍ୟ ମାନ୍ୟତା ଦିଗରେ ସବୁସ୍ତରରେ ପ୍ରଚେଷ୍ଠା କରାଯିବା ଦରକାର। ୟୁୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ଯାହା ଯାହା ତଥ୍ୟ, ପ୍ରମାଣ ଆବଶ୍ୟକ ହାସଲ କରି ତାହାକୁ ଉପସ୍ଥାପନା କରି ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ କରାଯିବା ଦରକାର।
ଓମ୍ପ୍ରକାଶ ରାୟ, କନ୍ଭେନର୍, ‘ମିଶା ବନ୍ଦୀ’ ସଙ୍ଗଠନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/05/fshsfhxbvbbv-2026-03-05-02-16-40.jpg)