ବଡ଼ ସ୍ୱପ୍ନ ଦେଖିବାକୁ ଲୋକଙ୍କୁ ସୁଯୋଗ ଦେଉଛୁ: ମୁଖ୍ୟମନ୍ତ୍ରୀ

ମହାମାରୀରେ ବି ଓଡ଼ିଶାରେ ପୁଞ୍ଜିନିବେଶ ବଢ଼ିଛି
୭୦ ଲକ୍ଷ ସଶକ୍ତ ମହିଳାଙ୍କ ଆନ୍ଦୋଳନ ‘ମିସନ୍ ଶକ୍ତି’

ଭୁବନେଶ୍ବର : ବର୍ତ୍ତମାନ ଓଡ଼ିଶାର ଦ୍ରୁତ ପରିବର୍ତ୍ତନ ହେଉଛି। ବୈଷୟିକ ଜ୍ଞାନକୌଶଳ ଓ ସ୍ବଚ୍ଛତାର ଉଚ୍ଚତ୍ତର ‌ସୋପାନକୁ ଲୋକମାନଙ୍କୁ ନିଆଯାଇ ସେମାନଙ୍କର ସଶକ୍ତୀକରଣ କରାଯାଉଛି। ସେମାନଙ୍କ ସ୍ବପ୍ନର ନୂଆ ଓଡ଼ିଶା ଗଠନ ହେଉଛି। ଲୋକଙ୍କୁ ନିଜର ପୂଣ୍ଣ ଦକ୍ଷତାକୁ ଅନୁଭବ କରି ବଡ଼ ସ୍ବପ୍ନ ଦେଖିବା ପାଇଁ ଯଥେଷ୍ଟ ସୁଯୋଗ ଦିଆଯାଉଛି।‌ ସୋମବାର ଦିନ ବିଧାନସଭାରେ ରାଜ୍ୟପାଳଙ୍କ ଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ଜାତୀୟ ଅଭିବୃଦ୍ଧି ହାର ୫.୩% ଥିଲା ବେଳେ ଓଡ଼ିଶାର ଏହି ହାର ୬.୫% ରହିଛି। ସାଧାରଣ ବିତ୍ତୀୟ ପରିଚାଳନାରେ ଆନ୍ତର୍ଜାତିକ ସ୍ତରର ଶ୍ରେଷ୍ଠ ବ୍ୟବସ୍ଥାକୁ ଓଡ଼ିଶା କାର୍ଯ୍ୟକାରୀ କରୁଛି। ୨୦୧୮ ଓ ୨୦୧୯ରେ ଷ୍ଟାର୍ଟ-ଅପ୍‌ ରାଙ୍କିଙ୍ଗ୍‌ରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ଓ ଲିଡର୍‌ ରାଜ୍ୟର ମାନ୍ୟତା ପାଇଛି। କୋଭିଡ୍‌ ସମୟରେ ଆମେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସ୍ବତନ୍ତ୍ର ଆର୍ଥିକ ସହାୟତା ଦେଇଛୁ। ମହାମାରୀ ସତ୍ତ୍ବେ ଗତ ୩ ବର୍ଷ ମଧ୍ୟରେ ୪.୪ ଲକ୍ଷ କୋଟିର ପୁଞ୍ଜିନିବେଶ ସହ ଓଡ଼ିଶା ଏକ ଆଗଧାଡ଼ିର ପୁଞ୍ଜିନିବେଶକାରୀ ରାଜ୍ୟରେ ପରିଣତ ହୋଇଛି। ଆମ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରାଜ୍ୟ ଅର୍ଥନୀତିକୁ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରର ଯଥେଷ୍ଟ କ୍ଷମତା ରହିଛି। ଏଥି ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ପାଇପ୍ ପାନୀୟ ଜଳ ଯୋଗାଣ ସୁବିଧା ସହିତ ସଂଯୋଗ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥି ପାଇଁ ବିଭିନ୍ନ ଜଳଯୋଗାଣ ଯୋଜନା ଅଧୀନରେ ଉପଲବ୍ଧ ପାଣ୍ଠି ସହିତ ଅତିରିକ୍ତ ସମ୍ବଳର ଏକତ୍ରୀକରଣ କରାଯାଇ ଷ୍ଟେଟ୍ ସାଚ୍ୟୁରେସନ୍ ପ୍ଲାନ୍‌ରେ ୫୦,୨୬୩ କୋଟି ଟଙ୍କାର ପୁଞ୍ଜି ବରାଦ କରାଯାଇଛି। ଆମର ଖାଦ୍ୟ ନିରାପତ୍ତା ମିସନ୍ ୨୦୨୦-୨୧ର ରାଜ୍ୟ ଖାଦ୍ୟ ନିରାପତ୍ତା ସୂଚକାଙ୍କରେ ବଡ଼ ରାଜ୍ୟ ମଧ୍ୟରେ ଚତୁର୍ଥ ସ୍ଥାନ ହାସଲ କରିଛି। କୋଭିଡ୍‌ ମହାମାରୀ ସମୟରେ ରାସନ୍ କାର୍ଡଧାରୀଙ୍କୁ ଦୁଇଟି ପର୍ଯ୍ୟାୟରେ ଏକ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଗ୍ରାମାଞ୍ଚଳର ସବୁ ପରିବାରକୁ ନିରାପଦ ଆ‌ଶ୍ରୟସ୍ଥଳ ଯୋଗାଇ ଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ୨୦୧୪ ପର ଠାରୁ ବିଜୁ ପକ୍କା ଘର ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ଲେଖାଏ ଦିଆଯାଇଛି। ଆବାସ ଯୋଜନାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ଦିଆଯାଇଛି। ମହିଳାଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଉତ୍‌ଥାନରେ ମିସନ୍ ଶକ୍ତି ଗୁରୁତ୍ବପୂଣ୍ଣ ତଥା ସଫଳ ଭୂମିକା ନିଭାଇଛି। ସ୍ବୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ସଶକ୍ତ ମହିଳାଙ୍କ ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ରାଜ୍ୟର ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୧୫% ସିଟ୍‌ ସରକାରୀ ହାଇସ୍କୁଲ୍‌ରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ଅଛି। ସରକାରୀ ହାଇସ୍କୁଲ୍‌ରେ ବିଶ୍ବସ୍ତରୀୟ ଭିତ୍ତିଭୂମି ସୁବିଧା ଓ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୭୬ଟି ହାଇସ୍କୁଲ୍‌ ରୂପାନ୍ତରଣ ହୋଇଥିଲା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୩୩୬୫ ହାଇସ୍କୁଲ୍‌ର ରୂପାନ୍ତରଣ ହେବ। କ୍ରୀଡ଼ାବିତ୍‌ଙ୍କୁ ଲଗାତର ସହଯୋଗ ଓ କ୍ରୀଡ଼ା ଭିତ୍ତିଭୂମିରେ ପୁଞ୍ଜିନିବେଶ ମାଧ୍ୟମରେ ଭାରତୀୟ କ୍ରୀଡ଼ା ମାନଚିତ୍ରରେ ଏବେ ଓଡ଼ିଶା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ୫-ଟି ଓ ମୋ ସରକାର ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇବାକୁ ସମୟବଦ୍ଧ ଓ ଫଳପ୍ରଦ ପଦକ୍ଷେପ ନିଆଯାଇପାରୁଛି। ମହାମାରୀ ମୁକାବିଲାରେ ସାମୂହିକ ଉଦ୍ୟମ ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର