ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ : ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ବିଜୁ ଜନତ ଦଳ କଥାରେ ନୁହେଁ କାମରେ ବିଶ୍ୱାସ କରେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି  ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀଙ୍କୁ ସମ୍ବୋଧନ ସମୟରେ ଏହା କହିଛନ୍ତି। ଦଳୀୟ ପ୍ରାର୍ଥୀ ସ୍ବରୂପ ଦାସଙ୍କ ବିଜୟ ପରେ ଆଜି  ଭିଡିଓ କନଫରେନସିଂ ଜରିଆରେ ବାଲେଶ୍ୱରବାସୀଙ୍କୁ ସେ କହିଛନ୍ତି, ନିର୍ବାଚନ ବେଳେ ଦେଇଥିବା ସମସ୍ତ ପ୍ରତିଶ୍ରୁତି  ଆମେ ପୂରଣ କରିବୁ। ନବନିର୍ବାଚିତ ବିଧାୟକଙ୍କୁ ମୋର ଅଭିନନ୍ଦନ। ସେ ବାଲେଶ୍ୱରର ବିକାଶ ପାଇଁ କାମ ଜାରି ରଖନ୍ତୁ।

ନବୀନ କହିଛନ୍ତି, ବାଲେଶ୍ୱରର ପ୍ରିୟ ଭାଇ ଓ ଭଉଣୀଙ୍କୁ ନମସ୍କାର ଜଣାଉଛି। ଜନସାଧାରଣ ଯେଭଳି ଭାବେ ବିପୁଳ ଭୋଟ ଦେଇ ଦଳକୁ ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ସମସ୍ତଙ୍କ ନିକଟରେ ଋଣୀ। ଏହି ବିଜୟର ଶ୍ରେୟ ସମସ୍ତଙ୍କର। ଭୋଟର ଭାଇ-ଭଉଣୀ ଓ କର୍ମୀମାନେ ଉପନିର୍ବାଚନରେ ସହଯୋଗ କରିଛନ୍ତି। ଭାଇ-ଭଉଣୀମାନେ ବହୁ ପରିଶ୍ରମ କରିଛନ୍ତି। କୋଭିଡ ସମୟରେ ପ୍ରଚାର ଏତେ ସହଜ ନ ଥିଲା। କିନ୍ତୁ ଦଳ ପାଇଁ ସେମାନେ ବହୁ ପରିଶ୍ରମ କରିଛନ୍ତି। ନେତାମାନେ ଦକ୍ଷତାର ସହ ପ୍ରଚାର କାମ କରିଛନ୍ତି। ସେଥିପାଇଁ ଧନ୍ୟବାଦ। ବିଶେଷ କରି ମା’ମାନେ ଆମ ଦଳକୁ ଆଶୀର୍ବାଦ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ସୁଶାସନ ଚାଲିଛି। ପୂଜା ସମୟରେ ମଧ୍ୟ ଦଳୀୟ କର୍ମୀମାନେ ବହୁ ଉଦ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଯେଉଁମାନେ ବିଜେଡିକୁ ଭୋଟ ଦେଇଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଇବି ବୋଲି କହିଛନ୍ତି ନବନିର୍ବାଚିତ ବିଧାୟକ ସ୍ୱରୂପ ଦାସ। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ରବୀନ୍ଦ୍ର ଜେନା ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର