ବ୍ରହ୍ମପୁର: ‘ସେ ସମୟରେ ଆମ ଉପରେ ଚାପ ପକାଯାଇ ମାମଲା ରୁଜୁ କରିବାକୁ ବାଧ୍ୟ କରାଯାଇଥିଲା। ବିଜେଡିର କିଛି ନେତା, ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରାଶାସନିକ ଅଧିକାରୀଙ୍କ କଥାରେ ପଡ଼ି ପ୍ରଦୀପଙ୍କ ବିରୋଧରେ ଏତଲା ଦେଇଥିଲୁ। ତାଙ୍କୁ ଆମେ କୌଣସି ଟଙ୍କା ଦେଇ ନାହୁଁ। ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁ’ରେ ଟଙ୍କା ଠକେଇ ମାମଲାର ବିଚାରଣା ଆଜି ଆରମ୍ଭ ହୋଇଥିବା ବେଳେ ଅଦାଲତରେ ଏହା କହିଛନ୍ତି ଦୁଇ ଏତଲାକାରୀ। ମାମଲାରେ ଅଭିଯୁକ୍ତ ତଥା ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି କୋର୍ଟରେ ହାଜର ହୋଇଥିଲେ।
ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାର ବିଚାରଣା ଆରମ୍ଭ
ସାଂସଦ ପ୍ରଦୀପ ହାଜର, ଏତଲାକାରୀ ବୟାନ ବଦଳାଇଲେ
ସାଂସଦ ଓ ବିଧାୟକଙ୍କ ମାମଲା ବିଚାରଣା ପାଇଁ ରହିଥିବା ସ୍ବତନ୍ତ୍ର କୋର୍ଟ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (ଗ୍ରାମାଞ୍ଚଳ) ଜୁଏଲ୍ ପଟ୍ଟନାୟକଙ୍କ କୋର୍ଟରେ ଏହି ମାମଲାର ବିଚାରଣା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଦୁଇଟି ଟଙ୍କା ଠକେଇ ମାମଲା ଜିଆର୍-୨୨୨୫/୨୦ର ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ଜିଆର୍-୬୨/୨୧ର ଏତଲାକାରୀ ପ୍ରଭାତ ନାୟକ ନିଜର ସାକ୍ଷ୍ୟ ଦେଇଥିଲେ। ଏତଲା ବୟାନ ବଦଳାଇ ଉଭୟ ଏତଲାକାରୀ ଏହା କୋର୍ଟରେ କହିଥିବା ସାଂସଦଙ୍କ ଓକିଲ ଦୀପକ ପଟ୍ଟନାୟକ ଓ ଅସିତ ଶତପଥୀ କହିଛନ୍ତି। ବିଚାରଣା ଆରମ୍ଭ ହେବା କ୍ଷଣି ଏତଲାକାରୀଙ୍କ ଏଭଳି ବୟାନ୍ ମାମଲାର ସତ୍ୟତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ପ୍ରକାଶ ଥାଉ କି ପୂର୍ବରୁ ଏହି ଦୁଇଜଣଙ୍କ ସମେତ ୪ଜଣ ଏତଲାକାରୀ ଗତ ମେ’ରେ କୋର୍ଟରେ ସତ୍ୟପାଠ ଦାଖଲ କରି ମାମଲା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ।
ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଟଙ୍କା ଠକେଇ ନେଇ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ପ୍ରଦୀପଙ୍କ ନାମରେ ଅଭିଯୋଗ ହୋଇଥିଲା। ପ୍ରଥମେ କ୍ରାଇମ୍ବ୍ରାଞ୍ଚ ନିକଟରେ ଅଭିଯୋଗ ପରେ କଟକ ସାଇବର୍ ଥାନାରେ ମାମଲା ରୁଜୁ ହୋଇଥିଲା। କ୍ରାଇମ୍ବ୍ରାଞ୍ଚ ଟିମ୍ ଗତ ୨୦୨୦ ନଭେମ୍ବରରେ ବ୍ରହ୍ମପୁର ଆସିଥିଲା। ତଦନ୍ତ ପରେ ପର୍ଯ୍ୟାୟ କ୍ରମେ ପ୍ରଦୀପଙ୍କ ନାମରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା। ୪ଟି ମାମଲା ଗୋଳନ୍ଥରା ଥାନା (ଜିଆର୍ ନମ୍ବର-୨୨୨୫/୨୦, ୨୨୬୮/୨୦, ୬୨/୨୧, ୬୭୮/୨୧)ରେ ରୁଜୁ ହୋଇଥିବା ବେଳେ ଗୋଟିଏ ବୈଦ୍ୟନାଥପୁର ଥାନା (ଜିଆର୍ ନମ୍ବର-୫୧୧/୨୧)ରେ ରୁଜୁ ହୋଇଥିଲା। ସମସ୍ତ ମାମଲାର ଚାର୍ଜଫ୍ରେମ୍ ସରିବା ପରେ ଆଜିଠାରୁ ବିଚାରଣା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/11/6dzJRSL03Fd3CzATPkLn.jpg)