ସମ୍ବଲପୁର: ଗତ ୨୧ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍ ଦରରେ ବଡ଼ ଧରଣର ହ୍ରାସ କରିଥିଲେ। ଏହାଦ୍ବାରା ପେଟ୍ରୋଲ୍ ପମ୍ପ ଡିଲର୍ ମାନଙ୍କୁ ଉଚ୍ଚ ଦରରେ କିଣି ନିଜ ପାଖରେ ଗଚ୍ଛିତ ଥିବା ତେଲକୁ ହ୍ରାସ ପାଇଥିବା ମୂଲ୍ୟରେ ବିକ୍ରି କରିବାକୁ ପଡ଼ିଛି। ଫଳରେ ସେମାନଙ୍କୁ ବଡ଼ ଧରଣର ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ସେମାନଙ୍କୁ ହୋଇଥିବା କ୍ଷତି ସରକାର ଭରଣା କରନ୍ତୁ ଓ ତେଲ ଦର ହ୍ରାସ ବା ବୃଦ୍ଧି ସମୟରେ ୨୦୧୭ରେ ଲାଗୁ ହୋଇଥିବା ‘ଡାଇନାମିକ୍ ପ୍ରାଇସ୍ ମେକାନିଜିମ୍’କୁ ପାଳନ କରନ୍ତୁ ବୋଲି ସମ୍ବଲପୁର ପେଟ୍ରୋଲିୟମ୍ ଡିଲର୍ ସଂଘ ଦାବି କରିଛି। ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ପରାମର୍ଶଦାତାମଣ୍ଡଳୀ ସଦସ୍ୟ ଅଶୋକ କୁମାର କେଡିଆ କହିଲେ, ଜରୁରୀ ପରିସ୍ଥିତିକୁ ଏଡ଼ାଇବା ପାଇଁ ପେଟ୍ରୋଲପମ୍ପ ମାଲିକ ମାନେ ସବୁବେଳେ ୪ ଦିନ ପର୍ଯ୍ୟନ୍ତ ବିକ୍ରି ପାଇଁ ତେଲ ଗଚ୍ଛିତ ରଖନ୍ତି।
ଶନିବାର ବା କୌଣସି ଛୁଟିଦିନର ପୂର୍ବ କାର୍ଯ୍ୟ ଦିବସରେ ଅଧିକ କିଛି ତେଲ ରଖାଯାଏ। ସେହି ତେଲ ଡିଲର୍ମାନେ କମ୍ପାନିକୁ ଆଗୁଆ ଅର୍ଥ ପୈଠ କରି କିଣନ୍ତି। ଏଭଳି ସମୟରେ ସରକାର ହଠାତ ଏକକାଳୀନ ପ୍ରାୟ ୭ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଦରହ୍ରାସ କରିବା ଦ୍ବାରା ସମସ୍ତ ଗଚ୍ଛିତ ତେଲ ଉପରେ ଡିଲର୍ ମାନଙ୍କୁ ଲିଟର୍ ପିଛା ସେତିକି ଟଙ୍କା ଲେଖାଏଁ କ୍ଷତି ସହିବାକୁ ପଡ଼ିଛି। ସମ୍ବଲପୁର ଜିଲ୍ଲାର ଡିଲର୍ ମାନଙ୍କୁ ସର୍ବନିମ୍ନ ୫ ଲକ୍ଷରୁ ଆରମ୍ଭ କରି ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିଛି। ସୁନ୍ଦରଗଡ଼ର ଜଣେ ବଡ଼ ଡିଲର୍ ୨୫ ଲକ୍ଷ ଟଙ୍କା କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏଭଳି ସ୍ଥଳେ ସବୁ ପେଟ୍ରୋଲ୍ ପମ୍ପ ମାଲିକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଗତ ନଭେମ୍ବରରେ ମଧ୍ୟ ସେହିଭଳି ସ୍ଥିତି ହୋଇଥିଲା। ଏହାଦ୍ବାରା ବହୁ ଛୋଟ ତୈଳ ବ୍ୟବସାୟୀ ଦେବାଳିଆ ପରିସ୍ଥିତିକୁ ଆସି ଯାଇଛନ୍ତି।
ତେଣୁ ସରକାର ଡିଲର୍ମାନେ ସହିଥିବା ଆର୍ଥିକ ସ୍ଥିତିକୁ ଭରଣା କରନ୍ତୁ ବୋଲି ସେ ଦାବି କରିଥିଲେ। ୨୦୧୭ରେ ନିର୍ଦ୍ଧାରିତ ଡାଇନାମିକ୍ ପ୍ରାଇସ୍ ମେକାନିଜିମ୍ ଅନୁଯାୟୀ ଅଳ୍ପ ଅଳ୍ପ କରି ଦରବୃଦ୍ଧି ବା ହ୍ରାସ ହେବା କଥା। ଦରବୃଦ୍ଧି ବେଳେ ସେହି ନୀତି ଆପଣା ଯାଉଛି। କିନ୍ତୁ ଦର ହ୍ରାସ ବେଳେ କାହିଁକି ଏହା ନକରି ବ୍ୟବସାୟୀ ମାନଙ୍କୁ ତଳିତଳାନ୍ତ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ପମ୍ପ ମାଲିକ ମାନେ ଡିଜେଲ୍ ଲିଟର୍ ପିଛା ମାତ୍ର ୨ଟଙ୍କା ୧୩ ପଇସା ଓ ପେଟ୍ରୋଲ୍ ଲିଟର୍ ପିଛା ୩ ଟଙ୍କା ୩୯ ପଇସା କମିସନ୍ ପାଆନ୍ତି। ସବୁ ଦରଦାମ ବୃଦ୍ଧି ପାଇଥିବାବେଳେ ବହୁ ଦିନରୁ ଏହି କମିସନ୍ ଦର ସ୍ଥିର ରହିଛି। ତେଣୁ ସରକାର ଏହାକୁ ଅତି କମ୍ରେ ୫ଟଙ୍କାକୁ ବୃଦ୍ଧି କରନ୍ତୁ ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି। ଏନେଇ ରାଜ୍ୟ ଓ ଜାତୀୟସ୍ତରରେ ପେଟ୍ରୋଲିୟମ୍ ଡିଲର୍ ସଂଘ ପକ୍ଷରୁ ପ୍ରତିବାଦ କରା ଯାଉଥିବାବେଳେ ସମ୍ବଲପୁର ଶାଖା ମଧ୍ୟ ସରକାରଙ୍କ ଏଭଳି ନୀତିର ବିରୋଧ କରୁଛି ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ସଭାପତି ଯୁଗଳ କିଶୋର ଦାଶ, ଉପସଭାପତି ସନ୍ତୋଷ ଅଗ୍ରୱାଲ, ସଂପାଦକ ସତ୍ୟନାରାୟଣ ବେରିହା, ଯୁଗ୍ମସଂପାଦକ ଅବିନାଶ ମୋଦୀ, ପରାମର୍ଶଦାତା ପ୍ରଦୀପ ପଟେଲ ଏବଂ ରବୀନ୍ଦ୍ର ବଡ଼ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/୨୫.jpg)