ବାରଙ୍ଗ: ପରିବେଶର ସୁରକ୍ଷା ପାଇଁ ସବୁଆଡ଼େ ଗଛ ଲଗାଯାଉଛି। ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ସମସ୍ତେ ପରିବେଶକୁ ରକ୍ଷା କରିବା ପାଇଁ ଚିତ୍କାର କରୁଛନ୍ତି। ପରିବେଶକୁ ସୁରକ୍ଷିତ ରଖିବାକୁ ଆମକୁ ସୁପରହିରୋ ହେବାର ଆବଶ୍ୟକତା ନାହିଁ। କେବଳ ଜଣେ ସ୍ମାର୍ଟ ସିଟିଜେନ୍ ହୋଇପାରିଲେ ଯଥେଷ୍ଟ ହେବ। ଆଗକୁ ସବୁବେଳେ ସହରୀକରଣ ହେବ, ଉନ୍ନୟନମୂଳକ କାର୍ଯ୍ୟ ଚାଲିବ। ଏହାକୁ ରୋକି ହେବନି। କିନ୍ତୁ ପ୍ରତ୍ୟେକ ଯଦି ନିଜ ପାରିପାର୍ଶ୍ବିକ ଅବସ୍ଥା ପ୍ରତି ସଚେତନ ଥିବେ ତାହେଲେ ପରିବେଶ ଆପେଆପେ ସଜାଡ଼ି ହୋଇଯିବ ବୋଲି ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ କହିଛନ୍ତି।
‘ସମ୍ବାଦ’ ପକ୍ଷରୁ ବାଙ୍କୀ ନିର୍ବାଚନମଣ୍ଡଳୀର ତ୍ରିଶୂଳିଆ ନରଣପୁରଠାରେ ଥିବା କେଏମ୍ବିବି ମହାବିଦ୍ୟାଳୟରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ କହିଛନ୍ତି, ବାରଙ୍ଗ ଅଞ୍ଚଳରେ ଜଳ ନିଷ୍କାସନକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ଏନେଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଜଣେ ବିଧାୟକ ଭାବେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରିବା ଆମର ଦାୟିତ୍ବ। ତେବେ ଯେଉଁଠି ପରିବେଶ ପ୍ରତି ବିପଦ ରହୁଛି ସେଠାରେ ନାଗରିକମାନେ ପ୍ରତିବାଦର ସ୍ବର ଉଠାନ୍ତୁ। ଏ ଦିଗରେ ବ୍ୟାପକ ଜନଜାଗରଣ ସୃଷ୍ଟି ହେବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି। ଗଛ ଲଗାଇବା ସହିତ ତାହାର ସୁରକ୍ଷା କରିବାକୁ ହେବ ବୋଲି ବିଧାୟକ କହିବା ସହିତ ଅଞ୍ଚଳର ପରିବେଶ ସଂପର୍କିତ ଯେଉଁ ସବୁ ପ୍ରସଙ୍ଗ ଉତ୍ଥାପନ ହେଲା, ତାହାର ସମାଧାନ ପାଇଁ ଉଦ୍ୟମ କରିବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ‘ସମ୍ବାଦ’ର ପୁନଶ୍ଚ ପୃଥିବୀ ଭଳି କାର୍ଯ୍ୟକ୍ରମରେ ସାମିଲ ହେବା ଆତ୍ମସନ୍ତୋଷ ଦିଏ ବୋଲି ବିଧାୟକ କହିଛନ୍ତି। କେଏମ୍ବିବି ଶିକ୍ଷାନୁଷ୍ଠାନ ସମୂହର ନିର୍ଦ୍ଦେଶକ ବିଜୁନି ସୂତାରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ ତଥା ଉପମହାପ୍ରବନ୍ଧକ (ବାର୍ତ୍ତା) କୃଷ୍ଣପ୍ରସାଦ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲା ବେଳେ ଡିନ୍ (ପ୍ରଶାସନ) ମିନତିପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ‘ସମ୍ବାଦ’ କଟକ ଜିଲ୍ଲା ପ୍ରତିନିଧି ଦୀପ୍ତିରଂଜନ ସାମଲ ଓ ବାରଙ୍ଗ ପ୍ରତିନିଧି ରୁଦ୍ରପ୍ରସାଦ ଷଡ଼ଙ୍ଗୀ ପରିଚାଳନାରେ ସହଯୋଗ କରିଥିଲେ।