ଓଡ଼ିଶାର ବିକାଶ କରିବାକୁ ହେବ ଯେପରିକି କୌଣସି ଶ୍ରମିକକୁ  କାମ ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ : ଅମିତ ଶାହା

ଭୁବନେଶ୍ୱର : ଓ଼ଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ ଯେପରିକି କୌଣସି ଶ୍ରମିକକୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦୀ ସରକାର କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରର ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଭର୍ଚୁଆଲ ର‍୍ୟାଲିରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ମୋଦୀ ସରକାର ବଚନବଦ୍ଧ ଅଛନ୍ତି । ଭାଜପା ଦ୍ୱାରା ହିଁ ଓଡ଼ିଶା ଓ ଦେଶକୁ ବିକଶିତ କରିହେବ । ଏଥିପାଇଁ ଓଡ଼ିଶାକୁ ଭାଜପାର ଗଡ଼ କରିବାକୁ ହେବ ।

ସେ କହିଛନ୍ତି ଯେ ପୂର୍ବର କଂଗ୍ରେସ ସରକାର ଅମଳରେ ଓଡ଼ିଶାକୁ ନିୟମିତ ଭାବେ ଅବହେଳା କରାଯାଉଥିଲା । ୧୩ଶ ଅର୍ଥ ଆୟୋଗ ମାଧ୍ୟମରେ କଂଗ୍ରେସ ସରକାର ଓଡ଼ିଶାକୁ ମାତ୍ର ୭୯୪୮୬ କୋଟି ଟଙ୍କା ଦେଇଥିଲେ । କିନ୍ତୁ ମୋଦୀ ସରକାର ଆସିବା ପରେ ଓଡ଼ିଶାକୁ ଗତ ୫ ବର୍ଷରେ ଓଡ଼ିଶାକୁ ପ୍ରାୟ ୫ ଲକ୍ଷ ୫୨ ହଜାର ୧୦୯ କୋଟି ପ୍ରଦାନ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ଏହା ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସରକାରଙ୍କୁ ଦୁଃଖ ଦେଇଛି । କିନ୍ତୁ ସେମାନଙ୍କ ସୁରକ୍ଷା ସରକାରଙ୍କୁ ଅଧିକ ଚିନ୍ତିତ କରିଥିଲା । ତେବେ ସୁଖର କଥା ହେଉଛି, କେନ୍ଦ୍ର ସରକାର ଓ ସବୁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଭଲ କାମ କରିଛନ୍ତି ।

ଅନ୍ୟପକ୍ଷରେ ଶାହା କହିଛନ୍ତି ଯେ ସରକାରଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ ଦ୍ୱାରା ଓଡ଼ିଶାର କୃଷକ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନେ ଉପକୃତ ହେବେ । କୃଷିଜାତ ସାମଗ୍ରୀର ଏମଏସପି ବୃଦ୍ଧି ଯୋଗୁଁ ଓଡ଼ିଶାର କୃଷକ ବିଶେଷ ଭାବେ ଉପକୃତ ହେବେ । କାରଣ ଓଡ଼ିଶାର ମୋଟ କୃଷି ଉତ୍ପାଦନର ୭୦ ପ୍ରତିଶତ ଧାନ ।

ସମ୍ବନ୍ଧିତ ଖବର