ଭୁବନେଶ୍ବର : କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଶ୍ବାଳଙ୍କ ମୃତ୍ୟୁ‌ରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, ଓଡ଼ିଶା ରାଜନୀତି ପ୍ରତି ତାଙ୍କ ମୂଳ ଅବଦାନକୁ ଆମେ ୧୯୯୭ ମସିହାରେ ପ୍ରତ୍ୟକ୍ଷ କରିଥିଲୁ। ସେ ଉପମୁଖ୍ୟମନ୍ତ୍ରୀ ପଦରେ ଥାଇ ପଞ୍ଚାୟତିରାଜ ଦାୟିତ୍ବ ବୁଝୁଥିଲେ। ତାଙ୍କ ସମୟରେ ପ୍ରଥମଥର ପାଇଁ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ଶୀର୍ଷସ୍ତରରେ ଦଳୀୟ ଭିତ୍ତିରେ ନିର୍ବାଚନ ହୋଇଥିଲା। ବ୍ୟକ୍ତିଗତ ଭାବେ ମୋର ବହୁତ ବଡ଼ କ୍ଷତି। ମୋ ମା’ଙ୍କ ଘର ମଧ୍ୟ ଝାରସୁଗୁଡ଼ାରେ, ଯେଉଁ ସ୍ଥାନ କି ସ୍ବର୍ଗତ ବିଶ୍ବାଳଙ୍କ ରାଜନୈତିକ କ୍ଷେତ୍ର। ସେହି ଦୃଷ୍ଟିରୁ ଆମେ ତାଙ୍କୁ ମାମା ବୋଲି ଡାକୁ। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ମଧ୍ୟ ମୋ ଭଳି ତାଙ୍କୁ ମାମା ଡାକନ୍ତି।

ଆଜି କଂଗ୍ରେସ ଭବନରେ ଶୋକସଭା

Advertisment

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ଆଜି କଂଗ୍ରେସ ଭବନରେ ଏକ ଶୋକସଭା ଅନୁଷ୍ଠିତ ହେବ। ଶୋକସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ କଂଗ୍ରେସର ସମସ୍ତ ନେତୃବୃନ୍ଦ, ଛାମୁଆ ସଂଗଠନ, କର୍ମୀ ଓ ଶୁଭେଚ୍ଛୁମାନେ ସକାଳ ସାଢ଼େ ୧୦ଟାରେ କଂଗ୍ରେସ ଭବନରେ ସ୍ବର୍ଗତ ବିଶ୍ବାଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପିସିସି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଅନୁରୋଧ କରାଯାଇଛି।