ସୁନ୍ଦରଗଡ଼: ପୁନଶ୍ଚ ପୃଥିବୀ। ଏହି ଛଅଟି ଶବ୍ଦର ଉଚ୍ଚାରଣ ମାତ୍ରକେ ଆମକୁ ଚେତାଇ ଦେଉଛି ଯେ ବଞ୍ଚିବା ପାଇଁ ଆମେ ଯେଉଁ ପୃଥିବୀ ପାଇଛୁ, ତାହା ଆମ ସଚେତନତାର ଅଭାବ ଓ ବେପରୁଆ ମନୋଭାବ ଯୋଗୁ ଉଜୁଡ଼ି ଗଲାଣି। ଏହାକୁ ପୁଣି ଥରେ ସଜାଡ଼ି ପରପିଢ଼ି ହାତରେ ଅର୍ପଣ କରିବାକୁ ହେବ। କେବଳ ସଚେତନତା ନୁହେଁ, ଏଥିପାଇଁ ସଜାଗ ସୈନିକ ଭଳି ଲଢ଼ିବାକୁ ହେବ। ପରିବେଶ ପଞ୍ଚାୟତ ଜନ ଆନ୍ଦୋଳନର ରୂପ ନେଲେ ଏ ମହତ୍ ଅଭିଯାନ ସଫଳ ହେବ। ରବିବାର ‘ସମ୍ବାଦ’ ତରଫରୁ ତଳସରା ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ପରିବେଶ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ବିଧାନସଭା ଉପବାଚସ୍ପତି ଭବାନୀଶଙ୍କର ଭୋଇ ଏହା କହିଛନ୍ତି। ରେଙ୍ଗାଲିସ୍ଥିତ ତଳସରା ମଧ୍ୟମ ଜଳସେଚନ ପ୍ରକଳ୍ପ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ଶ୍ରୀ ଭୋଇ ଉଜୁଡ଼ା ପରିବେଶର ସୁରକ୍ଷା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଖଣିଖାଦାନ ନ ଥିବାରୁ ତଳସରା ଅଞ୍ଚଳର ପରିବେଶ ସୁରକ୍ଷିତ ରହିଛି ବୋଲି ପ୍ରକାଶ କରିଥିଲେ।

Advertisment

ମୁଖ୍ୟବକ୍ତା ବିଶିଷ୍ଟ ପରିବେଶପ୍ରେମୀ ସୁଧାଂଶୁ କୁମାର ଚୌଧୁରୀ ଯୋଗ ଦେଇ ପୃଥିବୀକୁ ନିଜ ହାତରେ ମଣିଷ ନଷ୍ଟ କରି ନିଜ ଗୋଡ଼ରେ କୁରାଢ଼ି ମାରୁଛି ବୋଲି କହିଥିଲେ। ଖଣିଖାଦାନ ଯୋଗୁଁ ସୁନ୍ଦରଗଡ଼ରେ ବ୍ୟାପକ ଜଙ୍ଗଲ ନଷ୍ଟ ସହିତ ଭୂତଳ ଜଳସ୍ତର ଉଦ୍‌ବେଗଜନକ ଭାବେ ହ୍ର‌ାସ ପାଉଛି। ଏବେ ପାଣି କିଣୁଛୁ, ସଜାଗ ନ ହେଲେ ଆଗକୁ ଅମ୍ଳଜାନ ଥଳି ଧରି ବୁଲିବାକୁ ପଡ଼ିବ ବୋଲି ସତର୍କ କରାଇଥିଲେ। ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ତଥା ଯୁବ ସମାଜସେବୀ ଦେବେନ୍ଦ୍ର ମାଝୀ ପରିବେଶ ବିପର୍ଯ୍ୟୟ ପ୍ରତି ସତର୍କ ନ ହେଲେ ଏହା ଜୀବଜଗତର ଧ୍ବଂସର କାରଣ ହେବ ବୋଲି କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଜଙ୍ଗଲ ପରିଦର୍ଶନ କରାଇ ଗଛଗୁଡ଼ିକୁ ଚିହ୍ନିବାର ଅଭିଯାନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ତଳସରା ତଥା ସୁନ୍ଦରଗଡ଼ରୁ କାରଖାନା ପାଉଁଶ ହଟାଇବା ଦିଗରେ ପଦକ୍ଷେପ ନେବାକୁ ସେ ଉପବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

ଅନ୍ୟତମ ଅତିଥି ଯୁବ ସମାଜସେବୀ ରୂପେଶ ପଟେଲ ପରିବେଶ ଅସନ୍ତୁଳନର କାରଣ ଓ ତାର କୁପ୍ରଭାବ ଉପରେ ଆଲୋକପାତ କରିବା ସହିତ ପ୍ଲାଷ୍ଟିକ ବର୍ଜନ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ତୁମୁଲିଆ ସରପଞ୍ଚ ଦେବଲାଲ ଲାକଡ଼ା, ଯମୁନା ସରପଞ୍ଚ ଜଗନ୍ନାଥ ଛତ୍ରିଆ ପରିବେଶ ସୁରକ୍ଷା ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ। ‘ସମ୍ବାଦ’ ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ‘କନକ ନ୍ୟୁଜ’ ପ୍ରତିନିଧି ଦେବାଶିଷ କବି ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଲସନ ବାରୁଆ, କିଶୋର ରାଉତ, ରବିରତ୍ନ ପଟେଲ, ସୁମନମଣି ପଟେଲ, ସାଂସଦଙ୍କ ପ୍ରତିନିଧି ଉଚ୍ଛବ ତନ୍ତୀ, ଅଜୟ ପଟେଲ, ବିଶେଶ୍ବର ପଟେଲ, ପ୍ରଶାନ୍ତ ସେଠ, ନେତ୍ରାନନ୍ଦ ଖଟେଇ ବନମାଳି ବାରସତିଆ, ଚୁମନମଣି ପଟେଲ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଉପବାଚସ୍ପତି ଶ୍ରୀ ଭୋଇ ଓ ଅନ୍ୟ ଅତିଥିମାନେ ଚାରାରୋପଣ କରିଥିଲେ।