ସମୃଦ୍ଧ ଭାରତ ପାଇଁ ସୁସ୍ଥ ନାଗରିକ ଆବଶ୍ୟକ କରୁ: ମାଣ୍ଡବୀୟ

ପିଆଇବି, ଦୂରଦର୍ଶନ, ଆକାଶବାଣୀର ଆଞ୍ଚଳିକ ଅଧିକାରୀ ଓ ଆଞ୍ଚଳିକ ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କ ସହିତ ମନସୁଖ ମାଣ୍ଡବୀୟଙ୍କ ଆଲୋଚନା

ଭୁବନେଶ୍ବର : ଏକ ସମୃଦ୍ଧ ଭାରତ ପାଇଁ ଆମେ ସୁସ୍ଥ ନାଗରିକ ଆବଶ୍ୟକ କରୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟକୁ ନିଜ କାର୍ଯ୍ୟସୂଚୀର କେନ୍ଦ୍ରରେ ରଖିଛନ୍ତି ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ଭାରତ ମଧ୍ୟ “ ହିଲ୍ ଇନ୍ ଇଣ୍ଡିଆ” ଓ “ହିଲ୍‌ ବାଏ ଇଣ୍ଡିଆ” ପ୍ରୟାସ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଣରେ ବିଶ୍ୱରେ ନେତୃତ୍ୱ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ କହିଛନ୍ତି। ଶୁକ୍ରବାର ପିଆଇବି, ଦୂରଦର୍ଶନ ଓ ଆକାଶବାଣୀର ଆଞ୍ଚଳିକ ଅଧିକାରୀ ଏବଂ ଆଞ୍ଚଳିକ ଗଣମାଧ୍ୟମ ବ୍ୟକ୍ତିତ୍ୱମାନଙ୍କ ସହ କଥୋପକଥନ ସମୟରେ ସେ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମ ଅନ୍‌ଲାଇନ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା । ଏଥିରେ ୧୫୦ରୁ ଅଧିକ ଅଧିକାରୀ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟ ବିଷୟକ ସାମ୍ବାଦିକ ସବୁ ରାଜ୍ୟରୁ ଭାଗ ନେଇଥିଲେ।

ପ୍ରାରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, କୋଭିଡ ମହାମାରୀ ସଂକ୍ରମଣ କାଳରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ଏଭଳି ଏକ ପରୀକ୍ଷାର ଘଡ଼ିରେ ସାମ୍ବାଦିକମାନେ ଆଶାନୁରୂପ କାର୍ଯ୍ୟ କରି ପ୍ରକୃତ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ। କରୋନାକୁ ନେଇ ଯେଉଁ ବିଭ୍ରାନ୍ତିକାର ଖବର ଓ ଭୁଲ ତଥ୍ୟ ପ୍ରଚାରିତ ହେଉଥିଲା ତାହାକୁ ନିର୍ଭୁଲ ତଥ୍ୟ ଭିତ୍ତିକ ଖବର ଦେଇ ସେମାନେ ଏହାର ପ୍ରତିହତ କରିଥିଲେ । ଏହା ଫଳରେ କରୋନାକୁ ନେଇ ରହିଥିବା ଭ୍ରାନ୍ତି, କାଳ୍ପନିକ କଥା ଓ ଭୟ ଦୂର ହୋଇଥିଲା । ଫଳରେ ଲୋକଙ୍କ ମଧ୍ୟରେ ଟିକା ନେବା ପାଇଁ ଆଗ୍ରହ ବଢ଼ିଥିଲା ଏବଂ ଏଥିପ୍ରତି ଥିବା ବିରୋଧ ହ୍ରାସ ପାଇଥିଲା।

ଏହି ମହାମାରୀ କାଳରେ ପିଆଇବି, ଦୂରଦର୍ଶନ ସମାଚାର, ଆକାଶବାଣୀ ସମାଚାରର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରି ସେ ଆହୁରି କହିଥିଲେ ଯେ ଏହା କେବଳ ସରକାରୀ ଉଦ୍ୟମ ନ ଥିଲା, “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ”ମାଧ୍ୟମରେ ଆମେ ବିଶ୍ୱର ସର୍ବବୃହତ ଟିକାଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ଆରମ୍ଭ କରିପାରିଥିଲୁ । ଏହି ମହାମାରୀ କାଳରେ ଯେଉଁ ସାମ୍ବାଦିକମାନେ ପ୍ରାଣ ହରାଇଥିଲେ ସେମାନଙ୍କ ସ୍ମୃତି ପ୍ରତି ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ -ଗଣମାଧ୍ୟମ ମହାମାରୀ କାଳରେ ନିଜର ସାମର୍ଥ୍ୟର ଏକ ଅତି ଉଚ୍ଚ ମାନ ପ୍ରଦର୍ଶନ କରିଥିଲା । ଏକ ସମୃଦ୍ଧ ଭାରତ ପାଇଁ ଆମେ ଏକ ସୁସ୍ଥ ଭାରତ ଆବଶ୍ୟକ କରୁ ଏବଂ ଏକ ସୁସ୍ଥ ଭାରତ ପାଇଁ ସ୍ୱସ୍ଥ ନାଗରିକଙ୍କ ଆବଶ୍ୟକତା ରହିଛି -ଏହି ବାର୍ତ୍ତାକୁ ଗଣମାଧ୍ୟମ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଉଚିତ । ଆମେ ଇତି ମଧ୍ୟରେ ହର୍ ଘର୍ ଦସ୍ତକ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛୁ । ଲୋକଙ୍କୁ ଟିକାନେବାକୁ ଉତ୍ସାହିତ କରିବା ସହିତ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଟିକା ଡୋଜ ଦେବା ଏହି ଅଭିଯାନର ଲକ୍ଷ୍ୟ । ଏହି ବାର୍ତ୍ତା ଜନସାଧାରଣଙ୍କ ପାଖରେ ଅଧିକରୁ ଅଧିକ ପହଂଚାଇବାରେ ମୁଁ ଆପଣମାନଙ୍କ ସହଯୋଗ ଲୋଡୁଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର