‘ଓଡ଼ିଶାରେ ଥିବା ସମ୍ଭାବନା ପାଇଁ ପ୍ରୋତ୍ସାହନ ଓ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ’

ପ୍ରଥମ ଗୁରୁପ୍ରସାଦ ମହାପାତ୍ର ସ୍ମାରକୀ ବକ୍ତୃତା

ଭୁବନେଶ୍ବର: ଓଡ଼ିଶାକୁ ପ୍ରକୃତି ସବୁ କିଛି ଅଜାଡ଼ି ଦେଇଛି। ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ, ଭାସ୍କର୍ଯ୍ୟର ତୁଳନା ନାହିଁ। ଏହାର ଖାଦ୍ୟ, ପୋଷାକ ମଧ୍ୟ ନିଆରା। ମାଟି ତଳେ ଭରପୂର ଖଣିଜ ସମ୍ପଦ, ଦୀର୍ଘ ବେଳାଭୂମି, ପର୍ଯ୍ୟଟନର ବିରାଟ ସମ୍ଭାବନା ଓଡ଼ିଶାରେ ରହିଛି। ଓଡ଼ିଶାର ଉତ୍କର୍ଷର ସ୍ତର ବା ଗୁଣ ଅନ୍ୟ ପ୍ରଦେଶଠାରୁ ବହୁତ ଉଚ୍ଚରେ ରହିଛି। କିନ୍ତୁ ଓଡ଼ିଶା ମାର୍କେଟିଂ ଷ୍ଟ୍ରାଟେଜି ବା କିଣାବିକା କୌଶଳ ଉନ୍ନତମାନର ନୁହେଁ। ଯେଉଁଥିପାଇଁ ସବୁଥାଇ ବି କେଉଁଠି ନା କେଉଁଠି ଓଡ଼ିଶା ଆଗକୁ ଯାଇ ପାରୁନାହିଁ। ତେଣୁ ଓଡ଼ିଶାରେ ଥିବା ସମ୍ଭାବନାକୁ କିଣାବିକା କୌଶଳ କ୍ରମେ ଦେଶ ବିଦେଶରେ ପହଞ୍ଚାଇବାକୁ ପଡ଼ିବ ବୋଲି ଆଜି ଅନୁଷ୍ଠିତ ଗୁରୁପ୍ରସାଦ ମହାପାତ୍ର ସ୍ମାରକୀ ପ୍ରଥମ ବକ୍ତୃତା ସମାରୋହରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଭାରତୀୟ ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି।

ଗୁରୁପ୍ରସାଦ ମହାପାତ୍ର ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତି ‘ଆତ୍ମନିର୍ଭର ଭାରତରେ ଓଡ଼ିଶାର ସମ୍ଭାବନା/ସୁଯୋଗ’ ଉପରେ ବକ୍ତବ୍ୟରେ ଉଦାହରଣ ଦେଇ କହିଲେ ଯେ ଓଡ଼ିଆଙ୍କ ଘରେ ପ୍ରସ୍ତୁତ ହେଉଥିବା ଡାଲ୍‌ମା ଅନ୍ୟ କେଉଁଠି ମିଳେନାହିଁ। କଟକର ଦହିବରା, ଓଡ଼ିଶାର ପିଠା, ମିଠାର ସ୍ବତନ୍ତ୍ରତା ରହିଛି। ହେଲେ ଏହାକୁ ମାର୍କେଟିଂ କରାଯାଇ ପାରୁନାହିଁ। କିନ୍ତୁ ‘ଓ-କୋଲକତା’ ନାମରେ ପଶ୍ଚିମବଙ୍ଗର ଖାଇବାକୁ ପ୍ରମୋଟ୍‌ କରାଯାଉଛି। ରାଜସ୍ଥାନୀ, ଗୁଜୁରାତି ଖାଦ୍ୟକୁ ମଧ୍ୟ ପ୍ରମୋଟ୍‌ କରାଯାଉଛି। କିନ୍ତୁ ଓଡ଼ିଶାର ଖାଦ୍ୟ ଗୁଣବତ୍ତା, ସ୍ବାଦରେ ନିଆରା ହୋଇଥିଲେ ହେଁ ତାହା ଅନ୍ୟ ରାଜ୍ୟ ଓ ବିଦେଶରେ ଉପଲବ୍ଧ ହୋଇ ପାରୁନାହିଁ। ପୁରୀ ପଟ୍ଟଚିତ୍ର, ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଶାଢ଼ି ସହିତ ପାରମ୍ପରିକ ଶାଢ଼ିର ସ୍ବତନ୍ତ୍ରତା ରହିଛି।

ପର୍ଯ୍ୟଟକ ଓଡ଼ିଶାର ଦାରିଙ୍ଗବାଡ଼ିରେ କାଶ୍ମୀର ଭଳି ବରଫପାତକୁ ଉପଭୋଗ କରିପାରୁଛି। ଓଡ଼ିଶାର ମଠ, ମନ୍ଦିର, ବେଳାଭୂମି, ମୂର୍ତ୍ତିକଳା, ଭାସ୍କର ବିଦ୍ୟା ସବ୍ରାର୍ଗେ। ପାରମ୍ପରିକ ନୃତ୍ୟ, ଖାଦ୍ୟ, ପୋଷାକ, ଚିତ୍ରକଳାକୁ ପ୍ରଭୃତିକୁ ପ୍ରୋତ୍ସାହନ ଦେବାକୁ ପଡ଼ିବ। ସେମାନଙ୍କ ପାଇଁ ବଜାର ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ପର୍ଯ୍ୟଟନ କ୍ଷେତ୍ରକୁ ବିକାଶ କରିବାକୁ ପଡ଼ିବ। ଓଡ଼ିଶାରେ ଥିବା କଞ୍ଚାମାଲକୁ ଲକ୍ଷ କରି ଅଧିକ ଶିଳ୍ପକୁ ଭିତ୍ତିଭୂମି ଯୋଗାଇ ଦେବାକୁ ପଡ଼ିବ। ତେବେ ଯାଇ ଓଡ଼ିଶା ପ୍ରଗତିର ଶିଖରରେ ପହଞ୍ଚିବ ବୋଲି ସେ କହିଥିଲେ।

ସ୍ଥାନୀୟ ଜୟ‌ଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ବୋର୍ଡ ଅଫ୍‌ ରେଭିନ୍ୟୁ ମେମ୍ବର ଜି. ଭି. ଭି ଶର୍ମା ଯୋଗଦେଇ କହିଲେ ଯେ ଗୁରୁପ୍ରସାଦ ମେଳାପି ଓ ବନ୍ଧୁପ୍ରେମୀ ଥିଲେ। ପ୍ରଖ୍ୟାତ ସାହିତ୍ୟିକ ସ୍ବର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ ଗୁରୁପ୍ରସାଦ ବିଜେବି କଲେଜ ଓ ଜେଏନ୍‌ୟୁରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୯୮୬ ମସିହାରେ ଗୁଜୁରାଟ କ୍ୟାଡର୍‌ରେ ଯୋଗ ଦେଇଥିଲେ। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ ସେ ଗୁରୁତ୍ବପୁର୍ଣ୍ଣ ନିଯୁକ୍ତି ପାଇଥିଲେ। କେନ୍ଦ୍ର ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ (ଡିପିଆଇଆଇଟି) ସଚିବ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିବା ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆଡ୍‌ଭୋକେଟ୍‌ ଜେନେରାଲ(ଓଡ଼ିଶା) ଅଶୋକ ପରିଜା ଯୋଗଦେଇ କହିଲେ ଯେ ଓଡ଼ିଶା ଦୁଇ ଦଶନ୍ଧି ଧରି ଦୂରଦ୍ରଷ୍ଟା ନେତୃତ୍ବ ବଳରେ ସବୁ କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ କରି ପାରିଛି। ଓଡ଼ିଶା ସାରା ବିଶ୍ବର ସବୁଠାରୁ ବଡ଼ ଇଣ୍ଡଷ୍ଟ୍ରି ହବ୍‌ରେ ପରିଣତ ହେବାକୁ ଯାଉଛି। ତେବେ ଦେଶରେ କରୋନାର ପ୍ରଥମ ଲହର ସମୟରେ କରୋନା‌ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଗଠନ କରାଯାଇଥିବା କ୍ଷମତାସମ୍ପନ୍ନ ଗୋଷ୍ଠୀ-୨ର ଅଧ୍ୟକ୍ଷ ରୂପେ ଦେଶରେ ଅକ୍ସିଜେନ ‌ଯୋଗାଣକୁ କିଭଳି ସୁଚାରୁରୁପେ କାର୍ଯ୍ୟକାରୀ କରାଯିବ ସେ ନେଇ ଗୁରୁପ୍ରସାଦ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଥିଲେ।

ଏହି ସମୟରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବି ସେ ନିଜର ସରକାରୀ କର୍ତ୍ତବ୍ୟ ଜାରି ରଖିଥିଲେ। ବିଶ୍ରାମ ନେବାକୁ କୁହାଯିବା ସତ୍ତ୍ବେ ବି ସେ ଭିଡିଓ କନଫରେନ୍ସିଂ ବୈଠକରେ ଯୋଗ ଦେଇଥିଲେ। ଦେଶବାସୀଙ୍କ ପାଇଁ ତାଙ୍କର ନିଷ୍ଠା ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ ବୋଲି ଶ୍ରୀ ପରିଜା କହିଥିଲେ। ଏହି କାର୍ଯ୍ୟକ୍ରମକୁ ଦୀକ୍ଷା ତିୱାରୀ ସଂଯୋଜନା କରିଥିବା ବେଳେ ଗୁରୁପ୍ରସାଦ ମହାପାତ୍ର ଫାଉଣ୍ଡେସନ୍‌ର ଟ୍ରଷ୍ଟି ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏଥିରେ ସ୍ବର୍ଗତ ପଟ୍ଟନାୟକଙ୍କ ମା’ ପ୍ରସନ୍ନ କୁମାରୀ ଦେବୀ, ଧର୍ମପତ୍ନୀ ଅଞ୍ଜଳି ମହାପାତ୍ର, ପରିବାର ଅନ୍ୟ ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର