ଆମେ କୃତଜ୍ଞ

ମୋର ପ୍ରିୟ ଓଡ଼ିଶାବାସୀ,ଆପଣମାନଙ୍କୁ ନବବର୍ଷର ଆନ୍ତରିକ ଅଭିନନ୍ଦନ।

ବିଜୁ ଜନତା ଦଳକୁ ଆଜି କୋଡ଼ିିଏ ବର୍ଷ ପୂରିଛି। ଆପଣମାନଙ୍କ ଭଲପାଇବା ଓ ସମର୍ଥନକୁ ପୁଞ୍ଜିକରି ଆମ ଦଳ ଓଡ଼ିଶାକୁ ଏକ ନୂଆ ସୋପାନକୁ ନେବା ଲାଗି ଅହରହ ଉଦ୍ୟମ ଜାରି ରଖିଛି। ‘କଥା ନୁହେଁ, କଠିନ ପରିଶ୍ରମ’ – ଆଜି ଏହା ମୋ ପାଇଁ ଆଦର୍ଶ ପାଲଟିଯାଇଛି। ମୋର ଦୃଢ଼ ଆଶା, ବିଜୁ ଜନତା ଦଳର ପ୍ରତ୍ୟେକ ନେତା ଓ କର୍ମୀ ଏହି ଆଦର୍ଶକୁ ଆଧାରକରି ଆପଣମାନଙ୍କ ସେବାକୁ ପ୍ରାଥମିକତା ଦେବେ।ଆମକୁ ଏଇ ଦୁଇ ଦଶନ୍ଧିରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ଓ ଅନୁଭବ ମିଳିଛି। ସେହି ସଫଳତାର ଚିତ୍ର ଆଜି ଆମ ରାଜ୍ୟର ଗାଁଗହଳିରୁ ସହର ପର୍ଯ୍ୟନ୍ତ ସବୁଠି ଦିଶିଯାଉଛି। ଆଜି ଓଡ଼ିଶା ଅନେକ କ୍ଷେତ୍ରରେ ଏଭଳି ସଫଳତା ପାଇଛି ଯେ ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ନିଜକୁ ଏ ମାଟିର ସନ୍ତାନ ହିସାବରେ ଗର୍ବ ଅନୁଭବ କରୁଛନ୍ତି।

ଏହି କୋଡ଼ିଏ ବର୍ଷର ସଫଳ ଯାତ୍ରା ଆମ ପାଇଁ ଏକ ଆହ୍ଵାନ ସୃଷ୍ଟି କରିଛି। ତାହା ହେଉଛି, ଓଡ଼ିଶାକୁ ଆହୁରି ଆଗକୁ ନେବା ଓ ଏହାକୁ ଦେଶର ୧ ନମ୍ବର ରାଜ୍ୟ ଭାବେ ପ୍ରତିଷ୍ଠିତ କରିବା। ଏହା କିଛି କମ୍‌ ଗୁରୁ ଦାୟିତ୍ୱ ନୁହେଁ। କିନ୍ତୁ ମୋର ବିଶ୍ୱାସ, ଆପଣମାନଙ୍କ ଶ୍ରଦ୍ଧା ଓ ସହଯୋଗକୁ ପାଥେୟ କରି ଆମେ ଆଗାମୀ ଦିନରେ ଏହା ନିଶ୍ଚୟ ହାସଲ କରିପାରିବା।ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରତ୍ୟେକଟି ବିଷୟରେ ବିଜୁ ଜନତା ଦଳର ସ୍ୱର ଏବେ ଓଡ଼ିଶାର ପୂରପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସୁସ୍ପଷ୍ଟ। ମହାନଦୀ ହେଉ କି ପୋଲାଭରମ୍‌ ହେଉ କିମ୍ବା ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବା ହେଉ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ହେଉ କି କେନ୍ଦ୍ରୀୟ ଅନୁଦାନରେ ଆମର ନ୍ୟାଯ୍ୟ ପ୍ରାପ୍ୟ ହେଉ – ସବୁ ପ୍ରସଙ୍ଗରେ ଆମ ଦଳ ଲଢ଼େଇ ଜାରି ରଖିଛି। ଓଡ଼ିଶାର ସ୍ୱାର୍ଥ ସହ କୌଣସି ପ୍ରକାର ସାଲିସ୍‌ କରାଯିବ ନାହିଁ। ଆମର ଲକ୍ଷ୍ୟ ଏବଂ ପ୍ରାଥମିକତା ହେଉଛି ଓଡ଼ିଶାର ପୂର୍ଣ୍ଣ ବିକାଶ। ମୁଁ ଚାହେଁ ଏହି ବିକାଶର ପ୍ରଭାବ ଆମ ରାଜ୍ୟର ଘରେ ଘରେ ପହଞ୍ଚିବା ଦରକାର। ଗତ ଦୁଇ ଦଶନ୍ଧି ଭିତରେ ଆମ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହାସଲ କରିଛି। ବିଶେଷ କରି ଦାରିଦ୍ର୍ୟ ଦୂରୀକରଣ, ମାତୃ ଓ ଶିଶୁ ମୃତ୍ୟୁ ଅନୁପାତ ଉଲ୍ଲେଖନୀୟ ଭାବରେ ହ୍ରାସ କରିବା, ଜନଜାତିଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା, କୃଷି ଏବଂ କୃଷକଙ୍କୁ ସହଯୋଗର ହାତ ବଢ଼ାଇ କୃଷି ଉତ୍ପାଦନ ସହିତ ସେମାନଙ୍କ ଆୟ ବୃଦ୍ଧି କରିବା, ନିରାଶ୍ରୟଙ୍କୁ ପେନ୍‌ସନ୍‌ ଯୋଗାଇ ଦେବା, ଭିିତ୍ତିଭୂମିର ଦ୍ରୁତ ବିକାଶ ସହିତ ଯୁବକ ଯୁବତୀମାନଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ମହିଳାମାନଙ୍କୁ ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସ୍ତରରେ ସଶକ୍ତ କରିବା, ଗ୍ରାମାଞ୍ଚଳର ଗରିବ ପରିବାରଗୁଡି଼କ ପାଇଁ ଆଶ୍ରୟ ସୁରକ୍ଷା, ରାଜ୍ୟର ୮୫%ରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା, ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୁଗାନ୍ତକାରୀ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଇବା, ନିର୍ମାଣ କ୍ଷେତ୍ର ତଥା ଅନ୍ୟାନ୍ୟ ଅସଂଗଠିତ କ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ଉନ୍ନୟନ, କେବିକେ ଅଞ୍ଚଳର ସାମଗ୍ରିକ ବିକାଶ ଭଳି ଅନେକ କ୍ଷେତ୍ରରେ ଆଜି ଉନ୍ନତିର ଚିତ୍ର ସୁସ୍ପଷ୍ଟ। ଯୋଜନାଗୁଡିକର ସଫଳ କାର୍ଯ୍ୟକାରିତା ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ କିଭଳି ଏକ ନୂଆ ମୋଡ ଦେଇଛି ତାହା ମଧ୍ୟ ଲକ୍ଷ୍ୟ କରିବାର କଥା। ଏଥିପାଇଁ ବହୁବାର ଆମ ସରକାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ଓ ପୁରସ୍କୃତ ହୋଇଛି। ଏହି ସବୁ ସଫଳତାର ଶ୍ରେୟ କେବଳ ଆପଣମାନଙ୍କର। ବିଜୁ ଜନତା ଦଳ କେବଳ ଏକ ରାଜନୈତିକ ଦଳ ନୁହେଁ, ଏକ ସାମାଜିକ ପରିବର୍ତ୍ତନର ସୂତ୍ରଧର। ବିଜୁ ଜନତା ଦଳର ସବୁ ନେତା ଓ କର୍ମୀ ଏହି ଚିନ୍ତାଧାରାରେ ଅନୁପ୍ରାଣିତ ଜଣେ ଜଣେ ସେବକ। ଆଜି ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରି ଆମେ ରାଜ୍ୟବାସୀଙ୍କର ଏକ ଜରୁରୀ ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇପାରିଛୁ।

୨୦୦୦ ମସିହାରୁ ଆପଣମାନଙ୍କ ସୁଖ ଦୁଃଖର ସାଥୀ ହୋଇ ମୋତେ ସ୍ୱତନ୍ତ୍ର ଅନୁଭବ ମିଳିଛି। ସେତେବେଳକୁ ଆମ ଆର୍ଥିକ ସ୍ଥିତି ଦୟନୀୟ ଥିଲା। ସବୁ ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ ଭାବରେ ମୁକାବିଲା କରି ଆମେ ଆମ ରାଜ୍ୟକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇବାରେ ସମର୍ଥ ହୋଇପାରିଛୁ। ୧୯୯୯ ମହାବାତ୍ୟାରେ ଖିନ୍‌ଭିନ୍‌ ହୋଇଯାଇଥିବା ଓଡ଼ିଶା ଫାଇଲିନ୍‌ ବେଳେ ବିଶ୍ୱସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପାଇଁ ଆଜି ବିଶ୍ୱବିଦିତ। ଆଜି ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନ୍‌ସିପ୍ସ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା କାର୍ଯ୍ୟକ୍ରମର ସଫଳ ଆୟୋଜନ କରିବା ହେଉ ଅବା ବସ୍ତିବାସିନ୍ଦାଙ୍କ ପାଇଁ ଐତିହାସିକ ଜମି ଓ ସଂପତ୍ତି ଅଧିକାର ହେଉ, ଏସବୁ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ଆମ ସଫଳ ପ୍ରୟାସର ଗୋଟିଏ ଗୋଟିଏ ଫର୍ଦ୍ଦ। ଏହିସବୁର ଶ୍ରେୟ କେବଳ ଆପଣମାନଙ୍କର।ଶ୍ରେଷ୍ଠ ପ୍ରଶାସକ ଭାବେ ମୋତେ ଯେଉଁ ‘ଆଉଟ୍‌ଲୁକ୍‌ ସ୍ପିକ୍‌ଆଉଟ୍‌’ ସମ୍ମାନ ମିଳିଛି ତା’ ପଛରେ ରହିଛି ଆମ ଦୃଢ଼ ପ୍ରତିବଦ୍ଧତା, କଠିନ ପରିଶ୍ରମ ତଥା ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ଗଭୀର ଶ୍ରଦ୍ଧା ଓ ସମ୍ମାନ। ସେଥିପାଇଁ ଏହି ସମ୍ମାନକୁ ମୁଁ ଆପଣମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛି।ଆମ ସରକାର ରାଜ୍ୟର ସବୁ ଅଞ୍ଚଳର ସମାନୁପାତିକ ବିକାଶ ଉପରେ ଜୋର୍‌ ଦେଇ ଆସୁଛି। ମୋ ସରକାର ରାଜ୍ୟବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ସହ କିଭଳି ଆମର ସାଂସ୍କୃତିକ ଓ ବୌଦ୍ଧିକ ବିକାଶ ହୋଇପାରିବ ସେ ଦିଗରେ ସଚେତନ ରହିଛି। ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଆଜି କେନ୍ଦ୍ର ସରକାର ଅର୍ଥ କାଟ୍‌୍‌ କରିଥିବା ବେଳେ ଆମେ ନିଜସ୍ୱ ପାଣ୍ଠିରୁ ସେଗୁଡ଼ିକୁ ଚଳାଇ ରଖିବା ପାଇଁ ଉଦ୍ୟମ କରିଆସୁଛୁ। ମୋର ବିଶ୍ୱାସ, ଓଡ଼ିଶାର ବିକାଶ ପାଇଁ ଇଚ୍ଛାଶକ୍ତି ଥିଲେ ଅର୍ଥର ଅଭାବ ହେବ ନାହିଁ।ଛାତ୍ର ଓ ଯୁବଶକ୍ତି ଆମର ଭବିଷ୍ୟତ। ସବୁକ୍ଷେତ୍ରରେ କିଭଳି ମେଧାବୀ ଛାତ୍ରଛାତ୍ରୀମାନେ ଉଚିିତ ସୁଯୋଗ ପାଇବେ, ସେଥିନିମନ୍ତେ ବିଶେଷ ଧ୍ୟାନ ଦିଆଯାଉଛି। ସେହିପରି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଗଠନ କରାଯାଇ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ସହ ଯୁବପିଢ଼ି ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ଆମ ସରକାରଙ୍କର ଏକ ପ୍ରମୁଖ ଲକ୍ଷ୍ୟ।  ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆମର ସ୍ୱତନ୍ତ୍ର ଷ୍ଟାର୍ଟଅପ୍‌ ନୀତି ଏବଂ ନିବେଶ-ଉପଯୋଗୀ ଆଭିମୁଖ୍ୟ ଯୋଗୁଁ ରାଜ୍ୟରେ ଶିଳ୍ପର ବିକାଶ ହେବା ସହ ପୁଞ୍ଜି ନିବେଶ ପାଇଁ ପ୍ରକୃଷ୍ଟ ସୁଯୋଗ ସୃଷ୍ଟି ହୋଇଛି। ଆମ ରାଜ୍ୟର ବ୍ୟାପକ ପର୍ଯ୍ୟଟନ ସମ୍ପଦକୁ ଆଧାରକରି ଦେଶ ବିଦେଶରୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱତନ୍ତ୍ର ନୀତି ଓ କାର୍ଯ୍ୟକ୍ରମ କରାଯାଉଛି।

ଏକ ଆଞ୍ଚଳିକ ଦଳ ହୋଇ ମଧ୍ୟ ବିଜୁ ଜନତା ଦଳ ସର୍ବଭାରତୀୟ ସ୍ତରରେ ଆଜି ତା’ର ପତିଆରା ବଜାୟ ରଖିପାରିଛି। ଏହା ପଛରେ ରହିଛି ଆମ ଦଳର ନୀତି ଓ ଆଦର୍ଶ ତଥା ଓଡ଼ିଶାବାସୀଙ୍କ ବିକାଶ ପାଇଁ ଆମର ନିରବଚ୍ଛିନ୍ନ ଉଦ୍ୟମ। ଦିନେ ଭାଷା, କଳା ଓ ସଂସ୍କୃତି, ଭାସ୍କର୍ଯ୍ୟ, ବାଣିଜ୍ୟ ତଥା ବୀରତ୍ୱ – ସବୁ କ୍ଷେତ୍ରରେ କଳିଙ୍ଗ ବା ଉତ୍କଳ ଥିଲା ବିଶ୍ୱ ପାଇଁ ଆଦର୍ଶ। ସେହି ଐତିହ୍ୟ ଓ ଗୌରବ ଆଜି ବି ଆମର ପରିଚୟ।ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସହ ସମସ୍ତଙ୍କର ବିକାଶ ଆମ ଦଳର ମୂଳ ଆଦର୍ଶ। ଆପଣମାନେ ଆମର ଏହି ଆଦର୍ଶକୁ ବାରମ୍ବାର ସମର୍ଥନ ଜଣାଇଥିବାରୁ ମୁଁ ଆପଣମାନଙ୍କ ପାଖରେ ଚିର ଋଣୀ। ସେହିପରି ସ୍ୱଚ୍ଛତା ଏବଂ ଦୁର୍ନୀତି ବିରୋଧୀ ବିଚାରଧାରା ମୋ ପ୍ରଶାସନର ମୂଳ ଆଧାର। ଏଥିରେ କୌଣସି ବ୍ୟତିକ୍ରମ ହେବା ମୁୁଁ ଚାହେଁ ନାହିଁ। କେବଳ ସେତିକି ନୁହେଁ, ଓଡ଼ିଶାର ବିକାଶ ଓ ଆପଣମାନଙ୍କର ଉନ୍ନତିରେ ଆପଣଙ୍କ ଓ ମୋ ମଧ୍ୟରେ କୌଣସି ବ୍ୟବଧାନକୁ ମୁଁ ସହ୍ୟ କରିପାରିବି ନାହିଁ। ବିଜୁ ଜନତା ଦଳ କାହିଁକି? ଏ ପ୍ରଶ୍ନ ମୋ ମନକୁ ଆଜିଠାରୁ କୋଡ଼ିଏ ବର୍ଷ ତଳେ ଆସିଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଦିନେ ସ୍ପଷ୍ଟ କରିଥିଲେ ଯେ ଗୋଟିଏ ରାଜ୍ୟର ସାମଗ୍ରିକ ବିକାଶ କେବଳ ଏକ ବଳିଷ୍ଠ ଓ ପ୍ରତିବଦ୍ଧଶୀଳ ଆଞ୍ଚଳିକ ଦଳ ମାଧ୍ୟମରେ ସମ୍ଭବ ହୋଇପାରିବ। କାରଣ ସେ ସେତେବେଳଠାରୁ ତଥାକଥିତ ଜାତୀୟ ଦଳର ହାମ୍‌ବଡ଼ା ନୀତିକୁ ଅତି ନିକଟରୁ ଦେଖି କଷ୍ଟ ପାଇଥିଲେ। ଓଡ଼ିଶା ମଧ୍ୟ ବର୍ଷ ବର୍ଷ ଧରି ଏହି କାରଣରୁ କେନ୍ଦ୍ର ଅବହେଳାର ଶିକାର ହୋଇ ଆସିଥିଲା। ଆଜି ଆମ ଦଳ ଗଠନ ହେବାର ୨୦ ବର୍ଷ ପରେ ଏହାର ସଭାପତି ଭାବେ ମୁଁ ଦୃଢ଼ତାର ସହ କହିବି ଯେ ଏକ ପ୍ରଭାବଶାଳୀ ଏବଂ ଲୋକାଭିମୁଖୀ ଆଞ୍ଚଳିକ ଦଳ ହୋଇଥିବାରୁ ବିଜୁ ଜନତା ଦଳ ବିଗତ ଦୁଇ ଦଶନ୍ଧି ଧରି ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇପାରିଛି। ସେଥିପାଇଁ ଆପଣମାନଙ୍କ ନିକଟରେ ଆମେ କୃତଜ୍ଞ।

ବନ୍ଧୁଗଣ, ଓଡ଼ିଶା ଆଜି ବିଶ୍ୱ ଦରବାରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ପରିଚୟ ଆମେ ଗୋଟିକ ପରେ ଗୋଟିଏ ସୋପାନ ଚଢ଼ି ହାସଲ କରିଛୁ। କେବଳ ସେତିକି ନୁହେଁ ବିଭିନ୍ନ କ୍ଷେତ୍ରରେ ଆମର ଆଖିଦୃଶିଆ ପ୍ରଦର୍ଶନ ଆମକୁ ଭିତରୁ ଅଧିକ ଦୃଢ଼ କରିଛି। ତେଣୁ ଆଜି ବିଜୁ ଜନତା ଦଳର କୋଡ଼ିଏ ବର୍ଷ ପୂର୍ତ୍ତି ଅବସରରେ ମୁଁ ବିନମ୍ରତାର ସହ କହିବାକୁ ଚାହେଁ ଯେ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏହି ପରିଚିତିକୁ ଆଗକୁ ଆଗକୁ ନେଇଯିବା। ବାସ୍ତବରେ ଆମେ ଓଡ଼ିଶାର ବିକାଶ ଏବଂ ଓଡ଼ିଆ ସ୍ୱାଭିମାନକୁ ଏପରି ଏକ ସୋପାନକୁ ନେଇଯିବା, ଯେଉଁଥିପାଇଁ ଆମ ପିଲାମାନେ ଆମ ପାଇଁ ଗର୍ବ କରିବେ।

ଜୟ ଜଗନ୍ନାଥ।
ବନ୍ଦେ ଉତ୍କଳ ଜନନୀ।
(ନବୀନ ପଟ୍ଟନାୟକ)

ସମ୍ବନ୍ଧିତ ଖବର