ଭୁବନେଶ୍ବର: ବିଜେପି, ବିଜେଡି ଭଳି ଦଳ ଚଳାଇବା ପାଇଁ କଂଗ୍ରେସ ପାଖରେ ଏତେ ଟଙ୍କା ନାହିଁ। ଓଡ଼ିଶାରେ ନୂଆ ଚିନ୍ତାଧାରାରେ ରାଜନୀତି ହେବ। ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସକୁ ତିଆରି କରିବୁ ବୋଲି ପିସିସି ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭକ୍ତଚରଣ ଦାସ। ଆଜି କଂଗ୍ରେସ ଭବନରେ ଦଳୀୟ ନେତୃବର୍ଗଙ୍କ ସହ ଆଲୋଚନା ପରେ ଶ୍ରୀ ଦାସ କହିଥିଲେ, ଅତୀତରେ ଯେତେସବୁ ଆନ୍ଦୋଳନ ସଫଳ ହୋଇଛି ତାହା ଲୋକଙ୍କ ଯୋଗଦାନ ପାଇଁ ସମ୍ଭବ ହୋଇପାରିଛି। ସଙ୍ଗଠନକୁ ଚଳଚଞ୍ଚଳ କରିବା ପାଇଁ କିଛି ନୂଆ କରିବା ଲାଗି ଚେଷ୍ଟା କରିଥିଲୁ। ଭୁବନେଶ୍ବରରୁ ପୁରୀକୁ ପଦଯାତ୍ରା କରି ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛୁ। ଜଗନ୍ନାଥଙ୍କ ମାର୍ଗଦର୍ଶନ ସ୍ପଷ୍ଟ ଯେ ଗରିବ ଲୋକଙ୍କ ପାଇଁ କାମ କର। ଜଣେ ପିସିସି ସଭାପତି ହେବା ଅର୍ଥ ନୁହେଁ ଯେ ସିଏ ହିଁ ସବୁକିଛି। ମତେ ଯିଏ ଯାହା କହୁ ସବୁ ଶୁଣିବାକୁ ପ୍ରସ୍ତୁତ। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ବିଭିନ୍ନ ରାଜ୍ୟରେ ମତେ ବହୁ ବଡ଼ ଦାୟିତ୍ବ ଦେଇଛନ୍ତି। ରାଜ୍ୟରେ କଂଗ୍ରେସକୁ ସଂଗଠିତ କରି ତାଙ୍କ ଋଣ ଶୁଝିବି। 

Advertisment

ସେ ଆହୁରି ମଧ୍ୟ କହିଥିଲେ ଯେ ଖୁବଶୀଘ୍ର ରାଜନୈତିକ ଉପଦେଷ୍ଟା କମିଟି (ପିଏସି) ଗଠନ କରାଯିବ। ଏହାସହ ଉପସଭାପତି ପଦବିରେ ମଧ୍ୟ ଅନେକ ବରିଷ୍ଠଙ୍କୁ ଦାୟିତ୍ବ ଦେବା ଲାଗି ଆଲୋଚନା କରାଯିବ। ଆସନ୍ତା ୨୪ ତାରିଖରେ ଦଳର ସବୁ ବରିଷ୍ଠ ନେତୃମଣ୍ଡଳୀ ପୁନର୍ବାର ଏକାଠି ହୋଇ ଆଗାମୀ ରାଜନୈତିକ କାର୍ଯ୍ୟପନ୍ଥା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେବେ। ତେବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼୍‌ଗେ ନିର୍ବାଚନରେ କଂଗ୍ରେସ ହାରିଲେ ପିସିସି ସଭାପତି ଓ ପ୍ରଭାରୀ ଉତ୍ତରଦାୟୀ ରହିବେ ବୋଲି ଚରମବାଣୀ ଦେଇଛନ୍ତି। ଏହାର ଉତ୍ତରରେ ଶ୍ରୀ ଦାସ କହିଥିଲେ, ଦଳ ଯେଉଁ ଗୁରୁ ଦାୟିତ୍ବ ଦେଇଛି ତାକୁ ନିଶ୍ଚିତ ଭାବେ ତୁଲାଇବି। ନିର୍ବାଚନ ଫଳାଫଳ ପାଇଁ ଉତ୍ତରଦାୟୀ ରହିବି। 

ଖୁବ୍‌ଶୀଘ୍ର ରାଜନୈତିକ ଉପଦେଷ୍ଟା କମିଟି
 ଉପସଭାପତି ପଦବିରେ ସ୍ଥାନ ପାଇବେ ବରିଷ୍ଠ
ଓଡ଼ିଶାରେ ବିରୋଧୀ ଭୂମିକା ତୁଲାଇବ କଂଗ୍ରେସ: ଅଜୟ

ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ଓଡ଼ିଶାରେ କଂଗ୍ରେସ ଏକ ସଶକ୍ତ ବିରୋଧୀ ଦଳର ଭୂମିକା ନିର୍ବାହ କରିବ। ସାମାଜିକ ନ୍ୟାୟ ସହ ଗରିବ ଲୋକଙ୍କ ସ୍ବର ପାଲଟିବ। ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତସ୍ତରରେ କଂଗ୍ରେସକୁ ଚଳଚଞ୍ଚଳ କରାଯିବ। ଲୋକଙ୍କ ସମସ୍ୟା ନେଇ ସଡ଼କରୁ ସଦନ ଯାଏଁ ଲଢ଼େଇ କରାଯିବ। ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଥିଲେ, ଓଡ଼ିଶାରେ କଂଗ୍ରେସ ବିଧାୟକ ଦଳ ନେତା ଜଣେ ଆଦିବାସୀ ବର୍ଗର ଓ ପିସିସି ସଭାପତି ଦଳିତ ବଞ୍ଚିତ ବର୍ଗର। ଓଡ଼ିଶାରେ ଏଭଳି ଢଙ୍ଗରେ ନିଯୁକ୍ତି ଦେଇ ଏଆଇସିସି ଯେଉଁ ସାମାଜିକ ନ୍ୟାୟ ପାଇଁ ଲଢ଼େଇ ଡାକରା ଦେଇଛି ତାହାକୁ ଜଣାଇବାକୁ ଚେଷ୍ଟା କରିଛି। ଦଳର ସବୁ କର୍ମୀ ଓ ନେତା ସଭାପତିଙ୍କୁ ସହଯୋଗ କରିବେ। 

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ରାମ ଖୁଣ୍ଟିଆ, ସନ୍ତୋଷ ସିଂହ ସାଲୁଜା, ବିଜୟଲକ୍ଷ୍ମୀ ସାହୁ, ଅନନ୍ତ ସେଠୀ, ଶରତ ରାଉତ, ଅମର ପ୍ରଧାନ, ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ଏଆଇସିସି ସଂପାଦକ ସହନୱାଜ ଚୌଧୁରୀ, ରୋଜାଲିନା ତିର୍କୀ, ବିଶ୍ବଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନବନିଯୁକ୍ତି ସଭାପତି ଆଜିଠାରୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିଛନ୍ତି। ଆସନ୍ତା ୩ଦିନ ପୂର୍ବତନ ମନ୍ତ୍ରୀ, ଏଆଇସିସି କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି, ଛାମୁଆ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।