ଭୁବନେଶ୍ବର: ବଳଙ୍ଗାରେ ନାବାଳିକାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଯେଉଁଠି ଥିଲେ ‌ବି ଖୋଜି ଧରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କହିଛନ୍ତି ଯେ ସମସ୍ତ ଅପରାଧୀଙ୍କୁ ଖୋଜି ବାହାର କରିବୁ, କଠୋରରୁ କଠୋରତମ ଦଣ୍ଡ ପ୍ରଦାନ କରାଯିବ।

Advertisment

ଏୟାରଲିଫ୍ଟ କରିବାକୁ ସରକାର ପ୍ରସ୍ତୁତ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁଲିସ ଟିମ୍‌ ଅପରେସନ୍ ମୁଡ୍‌ରେ ଅଛି। ଯଥା ସମ୍ଭବ ଶୀଘ୍ର ଦୁର୍ବୃତ୍ତଙ୍କୁ ଧରିବାକୁ ପୁଲିସର ଏକାଧିମ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏହାସହ ଘଟଣାର ଆମୂଳଚୂଳ ତଦନ୍ତ ଜାରି ରହିଛି। ସେହିପରି ପୀଡ଼ିତାଙ୍କୁ ବଞ୍ଚାଇବାକୁ ରାଜ୍ୟ ସରକାର ସବୁ ପ୍ରକାରର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଭୁବନେଶ୍ବର ଏମ୍‌ସରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିବାବେଳେ ସଂପୃକ୍ତ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍‌ସରେ ଚିକିତ୍ସା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। 

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପୀଡିତାଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମ୍‍ଓ ଏମ୍‍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମ୍ପର୍କରେ ଖବର ରଖାଯାଉଛି। ଯଦି ତାଙ୍କୁ ଏୟାରଲିଫ୍ଟ କରିବା ପାଇଁ ପରିସ୍ଥିତି ଅନୁକୂଳ ହୁଏ ଏବଂ ଏଥିପାଇଁ ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶକ ଅନୁମୋଦନ ଦିଅନ୍ତି, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଦିଲ୍ଲୀ ନେବା 
ପାଇଁ ସମସ୍ତ ବ୍ୟବସ୍ଥା କରାଯିବ।