ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ‌ହିମନ୍ତ ବିଶ୍ବଶର୍ମା ଆଜି ବିଜେଡି ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଆସିବ। ଶପଥ ଗ୍ରହଣ ସମାରୋହକୁ ମୁଁ ଆ‌ସିବି। ଆଜି ଅପରାହ୍ଣରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ବିଶ୍ବଶର୍ମା ଗଣମାଧ୍ୟମକୁ କହିଛନ୍ତି ଏହା ମୋ ପାଇଁ ମନ୍ଦିର, ତେଣୁ ଦର୍ଶନ କରିବାକୁ ଆସିଥିଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରରେ ସରକାର ଗଠନ କରିବା ଦିନଠାରୁ ଓଡ଼ିଶା ପାଇଁ ବିଭିନ୍ନ ଯୋଜନା କରିବା ସହ ଲୋକଙ୍କ ବିକାଶ ପାଇଁ ଚିନ୍ତା କରିଛନ୍ତି। ତେଣୁ ୨୦୨୪ରେ ଓଡ଼ିଶାବାସୀ ବିଜେପିକୁ ସେବା କରିବାର ସୁଯୋଗ ଦେବେ। ଏହି ସୁଯୋଗର ଆଶୀର୍ବାଦ ଜଗତରନାଥ ଜଗନ୍ନାଥ ହିଁ କରିବେ।

Advertisment

ବିଜେଡିକୁ ଟାର୍ଗେଟ କରି ସେ କହିଛନ୍ତି ଯେ ଓଡ଼ିଶାରେ ବିଜେଡି କେବଳ ଏକ ମାହୋଲ ତିଆରି କରିଛି। ବାସ୍ତବରେ ଲୋକେ ବିଜେପିକୁ ପସନ୍ଦ କରୁଛନ୍ତି। ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୩୮% ଭୋଟ ପାଇଥିଲା। ମାତ୍ର ୪% ଭୋଟ ବ୍ୟବଧାନ ଥିଲା। ଦେଖୁ ଦେଖୁ ଓଡ଼ିଶାରେ ବିଜେପି ସରକାର ଗଠନ ହୋଇଯିବ। ମୋଦୀଜୀ ୫ବର୍ଷ ରେ ଓଡ଼ିଶା ପାଇଁ ଯେତେ କାମ କରିଛନ୍ତି ସେଥିରେ ଆଉ ୪% ଭୋଟ ଆପେ ଆପେ ଆସିଗଲାଣି। ଗତଥର ବିଜେପିକୁ ଲୋକସଭାରେ ୩୮%, ବିଧାନସଭାରେ ୩୨% ଭୋଟ୍ ମିଳିଥିଲା। ସେ କହିଛନ୍ତି ଯେ ବିଜେପି ସଂଗଠନ ଆଧାରିତ ଦଳ। ୨୦୨୪ ରେ ସାମୁହିକ ନେତୃତ୍ୱରେ ବିଜେପି ସରକାର କରିବ। ଯଦି ଓଡ଼ିଶାରେ ନବୀନ ବ୍ରାଣ୍ଡ୍‌ ଅଛି ତେବେ ବିଜେପିକୁ କେମିତି ୩୮% ଭୋଟ୍‌ ମିଳିଲା? ଓଡ଼ିଶାର ଯେଉଁ ବ୍ରାଣ୍ଡ୍‌ ଅଛି ତାହାର ନେଗେଟିଭ ବ୍ରାଣ୍ଡ୍‌ ମଧ୍ୟ ଅଛି। ଯଦି ୧କୋଟି ଲୋକ ଏକ ପାର୍ଟି, ଅନୁଷ୍ଠାନକୁ ବ୍ରାଣ୍ଡ ମାନୁନାହାନ୍ତି ତାହାଲେ ବିଜେପିକୁ କାହିଁକି ଏତେ ଭୋଟ ଦେଉଛନ୍ତି? ୨୦୨୪ରେ ଆଉ ୩୦ ରୁ ୫୦ଲକ୍ଷ ଭୋଟ ଆସିବା ପାଇଁ କେତେ ସମୟ ଲାଗିବ ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।

କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ କଂଗ୍ରେସ ଜୀବନସାରା ପାପ କରିଛି। ରାମ ମନ୍ଦିର ନହେବା ପାଇଁ କଂଗ୍ରେସ ଷଡ଼୍‌ଯନ୍ତ୍ର କରିଥିଲା। ରାମଙ୍କୁ ଦର୍ଶନ କଲେ ସେମାନେ କଷ୍ଟ ଅନୁଭବ କରିଥାନ୍ତି। ବିଜେପି ସେମାନଙ୍କ ପାପ ମୋଚନ ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ସେମାନେ ଚାହୁଁନାହାନ୍ତି। କଂଗ୍ରେସ ଯଦି ରାମ ମନ୍ଦିର ଦର୍ଶନ କରିବ ତାହାଲେ ପାପ କମ୍ ହୋଇଯିବ। ଯିଏ ରାମଙ୍କ ସାଙ୍ଗରେ ଅନ୍ୟାୟ କରୁଛନ୍ତି ସେ ଭାରତ ସାଙ୍ଗରେ କିଭଳି ନ୍ୟାୟ କରିପାରିବ? ରାହୁଲ ଗାନ୍ଧୀ ଯେଉଁ ‘ଯାତ୍ରା’ କରୁଛନ୍ତି ତାହା ‘ଭାରତ ତୋଡ଼ ଅନ୍ୟାୟ ଯାତ୍ରା’। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ସ୍ୱାଗତ କରିଥିଲେ। ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ପବିତ୍ର ମାର୍ଘେରିତା, ଉପସଭାପତି ଗୋଲକ ମହାପାତ୍ର, ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।