ସାଲେପୁର: ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁରକୁ ଓଡ଼ିଆ ଜାତୀୟତାଭାବର କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ। ଓଡ଼ିଶା ପ୍ରଦେଶ ଗଠନ ପାଇଁ ବରପୁତ୍ରମାନଙ୍କ ତ୍ୟାଗ ଓ ସଂଗ୍ରାମର ପ୍ରତିଦାନ ସ୍ବରୂପ ଏକ ସମୃଦ୍ଧ ଓଡ଼ିଶା ଗଠନ କରି ସେମାନଙ୍କ ସ୍ୱପ୍ନକୁ ପୂରଣ କରାଯିବ ବୋଲି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟି କଟକଜିଲ୍ଲା ସତ୍ୟଭାମାପୁରରେ ପ୍ରଥମ ଥର ଆୟୋଜନ ହେଉଥିବା ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଆପଣ, ଓଡ଼ିଆ ଅସ୍ମିତାକୁ ଆଗେଇ ନେବା ପାଇଁ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ ହେଉଛି। ଏହି ସମୟରେ ପ୍ରତ୍ୟେକ ଓଡ଼ିଆ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବା, ଓଡ଼ିଆ ପୋଷାକ ପିନ୍ଧିବା ଏବଂ ଓଡ଼ିଆରେ ବାର୍ତ୍ତାଳାପ କରିବା ସହିତ ଓଡ଼ିଆ ପତ୍ରପତ୍ରିକା ପଢ଼ିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅସ୍ମିତା, ଉଚ୍ଚାଶା ଓ ଅବିଶ୍ରାନ୍ତ ଉଦ୍ୟମକୁ ଆଧାର କରି ଆଗାମୀ ଦିନରେ ବିକଶିତ ଓଡ଼ିଶା ଗଠନ କରାଯିବ। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଯ୍ୟକାରୀ କରାଯାଇ ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ବ୍ୟକ୍ତିମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଯୋଡ଼ାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସତ୍ୟଭାମାପୁରରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ
ମଧୁବାବୁଙ୍କ ଜନ୍ମସ୍ଥାନ ସମନ୍ୱିତ ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ; ବ୍ୟୟ ହେବ ୨୧ କୋଟି
ମୁଖ୍ୟମନ୍ତ୍ରୀ ସତ୍ୟଭାମାପୁରରେ ମଧୁବାବୁଙ୍କ ଜୀବନୀ ଓ ସ୍ୱତନ୍ତ୍ର ଓଡ଼ିଶା ଗଠନ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍ଘାଟନ କରିବା ସହିତ ୨୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ‘ମଧୁସୂଦନ ଦାସଙ୍କ ଜନ୍ମସ୍ଥାନର ସମନ୍ୱିତ ବିକାଶ କାର୍ଯ୍ୟକ୍ରମ’ର ଭିତ୍ତିପ୍ରସ୍ତର ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କ ବାର୍ତ୍ତା ସଭାରେ ପଠନ କରାଯାଇଥିଲା। ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରଯିବା ସହ କୃତୀ ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଶାନ୍ତ ବେହେରା, ବିଧାୟକ ସୌଭିକ ବିଶ୍ୱାଳ, ବିଧାୟିକା ଇଂ. ସୋଫିଆ ଫିର୍ଦ୍ଦୋସ, ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ ଛବି ମଲ୍ଲିକ, ବିଧାୟକ ସାରଦା ପ୍ରସାଦ ପ୍ରଧାନ, ବିଧାୟକ ବିଜୟ କୁମାର ଦଳବେହେରା ଓ ବିଜେପି ନେତା ଅରିନ୍ଦମ୍ ରୟ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରାଞ୍ଚଳ ଆର୍ଡିସି ବି. ପରମେଶ୍ୱରମ୍ ସ୍ୱାଗତ ଭାଷଣ ଦେଇଥିବା ବେଳେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଧନ୍ୟବାଦ ଅର୍ପଣ କରିଥିଲେ।