ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ, ସାଂସଦ ମନମୋହନ ସାମଲ ଆଜି ଚତୁର୍ଥ ଥର ପାଇଁ ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସୋମବାର ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିଥିଲେ। ଆଜି ତାଙ୍କ ନାମ ଘୋଷଣା ହେଲା ପରେ ଦଳୀୟ କାର୍ଯ୍ୟାଳୟରେ ବିଜେପି ନେତା ଓ କର୍ମୀମାନେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଛନ୍ତି। ସମ୍ବର୍ଦ୍ଧନା ପରେ ମନମୋହନ ସମସ୍ତଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଗତ ୨ ବର୍ଷର ସଭାପତି ଦାୟିତ୍ୱ ବେଳେ କାହାକୁ କଷ୍ଟ ଦେଇଥାଇପାରେ। ଆଗାମୀ ଦିନରେ ନିଜକୁ ପରିବର୍ତ୍ତନ କରିବି। ଆମ ସମସ୍ତଙ୍କୁ ଟିମ୍ ସ୍ପିରିଟ୍ ସହ ମିଳିମିଶି କାମ କରିବାକୁ ପଡ଼ିବ। ଏକାଠି ହୋଇ କାମ କଲେ ଆମେ ଯେକୌଣସି ଲକ୍ଷ୍ୟ ହାସଲ କରିପାରିବା।
ଶ୍ରୀ ସାମଲ କହିଥିଲେ, ଆମର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ପାଇଁ ବିଜେପି ସାଇନ୍ ବୋର୍ଡ ପାର୍ଟିରୁ ରାଜ୍ୟରେ ଏକାକୀ ସରକାର କରିପାରିଛି। ଏତିକିରେ ଆମ କାମ ସରିନି। କାର୍ଯ୍ୟକର୍ତ୍ତାମାନେ ଜାଣି ରଖିବା ଦରକାର ଦଳକୁ ସରକାରକୁ ଆଣିବା ଯେତିକି କଷ୍ଟକର, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ସେତିକି କଷ୍ଟ। ଏବେ ଆମର ଦାୟିତ୍ବ ବଢ଼ିଛି। ଆଗରୁ କହିଥିଲି, ଏବେବି କହୁଛି ଆମେ ଶୋଇବାନି କି କାହାକୁ ଶୋଇବାକୁ ଦେବାନି। ବିଜେପି ସରକାର ଓଡ଼ିଶାରେ ୨୦୩୬ରେ ବିକଶିତ ଓଡ଼ିଶା, ୨୦୪୭ରେ ବିକଶିତ ଭାରତ ଗଠନ ହେବା ପର୍ଯ୍ୟନ୍ତ ଲମ୍ବା ଇଂନିସ୍ ଚାଲିବ। ଆମ ପାଖରେ ଯୋଗ୍ୟ ମୁଖ୍ୟମନ୍ତ୍ରୀ ଓ ଯୋଗ୍ୟ କର୍ମକର୍ତ୍ତା ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଉଛି, ଦଳ ସରକାରଙ୍କ ପାଖରେ ଖୁଣ୍ଟ ହୋଇ ଠିଆ ହେବ।
ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ଦାୟିତ୍ବ ନେଲେ ମନମୋହନ
ଦଳୀୟ କାର୍ଯ୍ୟାଳୟରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା
ସରକାରଙ୍କ ପାଖରେ ଦଳ ଖୁଣ୍ଟ ହୋଇ ଠିଆ ହେବ
ମନମୋହନ ଓଡ଼ିଶା ବିଜେପି ପାଇଁ ଶୁଭ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ କହିଥିଲେ, ମନମୋହନ ଭାଇ ଯେବେ ସଭାପତି ହୋଇଛନ୍ତି ଓଡ଼ିଶା ବିଜେପି ପାଇଁ ଶୁଭ ହୋଇଛି। ୨୦୦୦ ମସିହାରେ ବିଜେପି ମେଣ୍ଟ ସରକାର ଗଠନ କରିଥିଲା। ଏବେ ତାଙ୍କ ନେତୃତ୍ବରେ ବିଜେପି ଏକାକୀ ସରକାର କରିଛି। ଓଡ଼ିଶାରେ ୨୧ରୁ ୨୦ ସାଂସଦ ଜିତିଛୁ। ମନମୋହନଙ୍କ ଦୃଢ଼ ନେତୃତ୍ୱ, ବିଚକ୍ଷଣ ସାଙ୍ଗଠନିକ ଦକ୍ଷତା ଓ କାର୍ଯ୍ୟକର୍ତାଙ୍କ ପ୍ରତି ଅପାର ସମର୍ପଣ ହିଁ ଓଡ଼ିଶାରେ ବିଜେପିକୁ ଏକ ନୂତନ ପରିଚୟ ଦେଇଛି। ଏଠାରେ ପୋଷ୍ଟର ମାରୁଥିବା କାର୍ଯ୍ୟକର୍ତା ଦଳର ଶୀର୍ଷ ନେତୃତ୍ୱକୁ ଯାଇପାରେ। ତା’ର ଉଦାହରଣ ହେଉଛନ୍ତି ମନମୋହନ ଭାଇ। ସେହିପରି ମନମୋହନ ଚତୁର୍ଥ ଥର ସଭାପତି, ମୋହନ ମାଝୀ ଚତୁର୍ଥ ଥର ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ଯୋଡ଼ାକୁ ଘୋଡ଼ା ସରି ନୁହେଁ। କେନ୍ଦ୍ରର ୧୧ ବର୍ଷ ରାଜ୍ୟର ୧ ବର୍ଷ ମିଶି ୧୨ ହେଉଛି। କିନ୍ତୁ ଏହା ଆଗକୁ ୧୧୨ରେ ପହଞ୍ଚିବ। ଗୋଟିଏ ପଟେ ମନମୋହନଙ୍କ ନେତୃତ୍ୱରେ ସଙ୍ଗଠନ, ଅନ୍ୟପଟେ ମୋହନ ମାଝୀଙ୍କ ନେତୃତ୍ୱରେ ସରକାର ଓଡ଼ିଶାବାସୀଙ୍କ ବିକାଶ ପାଇଁ କାମ କରିବ।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ମୋହନ-ମନମୋହନଙ୍କ ମିଳିତ ଉଦ୍ୟମରେ ଆଗାମୀ ୩ବର୍ଷରେ ଓଡ଼ିଶାର ସମୃଦ୍ଧି ହେବ। ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ, ଗତ ନିର୍ବାଚନ ଜିତିବାରେ ମନମୋହନଙ୍କର ବଡ଼ ଅବଦାନ ରହିଛି। ସେହିପରି ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି, ରାଜ୍ୟରେ ଟ୍ରିପଲ୍ ‘ଏମ୍’ ସରକାର ଚାଲିଛି। ମୋଦୀ, ମୋହନ ଓ ମନମୋହନ ସରକାର ଚାଲିଛି। ଗତ ନିର୍ବାଚନରେ ମନମୋହନ ଭାଇ ଦଳ ପାଇଁ ବଡ଼ ବଳିଦାନ ଦେଇଛନ୍ତି।
ଆଜି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରିବା ପରେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହାପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମୀର ମହାନ୍ତିପ୍ରମୁଖ ଉପସ୍ଥିତ ରହି ଶ୍ରୀ ସାମଲଙ୍କୁ ଅଭିନନ୍ଦନ ଜଣାଇଥିଲେ।