ଭୁବନେଶ୍ବର: ଆଇନର ଉର୍ଦ୍ଧ୍ବରେ କି ଆଇନଜୀବୀ ? ବାଲେଶ୍ୱର ଓକିଲ ସଂଘର ଯୁକ୍ତି ଶୁଣିବା ପରେ ଆପଣ କିଛି ଏହିଭଳି ଅନୁଭବ କରିପାରିବେ। ବାଲେଶ୍ୱର ଓକିଲ ସଂଘର ସଭାପତି କହିଛନ୍ତି, କୋର୍ଟ ପାଖରେ କୌଣସି ଚେକିଂ କରାନଯାଉ। କୋର୍ଟରୁ କୋର୍ଟ ଯିବା ସମୟରେ ସେମାନେ ହେଲମେଟ ପିନ୍ଧିବେ ନାହିଁ ବୋଲି ମନା କରିଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଆଇନ ତା ବାଟରେ ଯିବ ନା ଓକିଲମାନଙ୍କ ପାଇଁ ବଦଳିବ।
ବାଲେଶ୍ୱର ରାସ୍ତାର ଗୋଟେ ପାର୍ଶ୍ବରେ କୋର୍ଟ ଏବଂ ଗୋଟିଏ ପାର୍ଶ୍ବରେ ରହିଛି ଟ୍ରାଫିକ ପୋଷ୍ଟ। ତେଣୁ ଗୋଟିଏ କୋର୍ଟରୁ ଆଉ ଗୋଟିଏ କୋର୍ଟକୁ ଯିବା ସମୟରେ ହେଲମେଟ ପିନ୍ଧିବାକୁ ବାଧ୍ୟ ନ କରାଯାଉ, ଏନେଇ ପୁଲିସ ନିକଟକୁ ଏକ ଅନୁରୋଧ ପତ୍ର ପଠାଇଛି ଓକିଲ ସଂଘ। କିନ୍ତୁ ପ୍ରଶ୍ନ ଉଠୁଛି, ବାଲେଶ୍ୱର ଓକିଲ ସଂଘର ଏହି ଦାବି କେତେ ଦୂର ନ୍ୟାୟ ସଙ୍ଗତ? ବାର ଆସୋସିଏସନ ସଭାପତି ଧମକ ବି ଦେଇଛନ୍ତି, ଯଦି ପୁଲିସ କୋର୍ଟ ନିକଟରେ ଯାଞ୍ଚ କରିବ ତେବେ ଏହାର ପ୍ରତିବାଦ କରାଯିବ।
ଆଉ ଏବେ ପ୍ରଶ୍ନ ଉଠୁଛି,
୧-ସାଧାରଣ ଜନତାଙ୍କ ପାଇଁ ଓ ଓକିଲଙ୍କ ପାଇଁ ଆଇନ ଅଲଗା ଅଲଗା କି ?
୨-କାହାର ସୁବିଧା ଅନୁଯାୟୀ ପୁଲିସ କେଉଁଠି ଚେକିଂ କରିବ କି ?
୩-ମୋଟର ଯାନ ଆଇନ ସମସ୍ତଙ୍କ ପାଇଁ ସମାନ ନୁହେଁ କି ?
ବାଲେଶ୍ୱର ଓକିଲ ସଂଘ ଏହାର ଉତ୍ତର ରଖିବା ଉଚିତ।