ରାଉରକେଲା: ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ମନ୍ତ୍ରୀ ବିଭିନ୍ନ କଲେଜ ପରିଦର୍ଶନକରି ଛାତ୍ରଛାତ୍ରୀ ତଥା ଯୁବ କ୍ରୀଡ଼ାବିତ୍ଙ୍କ ସହ ମତବିନିମୟ କରିଛନ୍ତି। ଶ୍ରୀ ସୂରଜ ସୋମବାର ରାତି ପ୍ରାୟ ୧୦ଟାରେ ରାଉରକେଲାରେ ପହଞ୍ଚିଥିଲେ। ସେଠାରୁ ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟକୁ ଯାଇ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାପରେ ରାଉରକେଲା ହାଉସ୍ରେ ରାତ୍ରୀଯାପନ କରିଥିଲେ।
/sambad/media/media_files/2024/11/12/0cef3a7a-ef04-4658-9d54-2f469b15d4f7.jpeg)
ଆଜି ସକାଳେ ମନ୍ତ୍ରୀ ରାଉରକେଲା ହାଉସ୍ରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ପ୍ରତିନିଧି, ବୁଦ୍ଧିଜୀବୀଙ୍କୁ ଭେଟିଥିଲେ। ପରେ ଏକ ମୋଟରସାଇକଲ ଶୋଭାଯାତ୍ରାରେ ବାହାରି ବୈଷ୍ଣୋଦେବୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନାପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଯାଇଥିଲେ। ସେଠାରେ ଯୁବ ହକି ଖେଳାଳି, ଦୌଡ଼କୁଦ ଖେଳାଳି, କୋଚ୍ଙ୍କ ସହ ମତବିନିମୟ କରିଥିଲେ। ଖେଳାଳିଙ୍କୁ ମିଳୁଥିବା ସୁବିଧାସୁଯୋଗ ବିଷୟରେ ପଚାରି ବୁଝିଥିଲେ। ସେଠାରୁ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ମ୍ୟୁନିସିପାଲ କଲେଜ ଓ ରାଉରକେଲା କଲେଜ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହିଅବସରରେ କଲେଜରେ ଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ପାଇଁ ଛାତ୍ରଛାତ୍ରୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଇଂରେଜ ଅମଳରେ ଶିକ୍ଷାବ୍ୟବସ୍ଥାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା। ଶିକ୍ଷାକ୍ଷେତ୍ରରେ ଭାରତ ତଥା ଓଡ଼ିଶାର ପୂର୍ବ ଗୌରବକୁ ଫେରାଇବାକୁ ପ୍ରୟାସ କରାଯାଉଛି।
- ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ମନ୍ତ୍ରୀ
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଲେ, ଇଂରେଜ ଅମଳରେ ଶିକ୍ଷାବ୍ୟବସ୍ଥାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା। ଜନନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ନୂଆ ଶିକ୍ଷାନୀତି ପ୍ରଣୟନ ହୋଇଛି। ଶିକ୍ଷାକ୍ଷେତ୍ରରେ ଭାରତ ତଥା ଓଡ଼ିଶାର ପୂର୍ବ ଗୌରବକୁ ଫେରାଇବାକୁ ପ୍ରୟାସ କରାଯାଉଥିବା କହିଥିଲେ। ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ବିଜେପି ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ରାଜ୍ୟ ମୁଖ୍ୟପାତ୍ର ଧୀରେନ ସେନାପତି, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସ୍ପି ନୀତେଶ ୱାଧୱାନି, ବିଜେପି ନେତା ପ୍ରବୋଧ ତିର୍କି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/12/ffab0bfc-7f9f-4a41-9e34-6c0ba2f56aa2.jpeg)