ଭୁବନେଶ୍ବର: ବିଜେଡି ବିଧାୟକମାନେ କହୁଛନ୍ତି ଆମେ ମିସନ୍ ଶକ୍ତି ମହିଳାମାନଙ୍କ ପାଇଁ କିଛି କରୁନୁ। ହେଲେ ସେମାନେ ଜାଣିବା ଦରକାର ଆମେ ସରକାରକୁ ଆସିବା ପୂର୍ବରୁ ୨ଲକ୍ଷ ଲକ୍ଷପତି ଦିଦି ଥିଲେ। ଏବେ ରାଜ୍ୟରେ ୧୦ଲକ୍ଷ ଲକ୍ଷପତି ଦିଦି। ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ସାରା ଦେଶରେ ଦ୍ବିତୀୟ। ମିସନ୍ ଶକ୍ତି ସ୍କୁଟର ଯୋଜନାରେ ସିଏସ୍ଏସ୍, ବିସିଏ, ଇସି ସଦସ୍ୟମାନଙ୍କୁ ମନସପନ୍ଦର ସ୍କୁଟି କିଣିବାକୁ ବିନା ସୁଧରେ ୧ଲକ୍ଷ ଟଙ୍କା ଯୋଗାଇ ଦିଆଯିବ, ପ୍ରତି ପଞ୍ଚାୟତରେ ମିସନ୍ ଶକ୍ତି ଗୃହ ନିର୍ମାଣ ହେବ, ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ଆମେ ମିସନ୍ ଶକ୍ତିକୁ ପୋଲିଓ ମୁକ୍ତ କରି ଦଉଡ଼ାଇବୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ମହିଳା ଓ ଶିଶୁ ବିକାଶ, ମିସନ୍ ଶକ୍ତି, ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖିବାବେଳେ ମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ, ସୁଭଦ୍ରା ଯୋଜନାରେ ଆମେ ଇସ୍ତାହାରରେ କ’ଣ ଦେଇଥିଲୁ ଅଲଗା କଥା। କିନ୍ତୁ ଏ ଗୃହକୁ ମିଛ କହିନୁ। ଗୃହରେ କହିଥିଲୁ ଆମେ ୧କୋଟି ମହିଳାଙ୍କୁ ବର୍ଷକୁ ଦୁଇ ଥର ୫ହଜାର ଟଙ୍କା ହିସାବରେ ୫ବର୍ଷରେ ୫୦ହଜାର ଟଙ୍କା ଦେବୁ। ଏବେ ଦେଉଛୁ ନା ନାହିଁ? ଯାହା କହିଥିଲୁ ତାହା କରିଛୁ। ବିଧାୟକ ପ୍ରଦୀପ ସାହୁ ମହିଳାଙ୍କୁ ଅପମାନିତ କରିବା ଭଳି କହୁଛନ୍ତି, ମହିଳା କାହାର ନୁହନ୍ତି। ତୁମକୁ ଭୋଟ୍ ଦେଉଥିଲେ ଠିକ୍ ଥିଲା। ଏବେ ବିଜେପିକୁ ଭୋଟ୍ ଦେଲେ ବୋଲି ଭୁଲ୍ ହୋଇଗଲା?
ଇସି ସଦସ୍ୟଙ୍କ ନିର୍ବାଚନ କ୍ଷେତ୍ରରେ ବିଜେଡି ସରକାର କୌଣସି ଆଇନ ମାନିନାହାନ୍ତି
ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ପ୍ରମୁଖ ସ୍ଥାନ ପାଲଟିବ
ମିସନ୍ ଶକ୍ତି ଇସି ସଦସ୍ୟଙ୍କ ବିଷୟରେ ମନ୍ତ୍ରୀ କହିଥିଲେ, ତତ୍କାଳୀନ ସରକାର ୨୬.୧୨.୨୦୧୩ରେ ଏକ ଆଇନ ଆଣିଥିଲେ, ଜିପିଏଲ୍ଏଫ୍ ଇସି ସଦସ୍ୟମାନେ ଦୁଇ ବର୍ଷ ପାଇଁ ନିର୍ବାଚିତ ହେବେ। ଅବଧି ସରିବା ପରେ ପୁଣି ନିର୍ବାଚନ କରି ବଛା ହେବେ। ଦୁଇ ଥରରୁ ଅଧିକ ନିର୍ବାଚିତ ହୋଇପାରିବେନି। ହେଲେ ପୂର୍ବ ସରକାର ଏହି ଆଇନକୁ ମାନୁନଥିଲେ କି ଆଜି ପର୍ଯ୍ୟନ୍ତ ନିର୍ବାଚନ କରିନାହାନ୍ତି। ଏବେ ଆମେ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହିଁବାରୁ କହୁଛନ୍ତି ୭୦ଲକ୍ଷ ମହିଳାଙ୍କ ପ୍ରତି ଅନ୍ୟାୟ ହେଉଛି। ଓଡ଼ିଶା ପୁଷ୍ଟି ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ସୁଭଦ୍ରା ସମ୍ବେଦନା ଯୋଜନା ଭଳି ନୂଆ ଯୋଜନା ମହିଳା ଓ ଶିଶୁଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି। ପୂର୍ବ ସରକାର ଅମଳରେ ଲାଗୁ ହୋଇନଥିବା ବହୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରାଯିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ। ସେହିପରି ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ବିସ୍ତୃତ ଯୋଜନା ହେଉଥିବାବେଳେ େଦଓମାଳୀ, ଧଉଳି, ଚିଲିକା, ଖଣ୍ଡଗିରି, ଉଦୟଗିରି, ଖିଚିଙ୍ଗ୍, ସାତେକାଶିଆ,ଶିମିଳିପାଳ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଉନ୍ନତୀକରଣ ଏକୀକୃତ ମାଷ୍ଟରପ୍ଲାନିଂ ମାଧ୍ୟମରେ କରାଯାଉଛି। ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡ଼ିକ କିପରି ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନ ପାଲଟିବ ସେଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।