ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇବା ସହ ରାଜ୍ୟ ବିଜେପିର ନିର୍ବାଚିତ ପ୍ରତିନିଧି ଓ କାର୍ଯ୍ୟକର୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ୱିଟ୍ କରି ସେ କହିଛନ୍ତି ଯେ ଓଡ଼ିଶାର ୬୩ ଲକ୍ଷ ୨୩ ହଜାର ୭୪୬ ଭୋଟର ତଥା ମୋଟ୍ ୩୦.୦୭ ପ୍ରତିଶତ ମତଦାତା ଆମ ଦଳକୁ ସେମାନଙ୍କର ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି।
ନିର୍ବାଚନ ଗଣତନ୍ତ୍ରରେ ଏକ ନିରନ୍ତର ପ୍ରକ୍ରିୟା । ଆମ ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତାମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ଭାରତକୁ ଗୁରୁତ୍ୱ ତଥା ଗରିବ କଲ୍ୟାଣ ଯୋଜନାର ସର୍ବାଧିକ ଲାଭ ଓଡ଼ିଶାକୁ ଆସୁଛି। ଆମେ ଆମର ସଂଗଠନକୁ ସୁଦୃଢ଼ କରିବା ସହ ‘ସବକା ସାଥ୍- ସବକା ବିକାଶ’କୁ ମୂଳମନ୍ତ୍ର କରିଥିବା ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କ ପାଖକୁ ନେବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବୁ।