ଭୁବନେଶ୍ବର: ଓଡ଼ିଆ ଅସ୍ମିତା ସଙ୍କଟରେ ଅଛି। ଓଡ଼ିଆ ଭାଷା ବିପଦରେ ଅଛି। କିନ୍ତୁ ମୋତେ ଲାଗୁନି ଦୀର୍ଘ ସମୟ ଧରି ଓଡ଼ିଶାର ଲୋକେ ଏହାକୁ ସହିଯିବେ। ଦେଶରେ ସାଧାରଣ ନିର୍ବାଚନ-୨୦୨୪ ଜାରି ଥିବା ବେଳେ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ଯେତେ ପ୍ରାକୃତିକ ସମ୍ବଳ ଅଛି, ଏହାକୁ ବିନିଯୋଗ କରି ସବୁଠାରୁ ଧନୀ ରାଜ୍ୟ ହେବା କଥା। କିନ୍ତୁ ଓଡ଼ିଶା ବହୁତ ପଛରେ ଅଛି। ଆମକୁ ଓଡ଼ିଶାର ଲୋକଙ୍କ ସେବା କରିବାର ସୁଯୋଗ ମିଳିବା ଦରକାର। ଆମେ ଓଡ଼ିଶାକୁ ବହୁ ଆଗକୁ ନେଇପାରିବୁ।
ଗତ ମାର୍ଚ୍ଚ ମାସରେ ବହୁ ଚର୍ଚ୍ଚିତ ବିଜେଡି ସହିତ-ବିଜେପିର ‘ମେଣ୍ଟ’ ନେଇ ଚର୍ଚ୍ଚା ଧରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଙ୍ଗରେ କହିଛନ୍ତି- ବିଜୁ ଜନତା ଦଳ ଆମକୁ କେନ୍ଦ୍ରରେ ପ୍ରସଙ୍ଗ ଭିତ୍ତିରେ ସମର୍ଥନ କରିଛି। ବହୁତ ଦଳ ଆମକୁ ପ୍ରସଙ୍ଗ ଭିତ୍ତିରେ ସମର୍ଥନ କରି ଆସିଛନ୍ତି।
ସୂଚନାଯୋଗ୍ୟ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଜି ବ୍ରହ୍ମପୁରରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଓଡ଼ିଶାର ବିକାଶ ପାଇଁ ଏହି ନିର୍ବାଚନ ବୋଲି କହିଥିଲେ। ମୋଦୀ ସରକାର ଓଡ଼ିଶାର ବିକାଶକୁ ଗୁରୁତ୍ବ ଦେଉଛନ୍ତି ବୋଲି ସମ୍ବୋଧନ କରିଥିଲେ। ସେହିପରି ଗତ ୨୫ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଥିଲେ। ଯେଉଁଥିରେ ଦାଦନ ଶ୍ରମିକ ମୁଖ୍ୟ ପ୍ରସଙ୍ଗ ଥିଲା। ସୋନପୁରରେ ଆୟୋଜିତ ଜନସଭାରେ ଶ୍ରୀ ଶାହ ଜମି, ଜଳ, ଜଙ୍ଗଳ ଓ ଖଣି ଉପରେ କହିଥିଲେ। ରାଜ୍ୟରେ କ୍ଷମତାକୁ ଆସିଲେ ପଶ୍ଚିମ ଓଡ଼ିଶାରେ ଉତ୍ପାଦନ ହେଉଥିବା କପା ପାଇଁ କାରଖାନା ବସାଇବାକୁ ଗ୍ୟାରେଣ୍ଟି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/59c6ab42-8ecb-4f7f-82df-19cb341c1df2.jpeg)