ସ୍ଥଳଭାଗ ଛୁଇଁଲା ଦୁର୍ବଳ ‘ଅସାନି’; ଓଡ଼ିଶାରେ ନାହିଁ ପବନ, ସ୍ୱଳ୍ପ ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଅବପାତ ରୂପ ନେଇ ବୁଧବାର ଅପରାହ୍ନ ୫ଟାରେ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ମଛଲିପଟନମ୍ ଓ ନରୋସପୁର ନିକଟରେ ସ୍ଥଳଭାଗ ଛୁଇଁଛି। ତେବେ ପାହାଡ଼ିଆ ଅଞ୍ଚଳ ଥିବାରୁ ଏହାର ଗତିରେ ବାଧା ସୃଷ୍ଟି ହୋଇଛି। ଏମିତି ଯେ ଏହା ସମୁଦ୍ର ଭିତରକୁ ଯିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ଗୁରୁବାର ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହେବ ଏବଂ ୧୩ ତାରିଖ ବେଳକୁ ‌ଚିହ୍ନିତ ଲଘୁଚାପ ଅଞ୍ଚଳରେ ପରିଣତ ହେବ। ଏହି ସମୟ ମଧ୍ୟରେ ଓଡ଼ିଶାରେ ବର୍ଷା କିମ୍ବା ପବନର କୌଣସି ପ୍ରଭାବ ନାହିଁ। ୧୨ ତାରିଖ ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ବା‌ଲେଶ୍ବରରେ ସ୍ବଳ୍ପ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଆଇଏମ୍‌ଡି କହିଛି ଯେ ବାତ୍ୟା ସ୍ଥଳଭାଗକୁ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିଥିଲା। ସ୍ଥଳ ବିଶେଷରେ ଏହା ୭୫ କିମି ଛୁଇଁଥିଲା। ୧୨ ସକାଳ ବେଳକୁ ପବନର ବେଗ କମିବ। ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ତେବେ ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ
ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା ବଳବତ୍ତର ରହିଛି। ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ ହୋଇଛି। ସ୍ଥିତିରେ ସୁଧାର ଆସିବା ପରେ ଏବଂ ସମୁଦ୍ର ଶାନ୍ତ ହେବା ପରେ ଏଥିପାଇଁ ଅନୁମତି ଦିଆଯିବ। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ପ୍ରଭାବ ପଡ଼ିନାହିଁ।

ସ୍ୱତନ୍ତ୍ର ରିଲିଫ କମିସନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସନ୍ଧ୍ୟାରେ କହିଛନ୍ତି ଯେ ବାତ୍ୟା ଯୋଗୁଁ ଓଡ଼ିଶା ପ୍ରତି ସେଭଳି କୌଣସି ବିପଦ ଆଶଙ୍କା ନାହିଁ। ବିଶେଷ ବର୍ଷା କିମ୍ବା ପବନ ହେବନି। ଯଦି ବି କେଉଁଠି କିଛି ସ୍ଥାନୀୟସ୍ତରରେ ସମସ୍ୟା ଦେଖାଦିଏ, ତା’ହେଲେ ଜିଲ୍ଲାପାଳମାନେ ଜିଲ୍ଲାରେ ମୁତୟନ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ ସହାୟତାରେ ପରିସ୍ଥିତିର ମୁକାବିଲା କରିପାରିବେ। ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହୋଇଛି। ମାତ୍ର ଏହାର ପରିମାଣ ସେତେ ବେଶୀ ନାହିଁ। ଗତ ୨୪ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୮.୬ ମିମି ବର୍ଷା ହୋଇଥିବା ବେଳେ ଗଜପତି ଜିଲ୍ଲାରେ ୨୩.୯ ମିମି, ନୟାଗଡ଼ ଜିଲ୍ଲାରେ ୧୯.୩ ମିମି, ଗଞ୍ଜାମରେ ୧୯.୧ ମିମି ଓ ଢେଙ୍କାନାଳରେ ୧୮.୫ ମିମି ବର୍ଷା ହୋଇଛି। କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକରେ ସର୍ବାଧିକ ୭୨ ମିମି ଓ ଖୋର୍ଦ୍ଧା ବ୍ଲକରେ ୭୦ ମିମି ବର୍ଷା ହୋଇଥିବା ବେଳେ ୪୨ଟି ବ୍ଲକରେ ୨୦ରୁ ୫୦ ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର