କଟକ: ରାଜ୍ୟରେ ୧୧ ଜିଲ୍ଲାରେ ଅବକାରୀ ଏସ୍‌ପି ଚୌକିରେ ବସିଛନ୍ତି ଡିଏସ୍‌ପି ପାହ୍ୟାର ଅଧିକାରୀ। ଏସ୍‌ପି ପଦବି ପୂରଣ ହେଉ ନଥିବାରୁ ବର୍ଷ ବର୍ଷ ଧରି ଏଭଳି ବିଚିତ୍ର ଢଙ୍ଗରେ ଚାଲିଛି ବିଭାଗ। ଡିଏସ୍‌ପିମାନେ ଜିଲ୍ଲା ନିୟନ୍ତ୍ରଣ ଓ ନିଶା ମାଫିଆଙ୍କୁ ଦମନ କ୍ଷେତ୍ରରେ ନିଜର ଦକ୍ଷତା କିଭଳି ଦେଖାଉଥିବେ ଏହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଏସ୍‌ପି ପଦବି ବାଦ୍ ରାଜ୍ୟରେ କେହି ଡେପୁଟି କମିସନର ବି ନାହାନ୍ତି। ସବୁ ପଦବି ଖାଲି ପଡ଼ିଥିବାରୁ ରାଜ୍ୟର ତିନୋଟି ରେଞ୍ଜ ଓ ପାନୀୟ ନିଗମର ସମୀକ୍ଷା କରିବାକୁ ବି କେହି ଅଧିକାରୀ ନାହାନ୍ତି। 

Advertisment

ଅବକାରୀ ବିଭାଗରେ ୮ଟି ମଞ୍ଜୁରିପ୍ରାପ୍ତ ଡେପୁଟି କମିସନର ପଦବି ରହିଛି। ଏମାନଙ୍କ ମଧ୍ୟରେ ଜଣେ ଓଏଏସ୍ କ୍ୟାଡର୍ ଓ ୭ ଜଣ ଅବକାରୀ କ୍ୟାଡର୍‌ର। ଏ ସବୁ ପଦବି ଖାଲି ପଡ଼ିଛି। ଗଲା ଜାନୁଆରିରେ ଜଣେ ଡେପୁଟି କମିସନର (ଅବକାରୀ କ୍ୟାଡର୍) ଡମ୍ବରୁଧର ଖଣ୍ଡା ଜଏଣ୍ଟ କମିସନର ପଦବିକୁ ପଦୋନ୍ନତି ପାଇଥିଲେ। ଅବଶିଷ୍ଟ ପଦବିଗୁଡ଼ିକ ଏକ ବର୍ଷରୁ ଅଧିକ ଦିନ ହେବ ଖାଲି ପଡ଼ିଛି। ଏଥିରୁ ୪ ଜଣ ଡେପୁଟି କମିସନର କଟକରେ ଥିବା ଅବକାରୀ କମିସନରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ଅବଶିଷ୍ଟ ୪ ଜଣ ଡେପୁଟି କମିସନର ସମ୍ବଲପୁର ଉତ୍ତରାଞ୍ଚଳ ରେଞ୍ଜ (୧୩ ଜିଲ୍ଲା), କଟକ କେନ୍ଦ୍ରାଞ୍ଚଳ (୧୧ ଜିଲ୍ଲା), ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜ (୯ ଜିଲ୍ଲା), ଓଡ଼ିଶା ରାଜ୍ୟ ପାନୀୟ ନିଗମକୁ ନିୟନ୍ତ୍ରଣ କରିଥାନ୍ତି। କିନ୍ତୁ ଏହି ପଦବିଗୁଡ଼ିକ ଖାଲି ପଡ଼ିଥିବାରୁ ଅବକାରୀ ମାମଲାର ନିୟମିତ ସୁପରଭିଜନ୍‌ ହୋଇ ପାରୁନାହିଁ କି ରାଜସ୍ବ ଆଦାୟ, ନିଶା ମାଫିଆ ଦମନ, ଚୋରା ନିଶା ଚାଲାଣ ରୋକିବା କ୍ଷେତ୍ରରେ ଅନୁଧ୍ୟାନ କରିବା କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନି।

ଡେପୁଟି କମିସନର ପଦ ବି ଖାଲି
ପଦୋନ୍ନତି କମିଟିକୁ ଝୁଲାଇ ରଖିଛନ୍ତି ସରକାର

ରାଜ୍ୟରେ ୪୬ଟି ମଞ୍ଜୁରିପ୍ରାପ୍ତ ଅବକାରୀ ଏସ୍‌ପି ପଦବି ଥିବା ବେଳେ ଏବେ ମାତ୍ର ୨୫ ଜଣ ଅଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ ୩୩ ଅବକାରୀ ଜିଲ୍ଲାରେ ୨୨ ଏସ୍‌ପି ଅଛନ୍ତି। ଅବଶିଷ୍ଟ ୧୧ ଅବକାରୀ ଜିଲ୍ଲାରେ ଡିଏସ୍‌ପିମାନ ଭାରପ୍ରାପ୍ତ ଏସ୍‌ପି ଭାବେ କାମ ତୁଲାଉଛନ୍ତି। ଅବକାରୀ ଏସ୍‌ପି ଓ ଡେପୁଟି କମିସନରଙ୍କ ପଦବିରେ ପଦୋନ୍ନତି ପାଇଁ ଅଧିକାରୀଙ୍କ ବରିଷ୍ଠତା ଭିତ୍ତିରେ ତାଲିକା ପ୍ରସ୍ତୁତ ହୋଇସାରିଛି। ସମ୍ପୃକ୍ତ ଅଧିକାରୀଙ୍କ ସିସିଆର୍ ସମେତ ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ କ୍ଲିୟରାନ୍ସ ସଂକ୍ରାନ୍ତ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଦାଖଲ କରାଯାଇଛି। ସବୁ ପ୍ରକ୍ରିୟା ସରିଥିବା ବେଳେ କେବଳ ଡିପିସି (ବିଭାଗୀୟ ପଦୋନ୍ନତି କମିଟି) ବସିବା ବାକି ରହିଛି। ଏହି ପ୍ରକ୍ରିୟାକୁ ସରକାରୀସ୍ତରରେ ଝୁଲାଇ ରଖାଯାଇଛି। ଲମ୍ବା ସମୟ ଧରି ଏସ୍‌ପି ଓ ଡେପୁଟି କମିସନର ପଦବିରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଡିପିସିକୁ ଝୁଲାଇ ରଖିବା ଘଟଣା ବିଭାଗରେ ବରିଷ୍ଠ ଅବକାରୀ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

ଏବେ ଅବକାରୀ ବିଭାଗରେ ଡେପୁଟି କମିସନର ପଦବି ପାଇଁ ୧୨ ଜଣ ଦୌଡ଼ରେ ଥିବା ବେଳେ ଏସ୍‌ପି ପାଇଁ ୧୯ ଜଣ ଅଛନ୍ତି। ବରିଷ୍ଠତା ଭିତ୍ତିରେ ଏହି ପଦୋନ୍ନତି କରାଯିବ। ଯେହେତୁ ଡେପୁଟି କମିସନର ପଦବି ଅବକାରୀ କ୍ୟାଡର୍‌ର ୭ଟି ରହିଛି, ସେଥିପାଇଁ ୭ ଜଣ ଏସ୍‌ପି ଡେପୁଟି କମିସନର ହେବେ। ଅବଶିଷ୍ଟ ୫ ଜଣ ବାଦ୍ ପଡ଼ିବେ। ଯେଉଁ ୭ ଜଣ ଅଛନ୍ତି ସେମାନଙ୍କ ମଧ୍ୟରୁ ଦୁଇ ଜଣ ଏସ୍‌ପି ନିକଟ ଭବିଷ୍ୟତରେ ଅବସର ନେବାକୁ ଯାଉଛନ୍ତି। ଅବକାରୀ କମିସନରଙ୍କ କାର୍ଯ୍ୟାଳୟରେ ଥିବା ଏସ୍‌ପି ପ୍ରଦୀପ ପାଣିଗ୍ରାହୀ ମାର୍ଚ୍ଚରେ ଓ କେନ୍ଦୁଝର ଜିଲ୍ଲା ଏସ୍‌ପି ପ୍ରଦୀପ ଦାସ ମେ’ରେ ଅବସର ନେବେ। ପଦୋନ୍ନତି ବୋର୍ଡ ଠିକ୍ ସମୟରେ ବସୁ ନ ଥିବାରୁ ଏହି ଦୁଇ ଏସ୍‌ପି ବରିଷ୍ଠତା ଭିତ୍ତିରେ ଡେପୁଟି କମିସନର ପାହ୍ୟାକୁ ପଦୋନ୍ନତି ପ୍ରକ୍ରିୟାରୁ ବଞ୍ଚିତ ହେବା ନେଇ ଆଶଙ୍କା କରାଯାଉଛି। ଅନ୍ୟପଟେ ଏସ୍‌ପି ପଦବିର ଆବଶ୍ୟକତା ଥିବାରୁ ତାଲିକାରେ ଥିବା ୧୯ ଜଣ ଡିଏସ୍‌ପି ପଦୋନ୍ନତି ପାଇବେ।