ଗଦାଧର ପଣ୍ଡା
ଯାଜପୁର: ଦୀର୍ଘ ତିନି ଦଶନ୍ଧି ଧରି ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରିଆସିଥିବା ବିଜୁ ଜନତା ଦଳର ଯାଜପୁରିଆ ନେତାଙ୍କ ଅବସ୍ଥା ଏବେ ବାରଗଣ୍ଡା ଦି କଡ଼ା। ସମୟ କଡ଼ ଲେଉଟାଇବା ଭଳି ଏହି ନେତାମାନେ ଆଜି ନିଜ ଜିଲ୍ଲା ସ୍ଥିତି ସମ୍ଭାଳିବାକୁ ବି ଅସମର୍ଥ। ଜିଲ୍ଲାରେ ବିଜେଡିର ସ୍ଥିତି ଏକପ୍ରକାର ଟଳମଳ ଅବସ୍ଥାରେ। ଜଣକ ପରେ ଜଣେ ନେତା ସଙ୍ଗଠନ ଛାଡ଼ୁଛନ୍ତି। ବଡ଼ଚଣାର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଦଳକୁ ବାଏ ବାଏ କରିବା ପରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବର୍ତ୍ତମାନ ବିଜେପି ମୁହାଁ। ଆଉ କିଛି ନେତା ମଧ୍ୟ ଦଳ ଛାଡ଼ିବାକୁ ସଜବାଜ ହେଲେଣି। ସ୍ବର୍ଗତ କଳ୍ପତରୁ ଦାସ, ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ଅଭେଦ୍ୟ ବିଜେଡି ଦୁର୍ଗ ଭାଙ୍ଗି ଚୂରମାର। ୨୦୧୬ରୁ ୨୦୨୪, ଦୀର୍ଘ ୮ବର୍ଷ ଧରି ବିଜେଡିରେ ଅତ୍ୟନ୍ତ ପ୍ରଭାବଶାଳୀ ଥିବା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ମଧ୍ୟ କେଉଁଠି ନା କେଉଁଠି ଦୁର୍ବଳ ଅନୁଭବ କଲେଣି। ଜିଲ୍ଲା ବିଜେଡିକୁ ବାନ୍ଧି ରଖିବାକୁ ତାଙ୍କ ପାଖରେ ଆଉ ପୂର୍ବଭଳି ବଳ ନାହିଁ।
ଗତ ଦୁଇଟି ଘଟଣାରୁ ଏକଥା ସ୍ପଷ୍ଟ ହୋଇଛି। ଧର୍ମଶାଳା ବିଡିଓଙ୍କ ବଦଳି ଦାବିରେ ବ୍ଲକ୍ ଅଫିସ ଘେରାଉ ଦିନ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ସମର୍ଥନ ଦେବା ପାଇଁ ବାହାର ଜିଲ୍ଲାର ନେତାଙ୍କୁ ଭରସା କରାଯାଇଥିଲା। ଆଉ ଆଜି ବରୀରେ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ଆୟୋଜନ କରିଥିବା ଜନସମ୍ପର୍କ ପଦଯାତ୍ରା ବା ଶକ୍ତି ପ୍ରଦର୍ଶନରେ ସଞ୍ଜୟ ଦାସବର୍ମାଙ୍କ ଉପସ୍ଥିତିକୁ ନେଇ ଏ କଥା ଚର୍ଚ୍ଚା ହେଉଛି। ଯାଜପୁରିଆ ବିଜେଡି ନେତା ଦୁର୍ବଳ ହେଲେଣି, ତାଙ୍କ କଥାକୁ କର୍ମୀମାନେ ଶୁଣିବାକୁ ଚାହୁନାହାନ୍ତି କିମ୍ବା ସେମାନଙ୍କର ପୂର୍ବ ଆଧିପତ୍ୟ ଆଉ ନାହିଁ। ଏକଦା ଶ୍ରୀ ଦାସବର୍ମାଙ୍କୁ କୋଣଠେସା କରି ଦଳରୁ ପ୍ରଭାବଶୂନ୍ୟ କରିଥିବା ଯାଜପୁରିଆ ନେତା ଏବେ ନିଜ ଜିଲ୍ଲାରେ ବିଜେଡି କର୍ମୀଙ୍କୁ ଉତ୍ସାହିତ କରିବାକୁ ତାଙ୍କୁ ହିଁ ଭରସା କରିଛନ୍ତି। ଜିଲ୍ଲାରେ ବବିଙ୍କ ଫଁ’କୁ ଆଉ ଜିଲ୍ଲା ନେତା ଡରୁନଥିବା କୁହାଯାଉଛି। ଏପଟେ ବରୀ ସଭାରେ ଶ୍ରୀ ଦାସବର୍ମା ମଧ୍ୟ ନ କହି ନ କହି ବବିଙ୍କ ଆଡ଼କୁ ଏକ ହାବେଳି ଛାଡ଼ିଛନ୍ତି। କର୍ମୀ ସଭାରେ ଶ୍ରୀ ଦାସବର୍ମା କହିଥିଲେ, ବବିବାବୁ ଥିଲେ ବିଜେଡି ହାତରେ ଯାଜପୁରର ୭ରୁ ୭ଆସନ ଥାଆନ୍ତା। ଦଳର ଏଭଳି ଅବସ୍ଥା ହୋଇନଥାନ୍ତା। ପରୋକ୍ଷରେ ଶ୍ରୀ ଦାସବର୍ମା ବବିଙ୍କ ସମ୍ବଲପୁର ଯିବା ନିଷ୍ପତ୍ତିକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି। ଅର୍ଥାତ ଯାଜପୁରରେ ବିଜେଡିର ଦୁର୍ଗ ପତନ ପାଇଁ ବବିଙ୍କୁ ହିଁ ଦାୟୀ କରିଛନ୍ତି।
ବିଜେଡି ଗଠନ ଦିନରୁ ହିଁ ରାଜ୍ୟ ରାଜନୀତିରେ ଯାଜପୁରିଆ ନେତାଙ୍କ ପତିଆରା ରହି ଆସିଛି। ତୃତୀୟ ମହଲା ସହିତ ଯାଜପୁରିଆ ନେତାଙ୍କ ଘନିଷ୍ଠତା ଅନ୍ୟମାନଙ୍କ ପାଇଁ ଈର୍ଷାର କାରଣ ହୋଇଥିଲା। କୋରେଇର ପୂର୍ବତନ ବିଧାୟକ ସ୍ବର୍ଗତ ଅଶୋକ ଦାସଙ୍କ ସମୟରୁ ଜିଲ୍ଲାରେ ଅଣକଂଗ୍ରେସ ରାଜନୀତିର ଆଧିପତ୍ୟ ରହିଆସିଥିଲା। ପରେ ସୁକିନ୍ଦା ବିଧାୟକ ପ୍ରଫୁଲ୍ଲ ଘଡ଼େଇ ବହୁଦିନ ଧରି ଦଳରେ ପ୍ରଭାବଶାଳୀ ଭୂମିକାରେ ରହିଥିଲେ। ଦଳର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ପରାମର୍ଶ ନିଆଯାଉଥିଲା। ଅର୍ଥ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ସେ ବହୁଦିନ ମନ୍ତ୍ରୀ ରହିଥିଲେ। ପ୍ୟାରୀ ମହାପାତ୍ରଙ୍କ ବହୁଚର୍ଚ୍ଚିତ ‘ମିଡ୍ନାଇଟ୍ ଅପରେସନ୍’ ପରେ ପ୍ରଫୁଲ୍ଲଙ୍କୁ ଚେକ୍ ଦେଇ ଧର୍ମଶାଳାର ପୂର୍ବତନ ବିଧାୟକ ସ୍ବର୍ଗତ କଳ୍ପତରୁ ଦାସ ଦଳର ସଭାପତିଙ୍କ ନିକଟତର ହୋଇଥିଲେ। ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାରରେ ମଧ୍ୟ କଳ୍ପତରୁଙ୍କର ଅଖଣ୍ଡ କ୍ଷମତା ଥିଲା। ୨୦୧୪ ନିର୍ବାଚନରେ ଟିକଟ ବଣ୍ଟାଠାରୁ ଆରମ୍ଭ କରି ସେ ସବୁକିଛି ବୁଝୁଥିଲେ। ୨୦୧୫ରେ କଳ୍ପତରୁଙ୍କ ମୃତ୍ୟୁ ପରେ କ୍ଷମତା ଅକ୍ତିଆର କରିଥିଲେ ଅଶୋକ ନନ୍ଦନ ବବି। ୨୦୧୬ରୁ ୨୦୨୪ ପର୍ଯ୍ୟନ୍ତ ସେ ବିଜେଡିରେ ସର୍ବେସର୍ବା ହୋଇ ଅଖଣ୍ଡ କ୍ଷମତା ଭୋଗ କରିଥିଲେ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପରେ ସେ ପାଲଟି ଯାଇଥିଲେ ଦ୍ବିତୀୟ କ୍ଷମତାକେନ୍ଦ୍ର। ତାଙ୍କ ପାଟିରୁ ଯାହା ବାହାରୁଥିଲା, ତାହା ହିଁ ଦଳର ନୀତି ହୋଇ ଯାଉଥିଲା। ଗତ ନିର୍ବାଚନ ପୂର୍ବରୁ ବବିଙ୍କ କ୍ଷମତା ଶୀର୍ଷରେ ପହଞ୍ଚିଥିବା ବେଳେ ସ୍ବର୍ଗତ କଳ୍ପତରୁ ଦାସ ଓ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇଙ୍କ ପରିବାରର ପ୍ରଭାବ ଜିଲ୍ଲା ରାଜନୀତିରେ ହ୍ରାସ ପାଇଥିଲା।
କ୍ଷମତା ଶୀର୍ଷରେ ଯାଜପୁରିଆ ନେତା ରହିବା କାରଣରୁ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଅନ୍ୟ ଦଳଗୁଡ଼ିକ ଖାଲି ପ୍ରଭାବଶୂନ୍ୟ ହୋଇ ନଥିଲେ; ଏକପ୍ରକାର ମୂଳପୋଛ ହୋଇ ଯାଇଥିଲେ। ଗତ ଦୁଇଟି ନିର୍ବାଚନରେ ଜିଲ୍ଲାରୁ ୭ରୁ ୭ ବିଧାୟକ ଓ ସାଂସଦ ନିର୍ବାଚିତ ହୋଇଥିଲେ। ତେବେ ଏଥର ନିର୍ବାଚନରେ ସ୍ଥିତି ଓଲଟପାଲଟ ହୋଇଗଲା। ଦଳ ୭ରୁ ୪ଟି ଆସନ ହରାଇଲା। ସାଂସଦ ପ୍ରାର୍ଥୀ ବି ପରାଜିତ ହେଲେ। ସୁକିନ୍ଦାରେ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ, ଧର୍ମଶାଳାରେ ସ୍ବର୍ଗତ କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟ ପରାଜିତ ହେଲେ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଗିବାକୁ ଯାଇ ବବି ନିଜେ ପରାଜିତ ହେବା ସହିତ ଯାଜପୁର ଜିଲ୍ଲାକୁ ହାତଛଡ଼ା କଲେ। ନିଜ ମା’ ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇରୁ ପ୍ରାର୍ଥୀ କରି ଜିତାଇ ପାରିଲେନାହିଁ। ଯାଜପୁରରେ ‘ବବି-ଜିତୁ-ଡାନି’ ଧରାଶାୟୀ ହୋଇଗଲେ।