୧୦୭ ବର୍ଷ ପୁରୁଣା ଅବକାରୀ ବିଭାଗର ଦୁର୍ବଳ ସ୍ଥିତି: ଲାଠିରେ ଚାଲିଛି ଅପରାଧ ମୁକାବିଲା

ଫୋନ୍ ଟ୍ରାକିଂ କ୍ଷମତା ବି ନାହିଁ

କଟକ : ରାଜ୍ୟ ଅବକାରୀ ବିଭାଗ ହେଉଛି ୧୦୭ ବର୍ଷର ପୁରୁଣା ବିଭାଗ। ରାଜ୍ୟର ଅପରାଧିକ କାର୍ଯ୍ୟକଳାପ ଦମନରେ ବର୍ତ୍ତମାନ ସମୟରେ ଅବକାରୀ ବିଭାଗର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ବିଭାଗ ଯେଭଳି ଢଙ୍ଗରେ ଚାଲିଛି, ‌ତାହା ଅନେକଙ୍କୁ ଚକିତ ବି କରୁଛି। ଅବକାରୀ ଅଧିକାରୀ ବନ୍ଧୁକ ବଦଳରେ ଲାଠି ଧରି ଅପରାଧୀଙ୍କ ମୁକାବିଲା କରୁଛନ୍ତି। ଏମିତିକି ବିଭାଗର ସବୁ ଏସ୍‌ଆଇ ଓ ଇନସପେକ୍ଟରଙ୍କ ହାତରେ ବି ବନ୍ଧୁକ ନାହିଁ। ଅପରାଧୀଙ୍କ ମୋବାଇଲ୍ ନମ୍ବର ଟ୍ରାକିଂ କି ସିଡିଆର୍(କଲ୍ ଡିଟେଲ୍ ରେକର୍ଡ) ଯାଞ୍ଚ କରିବାର କ୍ଷମତା ଏଯାଏ ସେମାନଙ୍କୁ ମିଳିନାହିଁ। ଅବକାରୀ ଚୋରା କାରବାରରେ ଚୋରା ଓ ଜାଲି ନମ୍ବର ପ୍ଲେଟ୍‌ର ଗା଼ଡ଼ି ବ୍ୟବହାର ହେଉଥିବା ବେଳେ ସେଭଳି ଗାଡ଼ିର ପ୍ରକୃତ ମାଲିକାନା ଯାଞ୍ଚ କ୍ଷମତା ବି ଅବକାରୀ ବିଭାଗର ନାହିଁ। ସିଡିଆର୍ ଓ ମୋବାଇଲ୍ ଲୋକେସନ୍ ପାଇଁ ଜିଲ୍ଲା ପୁଲିସ ଓ ଗାଡ଼ି ମାଲିକାନା ଯାଞ୍ଚ ପାଇଁ ଆରଟିଓ ଉପରେ ଅବକାରୀ ବିଭାଗ ନିର୍ଭର କରୁଛି।

ଓଡ଼ିଶା-ବିହାର ଅବକାରୀ ବିଭାଗ ୧୯୧୫ରୁ ଆରମ୍ଭ ହୋଇଥିଲା। ୧୯୩୬ ଏପ୍ରିଲରେ ସ୍ବତନ୍ତ୍ର ଓଡ଼ିଶା ଗଠନ ପରେ ଏହା ପୃଥକ ହୋଇଥିଲା। କିନ୍ତୁ ବିଭାଗର ଭିତ୍ତିଭୂମି ଆଉ କ୍ଷମତା ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ରହିଛି। ରାଜ୍ୟରେ କଟକ ସମେତ ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ତିନୋଟି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଡିଏସପି ଓ କମିସନରଙ୍କ ଅଫିସ ଅଧୀନରେ ଥିବା ଏନଫୋର୍ସମେଣ୍ଟ ସେଲ୍ ଡିଏସପିଙ୍କୁ ସିଡିଆର୍ ଓ ମୋବାଇଲ୍ ଟ୍ରାକିଂ କ୍ଷମତା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ଗଲା ଜାନୁଆରିରେ ଚିଠି ଲେଖାଯାଇଥିଲା। ଏହି ୪ ଜଣ ଅଧିକାରୀ ରାଜ୍ୟରେ ଅବକାରୀ ବିଭାଗର ନୋଡାଲ୍ ଅଫିସର ଭାବେ କାମ କରିବା ସହିତ ୩୩ଟି ଅବକାରୀ ଏସପି ଅଫିସ ଓ କଟକ ରାଜ୍ୟ ଫ୍ଲାଇଂ ସ୍କ୍ବାଡର ଅଧିକାରୀଙ୍କୁ ନିଶା ମାଫିଆଙ୍କ ସିଡିଆର୍ ଓ ମୋବାଇଲର ଲାଇଭ୍ ଲୋକେସନ୍ ଯୋଗାଇବାକୁ ଯୋଜନା କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ସିଧାସଳଖ ମୋବାଇଲ୍ ସର୍ଭିସ ପ୍ରୋଭାଇଡରଙ୍କ ନିକଟରୁ ଏଭଳି ତଥ୍ୟ ପାଇବାର କ୍ଷମତା ଅବକାରୀ ବିଭାଗକୁ ଦେଲେନାହିଁ। କ୍ଷମତା ପ୍ରଦାନ ବଦଳରେ ଓଡ଼ିଶା ପୁଲିସକୁ ସହାୟତା ଯୋଗାଇବାକୁ କୁହାଯାଇଛି। ରାଜ୍ୟରେ ଅବକାରୀ ବିଭାଗର ମୋଟ ୩୭ଟି ଅନୁଷ୍ଠାନ ପାଇଁ କଟକ ଡିସିପି, ସମ୍ବଲପୁର ଓ ବ୍ରହ୍ମପୁର ଏସପିଙ୍କୁ ନୋଡାଲ୍ ଅଫିସର ଭାବେ ନିୟୋଜିତ କରାଯାଇଛି। ଅର୍ଥାତ ପ୍ରତି ନୋଡାଲ୍ ଅଫିସରଙ୍କ ଅଧୀନରେ ୧୨ଟି ଲେଖାଏଁ ଅବକାରୀ ଅନୁଷ୍ଠାନର ଦାୟିତ୍ବ ରହିଛି। ସମ୍ପୃକ୍ତ ଜିଲ୍ଲା ଏସପିମାନେ ନିଜ ଜିଲ୍ଲାର ଦୈନିକ ଅପରାଧୀଙ୍କ ମୋବାଇଲ୍ ଲୋକେସନ୍ ଓ ସିଡିଆର୍ ସର୍ଭିସ ପ୍ରୋଭାଇଡରଙ୍କ ନିକଟରୁ ଆଣିବା ସହିତ ଅତିରିକ୍ତ ଭାବେ ଏବେ ୧୨ଟି ଅବକାରୀ ଅନୁଷ୍ଠାନର ଦାୟିତ୍ବ ବି ସମ୍ଭାଳିବାକୁ ଯାଉଛନ୍ତି। ଏଭଳି ଅବାସ୍ତବ ନିଷ୍ପତ୍ତିକୁ ନେଇ ବରିଷ୍ଠ ଅବକାରୀ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ୨୦୨୦ ଏପ୍ରିଲ-୨୦୨୧ ମାର୍ଚ୍ଚ ସୁଦ୍ଧା ୨୫ ହଜାର ମାମଲା ହୋଇଥିବାବେଳେ ୨୦୨୧ ଏପ୍ରିଲରୁ ୨୦୨୨ ଫେବ୍ରୁଆରି ସୁଦ୍ଧା ପ୍ରାୟ ୩୫ ହଜାର ମାମଲା ରୁଜୁ ହୋଇସାରିଲାଣି। ମୋବାଇଲ୍ ଟ୍ରାକିଂ ଓ ସିଡିଆର୍ ଯାଞ୍ଚ ସହଜ ନହେବା ଫଳରେ ମାମଲା ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ମୋବାଇଲ୍ ଟ୍ରାକିଂ ଓ ସିଡିଆର୍ ସହିତ ଗାଡ଼ିର ଇଞ୍ଜିନ ଏବଂ ଚେଚିସ୍ ନମ୍ବର ମାଧ୍ୟମରେ ଅନଲାଇନରେ ଗାଡ଼ିର ମାଲିକାନା ଯାଞ୍ଚ କରିବା ଦାୟିତ୍ବ ପୁଲିସ ବିଭାଗକୁ ମିଳିଥିବା ବେଳେ ଅବକାରୀ ବିଭାଗ ସେ ପ୍ରକାର କ୍ଷମତାରୁ ବି ବଞ୍ଚିତ ହୋଇଛି। ରାଜ୍ୟରେ ସର୍ବାଧିକ ଚୋରା ଗାଡ଼ି ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଚାଲାଣରେ ନିୟୋଜିତ ହେଉଛି। ଜଣେ ଅବକାରୀ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଏ ପ୍ରକାର ତଥ୍ୟ ଅନଲାଇନରୁ କାଢ଼ିବାକୁ ଗୋଟିଏ ମିନିଟ୍ ଲାଗୁଥିବା ବେଳେ ଆରଟିଓ ତିନି, ଚାରି ଦିନ ଅବକାରୀ ବିଭାଗର ଚିଠିକୁ ପକାଇ ରଖୁଛି। ଅବକାରୀ ଅଧିକାରୀ ନିଜେ ଆରଟିଓ ଅଫିସ୍ ନଗଲେ ସେମାନଙ୍କୁ ତଥ୍ୟ ମିଳୁନଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି। ଅବକାରୀ କମିସନର ଆଶିଷ କୁମାର ସିଂହ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୦ଟି ଏଜେନ୍ସିକୁ ସିଡିଆର୍ ଓ ଲୋକେସନ୍ ଯାଞ୍ଚ କ୍ଷମତା ମିଳିଛି। ଅବକାରୀ ବିଭାଗ ଏଥିରେ ନଥିବାରୁ ଅବକାରୀ ବିଭାଗ ପୁଲିସ ସହଯୋଗରେ ତଥ୍ୟ ସଂଗ୍ରହ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର