ବାଲେଶ୍ୱର/ଚାନ୍ଦିପୁର : ଭାରତର ପ୍ରଥମ ଯୁଦ୍ଧାସ୍ତ୍ର ସଂଗ୍ରହାଳୟ (ୱିପନ୍‌ ପାର୍କ) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ପ୍ରତିଷ୍ଠା କରାଯାଇଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପରିସରସ୍ଥ ପିଏକ୍ସଇ କଂପ୍ଲେକ୍ସରେ ଏହି ସଂଗ୍ରହାଳୟକୁ ଆଜି ଡିଆରଡିଓର ଅଧ୍ୟକ୍ଷ ଏସ୍‌. ଖ୍ରୀଷ୍ଟୋଫର ଉଦ୍‌ଘାଟନ କରିଛନ୍ତି। ଭାରତୀୟ ବାୟୁସେନା ଓ ନୌସେନାରେ ବ୍ୟବହୃତ ୧୪ଟି ଯୁଦ୍ଧାସ୍ତ୍ରକୁ ଏହି ୱିପନ୍‌ ପାର୍କରେ ସର୍ବସାଧାରଣ ଦର୍ଶନ ପାଇଁ ରଖାଯାଇଛିା

Advertisment

publive-imageସଂଗ୍ରହାଳୟର ପ୍ରମୁଖ ଆକର୍ଷଣ ସାଜିଛି ବୈଜୟନ୍ତ ଟ୍ୟାଙ୍କ। ୧୯୭୧ର ବହୁ ଚର୍ଚ୍ଚିତ ଭାରତ ଓ ପାକିସ୍ତାନ ଯୁଦ୍ଧ ସମୟରେ ଏହି ଟ୍ୟାଙ୍କକୁ ବ୍ୟବହାର କରାଯାଇଥିଲା। ଯାହାକି ଭାରତୀୟ ସେନାର ଶକ୍ତି ବୃଦ୍ଧି କରିଥିଲା। ଇଂଲଣ୍ଡ ନିର୍ମିତ ଏହି ଟ୍ୟାଙ୍କର ଓଜନ ୪୦ ହଜାର କିଲୋଗ୍ରାମ। ବୈଜୟନ୍ତ ଟ୍ୟାଙ୍କ ୫ କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ଏହି ପାର୍କରେ ରକେଟ୍‌ ଲଞ୍ଚର ଡବ୍ଲୁଏମ୍‌-୧୮, ୧୦୫ ଏମଏମ୍‌ ଭାରତୀୟ ଫିଲ୍ଡ ଗନ୍‌, ୧୨୨ ଏମଏମ୍‌ ଗ୍ରାଡ୍‌ ବିଏମ୍‌-୨୧ (ରକେଟ୍‌ ଲଞ୍ଚର), ୫୭ଏମଏମ୍‌ ଆଣ୍ଟି ଟ୍ୟାଙ୍କ ଗନ୍‌, ୪୦ଏମଏମ୍‌ ଲାଇଟ୍‌ ଗନ୍‌ ସମେତ ଅନେକ ରକେଟ ଲଞ୍ଚର ଓ ଯୁଦ୍ଧାସ୍ତ୍ର ଏହି ପାର୍କରେ ସ୍ଥାନ ପାଇଛି।

publive-imageଏସବୁ ଯୁଦ୍ଧାସ୍ତ୍ର ବିଭିନ୍ନ ସମୟରେ ଭାରତୀୟ ସ୍ଥଳସେନା ଓ ନୌସେନାରେ ପ୍ରମୁଖ ଅସ୍ତ୍ରଶସ୍ତ୍ର ଭାବରେ ବ୍ୟବହୃତ ହୋଇଥିଲା। ଆଗାମୀ ପିଢିଙ୍କୁ ଆମ ଦେଶର ପ୍ରତିରକ୍ଷା ସଂପର୍କିତ ଜ୍ଞାନ ଦେବା ଏବଂ ଯବାନଙ୍କ ପ୍ରତି ସମ୍ମାନ ସୃଷ୍ଟି ଉଦ୍ଦେଶ୍ୟରେ ଏଭଳି ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଥିବା ପିଏକ୍ସଇର ନିର୍ଦ୍ଦେଶକ ଆର. ଆପ୍ପାଭୁରାଜ କହିଛନ୍ତି। ପୂର୍ବରୁ ଚାନ୍ଦିପୁରକୁ ଅନେକ ସମୟରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ ଆସୁଥିବା ବେଳେ ସେମାନେ ଦେଖିବା ପାଇଁ ସେଭଳି କିଛି ସ୍ଥାନ ନଥିବାରୁ ଏଭଳି ଏକ ପାର୍କ ନିର୍ମାଣ ପାଇଁ ପିଏକ୍ସଇ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିଲା। କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗର ମଂଜୁରି ପରେ ଏବେ ତାହା ସମ୍ଭବ ହୋଇ ପାରିଛି।

ସୂଚନା ମୁତାବକ ବିନା ଫାୟାରିଂ ଦିନ ଗୁଡିକରେ ଏହି ସଂଗ୍ରହାଳୟ ଖୋଲା ରହିବ। ପରେ ଏଥିପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯିବ ବୋଲି ପିଏକ୍ସଇ ପକ୍ଷରୁ କୁହାଯାଇଛି। ଏହି ପାର୍କ ସାରା ଦେଶର ଜନସାଧାରଣ ଓ ବିଦ୍ୟାର୍ଥୀଙ୍କ ପାଇଁ ପ୍ରମୁଖ ଆକର୍ଷଣ ସାଜିବ ବୋଲି କୁହାଯାଉଛି।