ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ ଘଟଣା: ଡାକ୍ତରଖାନାରେ ଆହତଙ୍କ ମୃତ୍ୟୁ

ମୁରିବାହାଲ: ମୁରିବାହାଲ ଥାନା ଟୁପାଉଡ଼ାର ଗ୍ରାମରେ ଟାଙ୍ଗିଆ ଦ୍ବାରା ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଧନେଶ୍ୱର ନାଗ (୫୦ବର୍ଷ)ଙ୍କ ମୃ୍ତ୍ୟୁ ଘଟିଛି। ଏହି ମାମଲାରେ ମୃତ ଧନେଶ୍ବରଙ୍କ ସଂପର୍କୀୟ ବଡ଼ଭାଇ ଯୁଧିଷ୍ଠିର ନାଗ (୬୦ବର୍ଷ)ଙ୍କ ବିରୋଧରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଅଗଷ୍ଟ ୧୭ ତାରିଖ ଦିନ ଧନେଶ୍ୱରଙ୍କୁ ତାଙ୍କ ବଡ଼ବାପାଙ୍କ ପୁଅ ଯୁଧିଷ୍ଠିର ଟାଙ୍ଗିଆରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଟିଟିଲାଗଡ଼, ପରେ ବଲାଙ୍ଗୀର ଓ ଶେଷରେ ବୁର୍ଲାକୁ ଚିକିତ୍ସା ପାଇଁ ନେଇଥିଲେ। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ମୁରିବାହାଲ ପୁଲିସ ଯୁଧିଷ୍ଠିରଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଧନେଶ୍ବରଙ୍କ ମୃତ୍ୟୁ ପରେ ପୁଲିସ ଏହାକୁ ହତ୍ୟା ମାମଲାରେ ରୂପାନ୍ତର କରିଛି। କୋର୍ଟରେ ଯୁଧିଷ୍ଠିର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର