କଟକ: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରକୁ ଏବେ ଅସ୍ତ୍ର କରିଛନ୍ତି ସାଇବର୍ ଅପରାଧୀ। ରାମ ମନ୍ଦିରର ପ୍ରସାଦ, ପତାକା, ପାଦୁକା ମାଗଣାରେ ଯୋଗାଇ ଦେବା ପାଇଁ ‘ଖଦି ଅର୍ଗାନିକ’ ଓ ‘ରାମ ମନ୍ଦିର ଅଫିସିଆଲ୍’ ନାଁରେ ଦୁଇଟି ୱେବସାଇଟ୍ରେ ଯୋଗାଯୋଗ କରିବାକୁ ମୋବାଇଲ ଫୋନ୍କୁ ମେସେଜ୍ ଆସୁଛି। ଏହି ୱେବସାଇଟରେ ନିଜର ବ୍ୟକ୍ତିଗତ ତଥ୍ୟ ଓ ସାମଗ୍ରୀ ବାବଦ ଡେଲିଭରି ଦେୟ ଦେଇ ଅର୍ଡର୍ କରିବା ସମୟରେ ସାଇବର୍ ଅପରାଧୀ ବ୍ୟାଙ୍କ ଆକାଉଣ୍ଟର ସବୁତକ ଟଙ୍କା ପୋଛି ନେଉଛନ୍ତି। ଏମିତିକି ରାମ ମନ୍ଦିର ପାଇଁ ଅର୍ଥ ଦାନ କରିବାକୁ କ୍ୟୁଆର୍ କୋଡ୍ ସ୍କାନର ବି ପଠାଉଛନ୍ତି। ଏଥିରେ ବି ଦାନ ଟଙ୍କା ଜମାକଲେ ଏହି ଟଙ୍କା ସିଧା ସାଇବର୍ ଅପରାଧୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯାଉଛି। ଏଭଳି ସଂଗିନ ମାମଲା ଏବେ ସାଇବର୍ ପୁଲିସ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି।
ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଯେଉଁ ଆବେଗ ସୃଷ୍ଟି ହୋଇଛି, ତାହାର ଫାଇଦା ଉଠାଇବାକୁ ନାଇଜେରିଆନ୍ ସାଇବର୍ ଅପରାଧ ଗୋଷ୍ଠୀ ଏଭଳି କସରତ ଆରମ୍ଭ କରି ଦେଇଥିବା ସୂଚନା ମିଳିଛି। ଆମାଜନରେ ଅଯୋଧ୍ୟା ରାମ ମନ୍ଦିରର ରଘୁପତି ଘିଅ ଲଡ଼ୁ, ଖୋୟା ଖୋବି ଲଡ଼ୁ, ଘିଅ ବୁନ୍ଦି ଲଡ଼ୁ, ଦେଶୀ ଗାଈ ଘିଅ ପେଡ଼ା ଇତ୍ୟାଦି ବିକ୍ରି ହେଉଛି। କିନ୍ତୁ ମନ୍ଦିର ପକ୍ଷରୁ ଏଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ। ସେହିଭଳି ଖଦି ଅର୍ଗାନିକ୍ ସଂସ୍ଥା ନାଁରେ ମଧ୍ୟ ଅନଲାଇନ ୱେବସାଇଟ୍ରେ ପ୍ରସାଦ ମାଗଣାରେ ମିଳୁଛି। ପ୍ରସାଦ ପାଇଁ ଅନଲାଇନରେ କେବଳ ଡେଲିଭରି ବାବଦ ୫୧ ଟଙ୍କା ଜମା କରିବାକୁ ପଡ଼ିବ। କ୍ୟାସ୍ ଅନ୍ ଡେଲିଭରି କଲେ ୧୦୧ ଟଙ୍କା ଅର୍ଥ ଦେବାକୁ ପଡ଼ିବ ବୋଲି କୁହାଯାଉଛି। ଯଦି କୌଣସି ବିଦେଶୀ ଗ୍ରାହକ ପ୍ରସାଦ ପାଇବାକୁ ଚାହାନ୍ତି ତେବେ ତାଙ୍କୁ ୧୧ ଡଲାର ଦେବାକୁ ପଡ଼ିବ ବୋଲି ୱେବସାଇଟ୍ରେ ଉଲ୍ଲେଖ ରହୁଛି। ରାମ ମନ୍ଦିର ପକ୍ଷରୁ ଅନ୍ଲାଇନ୍ରେ ଏଭଳି କୌଣସି ପ୍ରସାଦ ବିକ୍ରି ସୁବିଧା ନାହିଁ। ‘ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାଁରେ ମୋବାଇଲ୍ ଓ ହ୍ୱାଟସଆପକୁ ମେସେଜ ଆସୁଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏଭଳି ଅଫର୍ ଥିବା ଦର୍ଶାଯାଉଛି। ପ୍ରସାଦ ପାଇବାକୁ ଆଗ୍ରହୀ ବ୍ୟକ୍ତି ‘ଖଦି ଅର୍ଗାନିକ୍’ ଓ ‘ରାମ ମନ୍ଦିର’ ୱେବ୍ସାଇଟ ଖୋଲିବା ପରେ ‘ରେଜିଷ୍ଟ୍ରେସନ୍ ଫର୍ ରାମ ମନ୍ଦିର ପ୍ରସାଦ’ ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଉଛି। ଏହାକୁ ଖୋଲିବା ପରେ ଏଥିରେ ନାଁ, ଫୋନ୍ ନମ୍ବର ଓ ଯୋଗାଯୋଗ ନମ୍ବର ଉଲ୍ଲେଖ କରି ଦାଖଲ ଅପ୍ସନରେ କ୍ଲିକ୍ କରିବାକୁ କୁହାଯାଉଛି। ଏହାପରେ ବୁକିଂ ନିଶ୍ଚିନ୍ତ ହୋଇଥିବା ସଂକ୍ରାନ୍ତରେ ଏକ ମେସେଜ୍ ମୋବାଇଲକୁ ଆସୁଛି। ପ୍ରସାଦ ମାଗଣା ହୋଇଥିବା ବେଳେ ଡେଲିଭରି ଦେୟ ବାବଦ ୫୧ ଟଙ୍କା ରହୁଛି। ଏହି ଟଙ୍କା ୟୁପିଆଇ, ନେଟ୍ ବ୍ୟାଙ୍କିଂ, କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ମାଧ୍ୟମରେ ଦାଖଲ କରାଯାଇପାରିବ। ଏଭଳି ଆଉ ଏକ ହ୍ବାଟସଆପ୍ ଲିଙ୍କ୍ରେ କ୍ଲିକ୍ କଲେ ରାମଙ୍କ ଚରଣ ପାଦୁକା, ରାମଙ୍କ ନାଁ ଲେଖାଥିବା ଟି ସାର୍ଟ, ଅଯୋଧ୍ୟା ରାମ ମନ୍ଦିର ପତାକା କିଣିବା ନେଇ ବିଜ୍ଞାପନ ଦିଆଯାଉଛି। ଏମିତିକି ମନ୍ଦିର ଭିତରକୁ ପ୍ରବେଶ ପାଇଁ ପାସ୍ ମଧ୍ୟ ଅନ୍ଲାଇନରେ ଉପଲବ୍ଧ ଥିବା ଏଥିରେ ଦର୍ଶାଯାଉଛି। ବ୍ୟାଙ୍କ୍ ସଂକ୍ରାନ୍ତ ତଥ୍ୟ ଦାଖଲ ପରେ ବ୍ୟାଙ୍କ୍ ଆକାଉଣ୍ଟ ହ୍ୟାକ୍ ହେବା ସହିତ ଆକାଉଣ୍ଟରୁ ଟଙ୍କା ଚାଲି ଯିବା ଅଭିଯୋଗ ଏବେ ସାଇବର ପୁଲିସ ପାଖରେ ପହଞ୍ଚିଛି।
ସାଇବର୍ ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ, ମନ୍ଦିର ନାଁରେ ଏକ କ୍ୟୁଆର୍ କୋଡ୍ ଅନ୍ଲାଇନରେ ଘୂରି ବୁଲୁଛି। ଏହି କ୍ୟୁଆର୍ କୋଡ୍ରେ ରାମ ମନ୍ଦିର ପାଇଁ ଅର୍ଥ ଦାନ କରିବାକୁ କୁହାଯାଉଛି। ଏହି କ୍ୟୁଆର୍ କୋଡ୍ରେ ସ୍କାନ୍ କରିବା ଦ୍ବାରା ଟଙ୍କା ସାଇବର୍ ଅପରାଧୀ ଲୁଟି ନେଉଛନ୍ତି। ଅନ୍ଲାଇନରେ ରାମ ମନ୍ଦିର ନାଁରେ ଯେଉଁ ପ୍ରସାଦ ମିଳୁଥିବା ଦାବି କରାଯାଉଛି, ଏଥିରେ କୌଣସି ଆର୍ଥିକ କାରବାର କରିବା ଅନୁଚିତ ବୋଲି ଶ୍ରୀ ସାହୁ ସତର୍କ କରାଇ ଦେଇଛନ୍ତି।