ରାଉରକେଲା : ଏପ୍ରିଲ ପହିଲାରୁ ଡବଲ ହେଲମେଟ୍ ପିନ୍ଧିବା ବାଧ୍ୟତାମୂତଳକ

ନଚେତ କଟା ହେବ ମୋଟା ଅଙ୍କର ଜରିମାନା

ରାଉରକେଲା : ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ରାଉରକେଲା ସମେତ ଜିଲ୍ଲାରେ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତିବିଶେଷ ହେଲମେଟ ପିନ୍ଧିବା ବାଧ୍ୟତାମୂତଳକ ହେବ। ନଚେତ କଟା ହେବ ମୋଟା ଅଙ୍କର ଜରିମାନା। ଆବଶ୍ୟକ ପଡ଼ିଲେ ବାଇକ୍ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ ହୋଇ ପାରେ। ଅମାନିଆ ବାଇକ ଚାଳକଙ୍କୁ ନେଇ ଏମିତି ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର।

ରାଜ୍ୟରେ ଘଟୁଥିବା ଦୁର୍ଘଟଣା ମଧ୍ୟରୁ ଅଧିକାଂଶ ଦୁର୍ଘଟଣା ବାଇକ ଚାଳକଙ୍କ କାରଣରୁ ଘଟୁଛି। ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାରେ ମଧ୍ୟ ଅଧିକ ସଂଖ୍ୟାରେ ବାଇକ ଚାଳକଙ୍କ ପ୍ରାଣ ଯାଉଛି। ତାର କାରଣ ହେଉଛି ବିନା ହେଲମେଟରେ ବାଇକ ଚଳାଇବା, ପିଲିଅନ୍ ଡ୍ରାଇଭର ମଧ୍ୟ ବିନା ହେଲମେଟରେ ବସିବା, ରଙ୍ଗ ସାଇଡ୍ ଡ୍ରାଇଭ, ସ୍ପିଡ୍ ଡ୍ରାଇଭ ଓ ମଦ୍ୟପାନ କରି ବାଇକ ଚାଳକମାନେ ବାଇକ ଚଳାଇବା। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ। ଏହି କାରଣରୁ ଦୁଇ ଦିନ ତଳେ ମୁଖ୍ୟ ଶାସନ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଏସ୍‌ପିଙ୍କ ସହିତ ଆଲୋଚନା କରିବା ପରେ ଏଭଳି ନିର୍ଦେଶ ଦେଇଛନ୍ତି। ନିଦେର୍ଶରେ ସ୍ପଷ୍ଟ ଭାବେ କୁହାଯାଇଛି କି, ଆମାନିଆ ବାଇକ ଚାଳକଙ୍କୁ ସାବାଡ଼ କର।

ରାଜ୍ୟର ବିଶେଷକରି ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ଗଞ୍ଜାମ, କଟକ ଓ ଖୋର୍ଧା ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ସାରା ରାଜ୍ୟରେ ଗତ ବର୍ଷ ଯେତିକି ଦୁର୍ଘଟଣା ଘଟିଥିଲା ଚଳିତ ବର୍ଷର ତିନି ମାସରେ ଏହି ସଂଖ୍ୟା ଅହେତୁକ ଭାବେ ବଢ଼ିବାରେ ଲାଗିଛି। ମୃତ୍ୟୁ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଛି।

ରାଉରକେଲା ସହରରେ ମଧ୍ୟ ଦିନକୁ ଦିନ ଅମାନିଆ ବାଇକ ଚାଳକଙ୍କ ଉତ୍ପାତ ବଢ଼ି ଚାଲିଛି। ସହରରେ ବାଇକ ଚାଳକମାନଙ୍କ ପାଇଁ ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ଚାଲିଛି। ଯାହାର କାରଣ ହେଉଛି ରଙ୍ଗ ସାଇଡ୍ ଡ୍ରାଇଭ, ସ୍ପିଡ୍ ଡ୍ରାଇଭ ଓ ମଦ୍ୟପାନ କରି ବାଇକ ଚଳାଇବା। ଏବେ ବି ବାଇକ ଚାଳକମାନେ ମୁଣ୍ଡରେ ହେଲମେଟ୍ ପିନ୍ଧୁ ନାହାନ୍ତି, ଯେଉଁ କାରଣରୁ ବିଭିନ୍ନ ସମୟରେ ଜରିମାନା ମଧ୍ୟ ଦେଉଛନ୍ତି। ଏଭଳି ପରିସ୍ଥିତିରେ ବାଇକ ଚା‌ଳକ ଓ ପିଲିଅନ ଚାଳକମାନେ ଡବଲ ହେଲମେଟ୍ ପିନ୍ଧିବା ଏବେ ଆଶ୍ଚର୍ଯ୍ୟ ଲାଗୁଛି।

ଏ ସମ୍ପର୍କରେ ରାଉରକେଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଡବଲ ହେଲମେଟ ନିୟମ ଗତବର୍ଷଠାରୁ ଲାଗୁ ହେବା କଥା। କିନ୍ତୁ ମହାମାରୀ କରୋନା ପାଇଁ ଏହି ନିୟମ ଲାଗୁରେ ବିଳମ୍ବ ହେଲା। କିନ୍ତୁ ଏପ୍ରିଲ ମାସରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଥିପାଇଁ ଆମ୍ଭେମାନେ ଚାଳକମାନଙ୍କୁ ସଚେତନ ମଧ୍ୟ କରି ସାରିଛୁ।

ସମ୍ବନ୍ଧିତ ଖବର