ବାଲେଶ୍ବର: ବାଲେଶ୍ବର ଉପଜିଲ୍ଲାପାଳ ଭାବେ ଏବେ କାର୍ଯ୍ୟରତ ଅଛନ୍ତି ୨୦୧୭ ବ୍ୟାଚ୍‌ର ଯୁବ ଆଇଏଏସ୍‌ ଆଶିଷ ଈଶ୍ବର ପାଟିଲ। ଘର ମହାରାଷ୍ଟ୍ର ରାଜ୍ୟ ଜଲଗାଁଓ ଜିଲ୍ଲାର ଚୋପଡ଼ା ତାଭାସେ ଗାଁରେ। ଏଥର ‘ଅନ୍ତରର ଖୋଲାକଥା’ ସ୍ତମ୍ଭରେ ଶ୍ରୀ ପାଟିଲ ନିଜ ଛାତ୍ର ଜୀବନଠୁ ଆରମ୍ଭ କରି ସଂଘର୍ଷମୟ ଜୀବନ ସଂପର୍କରେ ଅନେକ ରୋଚକ ତଥ୍ୟ ଅବତାରଣା କରିଛନ୍ତି। ତାଙ୍କୁ ଭେଟିଥିଲେ ‘ସମ୍ବାଦ’ ସହର ପ୍ରତିନିଧି କବିତା ପାତ୍ର।

Advertisment

ଶ୍ରୀ ଆଶିଷ ପାଟିଲ କୁହନ୍ତି, ବାପାଙ୍କର ଓଲ୍‌ଡିଂ ଦୋକାନଟିଏ ରହିଛି। ସାନଭଉଣୀ ଶ୍ରଦ୍ଧା ପୁନେରେ କମ୍ପ୍ୟୁଟର ଇଞ୍ଜିନିୟର ଅଛି। ଆମର ଯୌଥ ପରିବାର। ମହାରାଷ୍ଟ୍ର ବିବେକାନନ୍ଦ ବିଦ୍ୟାଳୟ (ମରାଠୀ)ରୁ ମାଟ୍ରିକ୍‌ରେ ୯୦ ପ୍ରତିଶତ, ମହାତ୍ମା ଗାନ୍ଧୀ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ୮୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ୨୦୧୪ରେ ପୁନେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପ୍ୟୁଟର ଟେକ୍ନୋଲୋଜିରୁ ଇଲେ‌ଟ୍ରୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେସନ୍‌ରେ ବି.ଟେକ୍‌ ପାସ୍‌ କରିଥିଲି। ଇଞ୍ଜିନିୟରିଂ ପଢ଼ିବା ଭିତରେ ସର୍ବଭାରତୀୟ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ଆଇଏଏସ୍ ସ୍ବପ୍ନ ସାକାର ହୋଇଥିଲା ୨୦୧୭ ମସିହା‌ରେ। ୟୁପିଏସ୍‌ସି ପରୀକ୍ଷାରେ ମୋର ରାଙ୍କ ଥିଲା ୩୩୦। ଚୂଡ଼ାନ୍ତ ଫଳ ଯେବେ ବାହାରିଲା ସେଦିନ ଆମ ଘରେ ଖୁସି ନ କହିଲେ ସରେ। ଏବେ ବି ମନେ ପଡ଼େ, ଯେବେ ପ୍ରଥମେ ଗାଁକୁ ଯାଇଥିଲି; ମୋତେ ଶୋଭାଯାତ୍ରା କରି ଘରକୁ ନିଆଯାଇଥିଲା। ବୋଧେ ମୁଁ ଆଇଏଏସ୍‌ ପାଇବା ଥିଲା ଆମ ଅଞ୍ଚଳ ପାଇଁ ଏକ ବଡ଼ ଉପଲବ୍ଧି।

publive-image

ଓଡ଼ିଶା କ୍ୟାଡର୍‌ ମିଳିବା ପରେ ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକର ବିଡିଓ ଭାବେ ଚାକିରି ଜୀବନ ଆରମ୍ଭ ହୋଇଥିଲା। ୨୦୧୯ରେ ଜଳଶକ୍ତି ମନ୍ତ୍ରଣାଳୟରେ ସହକାରୀ ସଚିବ, ୨୦୧୯ ଅକ୍ଟୋବରରୁ ୨୦୨୦ ଜୁଲାଇ ପର୍ଯ୍ୟନ୍ତ ଗ୍ରୀଡ୍‌କୋର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଏବଂ ୨୦୨୦ ଜୁଲାଇରୁ ଏ ପର୍ଯ୍ୟନ୍ତ ବାଲେଶ୍ବର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଆସୁଛି। ମୋ ବାପା ଡିପ୍ଲୋମା ଇଞ୍ଜିନିୟର ହୋଇଥିଲେ ବି ଚାକିରି ନ କରି ଓଲ୍‌ଡିଂ ଦୋକାନ କରିଥିଲେ। ଇଞ୍ଜିନିୟରିଂ ପରେ ୟୁପିଏସ୍‌ସି ପାଇଁ ଏକ ପରୀକ୍ଷାରେ ମନୋନୀତ ହୋଇ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମୁଁ ମାଗଣାରେ କୋଚିଂ ନେଇଥିଲି। ଭଲ ପୋଷାକ ପିନ୍ଧିବା କିମ୍ବା ବାଇକ୍‌ ଚଢ଼ିବା ମୋ ପାଇଁ ଥିଲା ଏକ ସ୍ବପ୍ନ। ଅବଶ୍ୟ ପାଠପଢ଼ା ବ୍ୟତୀତ ଅନ୍ୟ କୌଣସି ଦିଗ ପ୍ରତି ମୋର ଧ୍ୟାନ ନଥିଲା।

ସଂ‌କ୍ଷେପରେ ବାଲେଶ୍ବର ଉପଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ 

ଜନ୍ମ: ୧୯୯୧ ମସିହା, ଡିସେମ୍ବର ୩୧
୨୦୧୭ ବ୍ୟାଚ୍‌ ଆଇଏଏସ୍‌
ଘର: ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲା ଚୋପଡ଼ା ଗ୍ରାମ
ପତ୍ନୀ: ଡାକ୍ତର ରୁଚିକା ପାଟିଲ୍‌
ବାପା ଈଶ୍ବର ପାଟିଲ, ମା’ କୁସୁମ ପାଟିଲ

ବାପା ବହୁତ କଷ୍ଟରେ ମତେ ପଢ଼ାଇଛନ୍ତି। ରାତି ୧୨ଟା ପର୍ଯ୍ୟନ୍ତ କାମ କରି ଘରକୁ ଫେରନ୍ତି। ମୁଁ ଆଇଏଏସ୍‌ ହେବା ପରେ ଏବେ ସେ ଦୋକାନରେ ବସୁନାହାନ୍ତି, ଭଡ଼ା ଦେଇଛନ୍ତି। ବାପା, ମା’ଙ୍କ ସରଳ ଜୀବନଶୈଳୀରେ ମୁଁ ପ୍ରଭାବିତ। ମହାରାଷ୍ଟ୍ର ତାଭାସେ ଗ୍ରାମରେ ଆମର ଯୌଥ ପରିବାର। ବାପାଙ୍କର ଭାଇ ଓ ଜେଜେବାପାଙ୍କ ଭାଇମା‌େନ ସମସ୍ତେ ସେଠାରେ ରହୁଛନ୍ତି। ଆମର ଚାଷୀ ପରିବାର। ଏବେ ବି ବାପା ଗହମ, ମକା, ତୁଳା ଚାଷ କଥା ବୁଝନ୍ତି। ୨୦୧୯ ଜୁଲାଇ ୬ ତାରିଖରେ ମହାରାଷ୍ଟ୍ରର ରୁଚିକାଙ୍କ ସହ ମୋର ବିବାହ ହେଲା। ରୁଚିକା ଜଣେ ଡାକ୍ତର। ଅସ୍ଥିଶଲ୍ୟ ବିଶେଷଜ୍ଞ ଭାବେ ଏବେ ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ଅଛନ୍ତି। ବ୍ୟସ୍ତ ଜୀବନ କାରଣରୁ ଆମେ ଆଜିଯାଏ ମହାରାଷ୍ଟ୍ର ସାଙ୍ଗ ହୋଇ ଯାଇପାରିନୁ। ରୁଚିକା ପ୍ରଥମେ ପ୍ରଥମେ ମୋର ବ୍ୟସ୍ତ ଜୀବନକୁ ବୁଝିପାରୁନଥିଲେ। ଏବେ କିନ୍ତୁ ସେ ବୁଝିଗଲେଣି। ସକାଳ ୭ଟାରେ ଶଯ୍ୟାତ୍ୟାଗ ପରେ ନିତ୍ୟକର୍ମ ସାରି ୧୦ଟା ଭିତରେ ଅଫିସ୍‌ ବାହାରିଆସେ। ଯାହା କାମ ସବୁ ଥାଏ, ଠାକୁରଙ୍କୁ ସ୍ମରଣ କରି ଆରମ୍ଭ କରେ। କାମ ସାରି ଘରକୁ ଫେରିଲା ବେଳକୁ ରାତି ୮ଟା ହୋଇଯାଏ। ସିନେମା ଦେଖା ଓ କ୍ରି‌କେଟ୍‌ ଖେଳରେ ମୋର ରୁଚି। କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ତାହା ସମ୍ଭବ ହୋଇପାରେ ନାହିଁ। ଖାଇବାରେ ସେମିତି କିଛି ରୁଚି ନାହିଁ। ଯାହା ମିଳେ ଖୁସିରେ ଖାଏ। ପତ୍ନୀ ରୁଚିକା ଖାଦ୍ୟ ପ୍ରସ୍ତୁତିରେ ନିପୁଣା। ମଝିରେ ମଝିରେ ଆମେ ଦୁଇଜଣ ବାହାରେ ବି ଖାଇ ଦେଉ। ସାଧାରଣ ଜୀବନଶୈଳୀରେ ବଞ୍ଚିବାକୁ ମୁଁ ପସନ୍ଦ କରେ।

ମୁଁ ଇଞ୍ଜିନିୟରିଂ କରିବା ପରେ କୌଣସି ବିଷୟରେ ସ୍ବତନ୍ତ୍ର (ସ୍ପେଶାଲାଇଜେସନ୍‌) ଜ୍ଞାନ ଆହରଣ କରିବାକୁ ଇଛା ରଖିଥିଲି। ଏବେ ଭାବୁଛି ଅର୍ଥନୀତି ବିଷୟରେ ପଢ଼ିବି। ଜଣେ ମେଧାବୀ ଛାତ୍ର ହିଁ ଆଇଏଏସ୍‌ ହେବ, ଏଇଟା ଭାବିବା ଭୁଲ। ସମସ୍ତଙ୍କ ପାଖରେ ଜ୍ଞାନ ଅଛି, କେବଳ ଲୋଡ଼ା ନିରନ୍ତର ପରିଶ୍ରମ। ବାପା, ମା’ଙ୍କ ପରେ ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ଡ.ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଅନୁସରଣ କରେ। କାର୍ଯ୍ୟଚାପ ଭିତରେ ବି ଶାନ୍ତ ରହିବାକୁ ଚେଷ୍ଟା କରେ। ବାଲେଶ୍ବରର ଲୋକ ଶିକ୍ଷିତ ଓ ସଚେତନ। ଆଇନ ସଂପର୍କରେ ସେମାନଙ୍କର ବେଶ ଭଲ ଧାରଣା ରହିଛି। ଏଠାକାର ଲୋକମାନଙ୍କର ସରଳତା ମତେ ଭଲ ଲାଗେ।