ଭୁବନେଶ୍ବର : ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବୁଧବାର ସକାଳେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ପରବର୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହି ଅବପାତ ବାତ୍ୟା ରୂପ ନେବ କି ନାହିଁ ସେନେଇ ପାଣିପାଗ କେନ୍ଦ୍ର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଦେଇ ନାହିଁ। ବରଂ ଲଘୁଚାପ ସୃଷ୍ଟି ହେବା ପରେ ଏହା କେଉଁ ଆଡ଼େ ଗତି କରିବ ସେନେଇ କହିହେବ ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ଏପର୍ଯ୍ୟନ୍ତ ବିଭିନ୍ନ ମଡେଲ୍ ମଧ୍ୟରେ ସମାନତା ଆସିପାରି ନାହିଁ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ୮ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ। ଏହା ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଆଡ଼କୁ ମୁହାଁଇବ। ୧୦ ତାରିଖ ପରେ ଦିଗ ପରିବର୍ତନ କରି ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପକୂଳକୁ ଗତି କରିବ। ସମ୍ଭବତଃ ୧୩ ତାରିଖରେ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶର ସାଗର ଦ୍ବୀପ ଛୁଇଁବ ଏବଂ ସେତେବେଳକୁ ଦୁର୍ବଳ ହୋଇଥିବ। ଓଡ଼ିଶାର ବାଲେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଓ ପବନ ହେବ। ଲଘୁଚାପ ସୃଷ୍ଟି ପରେ ଗତିପଥ ଓ ଘନୀଭୂତ ବାତ୍ୟା ରୂପ ବିଷୟରେ ଅଧିକ କହି ହେବ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବାରୁ ରାଜଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କଟକ ଜିଲ୍ଲା ବାଙ୍କୀଠାରେ ସର୍ବାଧିକ ୯୦ ମିମି ବର୍ଷା ହୋଇଥିବା ବେଳେ କୋରାପୁଟ ଜିଲ୍ଲା କୋଟପାଡ଼ରେ ୭୬, ପୁରୀ ଜିଲ୍ଲା ସତ୍ୟବାଦୀରେ ୭୦, ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୫୫.୩ ମିମି ରେକର୍ଡ କରାଯାଇଛି। ଆସନ୍ତା ୨୮ ଘଣ୍ଟା ମଧ୍ୟରେ ଉପକୂଳ ଜିଲ୍ଲା ସମେତ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ବର୍ଷା ଲାଗିରହିବ। ତାପମାତ୍ରାରେ ସେଭଳି କୌଣସି ପରିବର୍ତନ ହେବନାହିଁ। ଆଜି ଦିନରେ ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୧.୭, ଯାଜପୁରରେ ୪୧, ଝାରସୁଗୁଡ଼ାରେ ୪୦.୮, ବରଗଡ଼ରେ ୪୦.୪, ଅନୁଗୁଳରେ ୪୦.୧, ସମ୍ବଲପୁର ଓ ବଲାଙ୍ଗୀରରେ ୪୦ ଡିଗ୍ରି ରହିଥିଲା।