କଫି ଚାଷକୁ ପ୍ରଭାବିତ କଲା ପାଣିପାଗ

କୋରାପୁଟ : କୋରାପୁଟ କଫି ଉପରେ ଛାଇଗଲା କଳାବାଦଲ। ଜୟବାୟୁ ପରିବର୍ତ୍ତନ ଯୋଗୁ ଅମଳ ପ୍ରଭାବିତ ହେବା ସମ୍ଭାବନା ସୃଷ୍ଟି ହାଇଛି। ବର୍ତ୍ତମାନ ସ୍ଥିତିରେ ଉତ୍ପାଦନ ବିଳମ୍ବିତ ହୋଇଥିବା ବେଳେ ପାଣିପାଗରେ ଯଦି ପୁଣି ପରିବର୍ତ୍ତନ ହୁଏ ତେବେ ସ୍ଥିତି ଆହୁରି ସାଂଘାତିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଚଳିତ ବର୍ଷ କୋରାପୁଟ ଜିଲ୍ଲାର ପ୍ରାୟ ୩୦୮୬ ହେକ୍ଟର ଜମିରେ ୩୦୪୬ରୁ ଅଧିକ ଆଦିବାସୀ ଚାଷୀ କଫି ଚାଷ କରୁଛନ୍ତି। ସାଧାରଣତଃ କୋରାପୁଟ ଜିଲ୍ଲାରେ କଫି ଅମଳ ଅକ୍ଟୋବର ମାସ ଶେଷ ସପ୍ତାହରୁ ଆରମ୍ଭହୋଇ ନଭେମ୍ବର ଏବଂ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିଥାଏ। ତେବେ, ଚଳିତବର୍ଷ ବର୍ଷା ଯୋଗୁ ବିଳମ୍ବରେ ଗଛରେ କଫି ଫଳିଲା। ଫଳରେ, ପରିପକ୍ବ ହେବାକୁ ସମୟ ନେବ। ଯାହାଫଳରେ ଅମଳ ବିଳମ୍ବ ହେବା ନିଶ୍ଚିତ। ଯଦି ପାଣିପାଗରେ ଅନିୟମିତତା ଲାଗି ରହିବ, ତେବେ ତାହାର ପ୍ରଭାବ ମଧ୍ୟ ଫଳିଥିବା କଫି ଉପରେ ପଡ଼ିବ। ଅମଳ ଯଦି ପ୍ରଭାବିତ ହେବ ତେବେ ଚାଷୀଙ୍କ ଆୟ ଉପରେ ତାହାର ସାଂଘାତିକ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି। ଏ ନେଇ କଫି ବୋର୍ଡ ଏସ୍‌ଏଲ୍‌ଓ ଉପେନ୍ଦ୍ର କୁମାର ଶାହା କହିଛନ୍ତି, ଚଳିତ ବର୍ଷ ବର୍ଷା ଯୋଗୁ କଫି ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ସାଧାରଣତଃ ଅକ୍ଟୋବର ଶେଷ ସପ୍ତାହରୁ କଫି ଅମଳ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ୨୦ରୁ ୨୫ଦିନ ବିଳମ୍ବରେ ଅମଳ ହେବ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ୨୦୮୯ ହେକ୍ଟର ଜମିରେ ଚାଷ ହୋଇ ୨୨୦ ମେଟ୍ରିକ୍‌ ଟନ୍‌ କଫି ଉତ୍ପାଦନ ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ଅଧିକ ୫୦୦ ହେକ୍ଟର ଓ ୨୦୨୩-୨୪ ଆର୍ଥିକ ବର୍ଷରେ ଅଧିକ ୬୦୦ ହେକ୍ଟର ଜମିରେ ଚାଷ କରିବାକୁ ଯୋଜନା ହୋଇଛି। ଉତ୍ପାଦିତ ଚୋପା ଲାଗିଥିବା କଫିକୁ ଟିଡିସିସି କିଲୋଗ୍ରାମ ପିଛା ୪୫ଟଙ୍କାରେ କିଣୁଛି। ଯାହାକୁ ତିନୋଟି ପର୍ଯ୍ୟାୟରେ ପ୍ରକ୍ରିୟା କରି ୧୨୦୦ ଟଙ୍କାରେ ବିକ୍ରି କରୁଛି। ଗତବର୍ଷ ୧୧ ମେଟ୍ରିକ ଟନ୍‌ କଫି ଟାଟା କମ୍ପାନି କିଲୋ ପ୍ରତି ୨୩୦ ଟଙ୍କା ଦେଇ କିଣିଥିଲା। ଅନ୍ୟପଟେ ଅଣଆଦିବାସୀ ଚାଷୀ ଟିଟିସିସିକୁ କାଁ ଭାଁ କଫି ବିକ୍ରି କରୁଥିବା ବେଳେ ବେଙ୍ଗାଲୁରୁ, ହାଇଦ୍ରାବାଦ ସହ ବଡ଼ ବଡ଼ ସହରକୁ ୧୦ଗୁଣ ଅଧିକ ଦରରେ ବିକ୍ରି କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର