ମୌସୁମୀ ନିଖୋଜ! ଆଷାଢ଼ରେ ବି ବୈଶାଖର ତାତି

ରଜରେ ବି ଦେଖିବାକୁ ମିଳିଲାନି ମେଘଢ଼ଙ୍କା ଆକାଶ

ଭୁବନେଶ୍ୱର: ପାଣିପାଗ ବିଭାଗର ସମସ୍ତ ପୂର୍ବାନୁମାନ ଓ ଆକଳନକୁ ଭୁଲ୍‌ ସାବ୍ୟସ୍ତ କରିଦେଇଛି ମୌସୁମୀ! ରାଜ୍ୟବାସୀଙ୍କୁ ଚକ୍‌ମା ଦେଖାଇ ହଜିଯାଇଛି ଦକ୍ଷିଣ ପଶ୍ଚିମ ମୌସୁମୀ। ପୂର୍ବରୁ ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରି କହିଥିଲେ ଯେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ରାଜ୍ୟରେ ପହଞ୍ଚିବ ମୌସୁମୀ। ଜୁନ୍‌ ୧୦ରୁ ୧୧ ତାରିଖ ବେଳକୁ ସାରା ରାଜ୍ୟ ଭିଜିବ ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରଭାବରେ। ଏପ୍ରକାରର ସୂଚନା ରାଜ୍ୟବାସୀଙ୍କୁ ଆନନ୍ଦିତ କରିଥିଲା। ଚଷାପୁଅ ସଜବାଜ ହେଉଥିଲା, ବିଲକୁ ଯିବାକୁ। ପୂର୍ବାନୁମାନ ଅନୁଯାୟୀ, ମୌସୁମୀତ ଆସିଲା ନିର୍ଦ୍ଧାରିତ ସମୟ ପୂର୍ବରୁ। ହେଲେ, ସାରା ରାଜ୍ୟକୁ ଭିଜାଇବା ପୂର୍ବରୁ ନିଖୋଜ ହୋଇଗଲା ମୌସୁମୀ, ରାଜ୍ୟକୁ କାଁ ଭାଁ ଭିଜାଇ।

ଏବେ ଜ୍ୟେଷ୍ଠ ସରି ଆଷାଢ଼ ଆରମ୍ଭ ହୋଇଯାଇଥିଲେ ସୁଦ୍ଧା ଆକାଶରେ କେଉଁଠି ବି ଦୃଷ୍ଟିଗୋଚର ହେଉନାହିଁ ବାଦଲ। ଓଡ଼ିଶାର ଗଣପର୍ବ ରଜରେ ବି ରାଜ୍ୟବାସୀ ଦେଖିବାକୁ ପାଇଲେ ନାହିଁ ବାଦଲ ଢ଼ଙ୍କା ଆକାଶ। ବାଦଲ ଢ଼ଙ୍ଗା ଆକାଶ ପରିବର୍ତ୍ତେ ରଜରେ ଆକାଶରୁ ନିଆଁ ବର୍ଷା ସହ ଝାଞ୍ଜି ପବନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଦକ୍ଷିଣରୁ ଆରମ୍ଭ କରି ଉପକୂଳ, ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶା ସବୁଠି ସେଇ ଏକା ଅବସ୍ଥା। ଆଷାଢ଼ରେ ବି ରାଜ୍ୟର ୧୦ରୁ ଅଧିକ ସହରର ତାପମାତ୍ରା ୩୯ ଡିଗ୍ରି ଉପରେ। ଗତକାଲି (ଗୁରୁବାର) ରାଜ୍ୟର ଟିଟଲାଗଡ଼ ଠାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଥିଲା ବେଳେ ସର୍ବନିମ୍ନ ତାପମାତ୍ରା ୨୨.୭ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଛି ହୀରକୁଦ୍‌ ଠାରେ।

ଏପରିସ୍ଥିତିରେ ନିଖୋଜ ମୌସୁମୀକୁ ଠାବ କରିବାରେ ବିଫଳ ହେବା ପରେ ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ଦୁର୍ବଳ ଥିବାରୁ ରାଜ୍ୟକୁ ଭିଜାଇ ନପାରି ଫେରି ଯାଇଛି। ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ। ଯଦିବି କେଉଁଠି ବର୍ଷା ହୁଏ, ତେବେ କାଳ ବୈଶାଖୀ ପ୍ରଭାବରୁ ବର୍ଷା ହେବ! ସେ ସମ୍ଭାବନା ବି କ୍ଷୀଣ! ତେବେ, ସବଳ ମୌସୁମୀ କେବେ ଆସିବ ଆଉ ରାଜ୍ୟକୁ କେବେ ଭିଜାଇବ ସେ ସଂପର୍କରେ ନିରବ ରହିଛି ପାଣିପାଗ ବିଭାଗ। ଆଉ ରାଜ୍ୟବସୀ ଚାତକ ପରି ଅପେକ୍ଷା କରି ରହିଛନ୍ତି ମୌସୁମୀକୁ।

ସମ୍ବନ୍ଧିତ ଖବର